ଆଜି କଂଗ୍ରେସର ପିଇସି ବୈଠକ

source:http://www.pragativadi.com
ଭୁବନେଶ୍ୱର,୫ା୩(ବ୍ୟୁରୋ): ବୁଧବାର ଦିନ ୧୨ଟା ୩୦ରେ ବସିବ ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି (ପିଇସି)ର ବୈଠକ । ବୈଠକରେ ବିଭିନ୍ନ ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀରେ ଜିତିବା ଥିବା ପ୍ରାର୍ଥୀଙ୍କ ବାବଦରେ ଆଲୋଚନା କରାଯିବ । କାହାକୁ ଦଳ ପ୍ରାର୍ଥୀ କଲେ ଜିତିବ ତା’ର ତର୍ଜମା କରାଯିବ । ତର୍ଜମା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)କୁ ପଠାଯିବ । ସେଠରେ କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି)ରେ ଆଲୋଚନା ହେବା ପରେ ରାହୁଲ ଗାନ୍ଧୀଙ୍କ ନିକଟକୁ ଯିବ । ରାହୁଲଙ୍କ ମୋହର ବାଜିବା ପରେ ଟିକେଟ୍ ଘୋଷଣା କରାଯିବ । ବୈଠକରେ ପିଇସିର ସମସ୍ତ ସଦସ୍ୟଙ୍କ ସମେତ ଓଡ଼ିଶା କଂଗ୍ରେସର ସମସ୍ତ ପ୍ରଭାରୀ ଯୋଗ ଦେବେ । ଆସନ୍ତାକାଲି ବୈଠକ ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସିପିଆଇ, ସିପିଏମ୍ ଓ ଜେଏମଏମ୍ ସହିତ ହେବାକୁ ଥିବା ସିଟ୍ ବୁଝାମଣା ଛିଣ୍ଡି ପାରିନାହିଁ । ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି ଆସନ ବୁଝାମଣା ପ୍ରକ୍ରିୟା ଘୁଞ୍ଚି ଘୁଞ୍ଚି ଚାଲିଛି । ଆଜି ସିପିଏମ୍ କେନ୍ଦ୍ରୀୟ ନେତା ସୀତାରାମ ୟେଚୁରୀ ଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, କଂଗ୍ରେସ ସହ ତାଙ୍କର ମେଣ୍ଟ ହେବନାହିଁ । କେବଳ କିଛି ସିଟ୍ରେ ଆସନ ବୁଝାମଣା ହେବ । ଭୁବନେଶ୍ୱର ଲୋକସଭା ସିଟ୍ ବାବଦରେ ଆସନ ବୁଝାମଣା ସରିଥିବା ବେଳେ ସିପିଏମ୍ ୭ଟି ବିଧାସଭା ସିଟ୍ ମାଗିଛି । ଯାହା ଏ ପର୍ଯ୍ୟନ୍ତ ଛିଣ୍ଡିପାରିନି । ଆସନ୍ତା ୮ ତାରିଖ ସୁଦ୍ଧା ସିପିଏମ୍ ଓ କଂଗ୍ରେସ ଆସନ ବୁଝାମଣା ଚୂଡ଼ାନ୍ତ ହେବ ବୋଲି ସିପିଏମ୍ ନେତା ଜନାର୍ଦ୍ଦନ ପତି ସୂଚନା ଦେଇଛନ୍ତି । ସିପିଆଇ ସହ କଂଗ୍ରେସର ଆସନ ବୁଝାମଣା ପାଇଁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଘରେ ବୈଠକ ସରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଉଭୟ ଦଳଙ୍କ ଅଙ୍କକଷା ସରିନି । ଜେଏମ୍ଏମ୍ ମୟୂରଭଞ୍ଜ ଲୋକସଭାକୁ ଗୁରୁତ୍ୱ ଦେଉଥିଲେ ମଧ୍ୟ ଚୂଡ଼ାନ୍ତ ଆଲୋଚନା ଛିଣ୍ଡି ନଥିବାରୁ ଟିକେଟ୍ ବଣ୍ଟନ ପ୍ରକ୍ରିୟା ଧୀରେ ଧୀରେ ଲମ୍ବିବାକୁ ଲାଗିଛି । ଆସନ୍ତାକାଲି(ବୁଧବାର) ପିଇସି ବୈଠକ ପୂର୍ବରୁ କଂଗ୍ରେସର ସ୍କ୍ରିନିଂ କମିଟି ପାଖରେ ୨୧ଟି ଲୋକସଭା ଏବଂ ୧୪୭ ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୧ ହଜାରରୁ ଅଧିକ ଆଶାୟୀ ପ୍ରାର୍ଥୀଙ୍କ ଦରଖାସ୍ତ ପହଞ୍ଚିଥିଲା । ସେଥିରୁ ୪ଟି କିନ୍ନର ପ୍ରାର୍ଥୀ ଅଛନ୍ତି । ଏ ବାବଦରେ ତର୍ଜମା କରାଯାଇ ଶ୍ରେଷ୍ଠ ୩ଜଣଙ୍କ ତାଲିକା ପିଇସି ଆଗରେ ରଖାଯିବ । ଆଶାୟୀ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିବା ସମୟରେ ଜିତିବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ଏହା ବ୍ୟତୀତ ଦଳ ପ୍ରତି ଆନୁଗତ୍ୟକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିବା ବରିଷ୍ଠ କଂଗ୍ରେସ ନେତା କହିଛନ୍ତି । ଅପରପକ୍ଷେ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବା ସମୟରେ ସ୍ଥାନୀୟ ବିଧାୟକ, ପୂର୍ବତନ ବିଧାୟକ, ସାଂସଦ, ପୂର୍ବତନ ସାଂସଦ, ପ୍ରଦେଶ କଂଗ୍ରେସ ପଦାଧିକାରୀଙ୍କ ମତାମତ ନିଆଯାଇଛି । ମତାମତ ସଂଗ୍ରହ କରିବା ପାଇଁ କଂଗ୍ରେସ କେନ୍ଦ୍ରୀୟ ସ୍କ୍ରିନିଂ କମିଟିର ଅଧ୍ୟକ୍ଷ ଭି. ଡି ସଥୀସାନ୍ ଓ ସଦସ୍ୟ ନୌସାଦ୍ ସୋଲାଙ୍କି ଓଡ଼ିଶାରେ ଡେରା ପକାଇଥିଲେ । ଦୁଇଟି ପର୍ଯ୍ୟାୟରେ କସରତ୍ ଶେଷ କରି ତାଲିକା ପ୍ରସ୍ତୁତ କରିଥିଲେ । ଆସନ୍ତାକାଲିର ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସମସ୍ତ ପୂର୍ବତନ ପିସିସି ସଭାପତି, ପ୍ରଭାରୀ ଜିତେନ୍ଦ୍ର ସିଂହ, ଟି. ଏସ୍. ସିଂହଦେଓ, ସହପ୍ରଭାରୀ ଆଦିତ୍ୟ ଶର୍ମା, ଅନିଲ୍ ଚୌଧୁରୀ, ରୁଦ୍ର ରାଜୁ, ମସ୍ତାନ ଭାଲି, ସୁଶିଳା ତିରିଆ, ବିଭୂପ୍ରସାଦ ତରାଇ, ତାରା ବାହିନୀପତି, ଭୁଜବଳ ମାଝି, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି, ଚିରଞ୍ଜୀବ ବିଶ୍ୱାଳ, ସାଂସଦ ରଞ୍ଜୀବ ବିଶ୍ୱାଳ, ସମସ୍ତ ଛାମୁଆ ସଙ୍ଗଠନର ମୁଖ୍ୟଙ୍କ ସମେତ ପିଇସିର ସମସ୍ତ ସଦସ୍ୟ ଯୋଗଦେବେ ।