ଏବର୍ଷ ବି ୮.୫୫% ରହିବ ପିଏଫ୍ ସୁଧ

ନୂଆଦିଲ୍ଲୀ,୧୧ା୨(ଏଜେନ୍ସି): ଅବସର ପାଣ୍ଠି ସଂସ୍ଥା ଇପିଏଫ୍ଓ ଚଳିତ ଆର୍ଥିକ ବର୍ଷ ନିଜର ୬ କୋଟିରୁ ଊଦ୍ଧ୍ୱର୍ ଉପଭୋକ୍ତାଙ୍କୁ ସେମାନଙ୍କ ଭବିଷ୍ୟନିଧି ପାଣ୍ଠି (ପିଏଫ୍) ଜମା ଉପରେ ୮.୫୫% ସୁଧ ପ୍ରଦାନ କରିବ । ଘଟଣା ସହ ଜଡ଼ିତ ଜଣେ ଅଧିକାରୀଙ୍କ ସୂତ୍ରରୁ ଏହି ସୂଚନା ମିଳିଛି ।
ଅଧିକାରୀଙ୍କ ମୁତାବକ, ଫେବ୍ରୁଆରୀ ୨୧ରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂସ୍ଥା (ଇପିଏଫ୍ଓ)ର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକ ଅନୁଷ୍ଠିତ ହେବ । ଚଳିତ ବର୍ଷ ନିମନ୍ତେ ପିଏଫ୍ ସୁଧହାର ଚୂଡ଼ାନ୍ତ କରିବାକୁ ବୈଠକରେ ପ୍ରସ୍ତାବ ଆଗତ ହେବ । ଯେହେତୁ ଆଗକୁ ଲୋକସଭା ନିର୍ବାଚନ ରହିଛି, ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ପିଏଫ୍ ସୁଧକୁ ୨୦୧୭-୧୮ ଭଳି ୮.୫୫% ରଖିବାକୁ ବିଚାର କରାଯାଉଛି । ଏହାସହ ବୈଠକରେ ଚଳିତ ଆର୍ଥିକ ବର୍ଷର ଇପିଏଫ୍ଓର ଆୟ ଆକଳନକୁ ମଧ୍ୟ ଆଗତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ପିଏଫ୍ ସୁଧହାରକୁ ୮.୫୫%ରୁ ଅଧିକ କରିବାର ସମ୍ଭାବନାକୁ ମଧ୍ୟ ଅଧିକାରୀ ଜଣକ ଏଡ଼ାଇ ଯାଇପାରିନାହାନ୍ତି ।
ସୂଚନା ଥାଉକି, ୨୦୧୭-୧୮ରେ ଇପିଏଫ୍ଓ ୫ ବର୍ଷର ସର୍ବନିମ୍ନ ଅର୍ଥାତ୍ ୮.୫୫% ସୁଧ ପ୍ରଦାନ କରିଥିଲା । ୨୦୧୬-୧୭ରେ ପିଏଫ୍ ସୁଧହାର ୮.୬୫% ଥିଲା ବେଳେ ୨୦୧୫-୧୬ରେ ୮.୮% ଥିଲା । ୨୦୧୩-୧୪ ଓ ୨୦୧୪-୧୫ରେ ପିଏଫ୍ ସୁଧ ୮.୭୫% ରହିଥିଲା ।