ଭୁବନେଶ୍ୱର,୧୦/୧୦: ଶୁକ୍ରବାରଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ୪୦ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିଅନସିପ୍ । ଭାରତୀୟ ଆଥଲେଟିକ୍ସ ସଂଘ, ଓଡ଼ିଶା ସଂଘ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଏହା ଆୟୋଜିତ ହେଉଛି । ଆସନ୍ତା ୧୪ ତାରିଖରେ ପ୍ରତିଯୋଗିତା ଉଦ୍ଯାପିତ ହେବ । ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୨୦୦୦ରୁ ଊଦ୍ଧ୍ୱର୍ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିବେ । ଓଡ଼ିଶାରୁ ୩୮ଜଣ ପୁରୁଷ ଏବଂ ୩୭ଜଣ ମହିଳା ସର୍ବମୋଟ ୭୫ଜଣ କ୍ରୀଡ଼ାବିତ୍ ଭାଗ ନେବେ । ସର୍ବାଧିକ ୧୪୭ ଜଣ କ୍ରୀଡ଼ାବିତ ହରିଆନାରୁ ସାମିଲ ହେବେ।
ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କ୍ରୀଡ଼ା ଓ ଯୁବସେବା ବିଭାଗର ସଚିବ ସଚିନ ରାମଚନ୍ଦ୍ର ଯାଦବ କହିଥିଲେ, "ଶୁକ୍ରବାରଠୁ ୧୪ ତାରିଖ ପର୍ଯ୍ୟନ୍ତ ଜାତୀୟ ଜୁନିୟର ଆଥଲେଟିକ୍ସ ଆୟୋଜିତ ହେବ । ଏଥିସହ ଆସନ୍ତା ୧୧ ତାରିଖରୁ ୨୮ତମ ଏସୀୟ ଟେବୁଲ ଟେନିସ ଟିମ୍ ଚାମ୍ପିଅନସିପ୍ ମଧ୍ୟ ଆୟୋଜିତ ହେବ । ଏକ ସମୟରେ ଗୋଟିଏ ଜାତୀୟ ଓ ଗୋଟିଏ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ।’
"କଳିଙ୍ଗ ଷ୍ଟାଡ଼ିୟମରେ ଗତ ଅଗଷ୍ଟ ମାସରେ ସଫଳତାର ସହ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ଆୟୋଜିତ ହୋଇଥିଲା । ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାର ଆୟୋଜନ ମାଧ୍ୟମରେ ବିଶ୍ୱ କ୍ରୀଡ଼ା ଜଗତରେ ଓଡ଼ିଶା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଜାତୀୟ ଜୁନିୟର ଆଥଲେଟିକ୍ସ ଆୟୋଜନ ମଧ୍ୟ ସଫଳତାର ସହ ଶେଷ ହେବ ବୋଲି ଭାରତୀୟ ଆଥଲେଟିକ୍ସ ସଂଘର ପ୍ରତିନିଧି ଆଦିଲ୍ ସୁମାରିୱାଲା କହିଥିଲେ ।
୭୫ ଜଣିଆ ଓଡ଼ିଶା ଦଳରୁ ମୁଖ୍ୟ ଆକର୍ଷଣରେ ରହିବେ ଉଦୀୟମାନ ଧାବକ ବାପି ହାଁସଦା । ସେ ୧୦୦, ୨୦୦ ଓ ୪ ଗୁଣା ୧୦୦ ମିଟରରେ ଦୌଡ଼ିବେ । ସେମିତି ଅଙ୍କିତା ମହାପାତ୍ର, ଓମକାର ନନ୍ଦ ଓ ପ୍ରତୀକ ମହାରଣା ମଧ୍ୟ ନିଜ ନିଜ ଇଭେଣ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ରହିଛନ୍ତି ।