PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଆଜିଠୁ ଫୁଟ୍‌ବଲ ମହାସମର: ୩୨ ଦଳ, ୬୪ ମ୍ୟାଚ୍ ୫ ସହର, ୮ ଷ୍ଟାଡିୟମ୍‌ ଦେଖିବାକୁ ମିଳିବ ଫିଫା ଫିବର୍

ଅଲ୍‌ ଖୋର (କତାର)୨୦/୧୧: ଭାବବିହ୍ୱଳ ବିଶ୍ୱର ଫୁଟବଲପ୍ରେମୀ । କଟକଣାକୁ ଖାତିର ନାହିଁ । ସମସ୍ତେ ଏକ ମୁହାଁ ହୋଇ ଧାଇଁଛନ୍ତି ଉପସାଗରୀୟ ଦେଶ କତାରକୁ । ଦୋହା ସମେତ ୫ଟି ସହରରେ ଜମିଲାଣି ଭିଡ଼ । ଆଉ କିଛି ଘଣ୍ଟାର ଅପେକ୍ଷା । ଅଲ୍‌ ଖୋର ସହରର ଅଲ ବେତ୍‌ ଷ୍ଟାଡିୟମରେ ବାଜି ଉଠିବ ଫିଫା (ଫେଡେରେସନ୍‌ ଇଣ୍ଟରନ୍ୟାସନାଲ ଡି ଫୁଟବଲ ଆସୋସିଏସନ୍‌) ବିଶ୍ୱକପ୍‌ ମହାସମରର ବିଗୁଲ । ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ ମିନିଟରୁ ଆରମ୍ଭ ହେବ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ । ବିଶ୍ୱର ବହୁ ପ୍ରସିଦ୍ଧ କଳାକାର ପରିବେଷଣ କରିବେ ସାଂସ୍କୃତିକ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସାଜିବ କତାରର ପାରମ୍ପରିକ କଳା, ସଂସ୍କୃତି ଓ ଐତିହ୍ୟ । କଳା ଓ ସଂସ୍କୃତି ଝଲକରେ ସାରା ବିଶ୍ୱକୁ କିଛି ନୂଆ ବାର୍ତ୍ତା ଦେବ କତାର ।

ଦୁଇ ଘଣ୍ଟାର ଉଦ୍‌ଘାଟନୀ ଉତ୍ସବର ପ୍ରତ୍ୟକ୍ଷ ରୋମାଞ୍ଚ ନେବେ ୬୦ ହଜାର ଦର୍ଶକ । ଉଦ୍‌ଘାଟନୀ ଉତ୍ସବର ଟିକେଟ୍‌ ପାଇଥିବା ଲକି ପ୍ରଶଂସକଙ୍କ ଆଖିରେ ନିଦ ନାହିଁ । ସେହି ମୁହୂର୍ତ୍ତକୁ ଅପେକ୍ଷା, କେତେବେଳେ ଖୋଲିବ ଅଲ ବେତ୍‌ ଷ୍ଟାଡିୟମର ଫାଟକ । ଉତ୍ସବ ଶେଷ ହେବା ପରେ ରାତି ୯ଟା ୩୦ ମିନିଟରୁ ଆରମ୍ଭ ହେବ ଆୟୋଜକ କତାର-ଇକ୍ୱେଡର ଉଦ୍‌ଘାଟନୀ ମୁକାବିଲା । ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେବେ ଭାରତର ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ଼ । ସେ କତାର ସରକାରଙ୍କ ଠାରୁ ନିମନ୍ତ୍ରଣ ପାଇଛନ୍ତି । ଉପ ରାଷ୍ଟ୍ରପତି ଆସନ୍ତା ୨୦ରେ କତାର ଯାତ୍ରା କରି ୨୧ ତାରିଖରେ ବାହୁଡ଼ି ଆସିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ଠାରୁ ଫିଫା ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟ ଏବଂ ଡିସେମ୍ବର ୩ ତାରିଖରୁ ନକ୍‌ଆଉଟ୍‌ ପର୍ଯ୍ୟାୟ ଆରମ୍ଭ ହେବ । ଡିସେମ୍ବର ୧୩ ଓ ୧୪ରେ ସେମି ଫାଇନାଲ ଏବଂ ୧୮ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ ।

ବିଶ୍ୱକପ୍‌ର ୨୨ତମ ସଂସ୍କରଣରେ ୩୨ଟି ଦଳକୁ ୮ଟି ଗ୍ରୁପ୍‌ରେ ଭାଗ କରାଯାଇଛି ଏବଂ ଗ୍ରୁପ୍‌ ପର୍ଯ୍ୟାୟରୁ ଫାଇନାଲ ପର୍ଯ୍ୟନ୍ତ ମୋଟ୍‌ ୬୪ଟି ମ୍ୟାଚ୍‌ ଖେଳାଯିବ । ପ୍ରତି ଗ୍ରୁପ୍‌ରେ ୪ଟି ଲେଖାଏଁ ଦଳ ରହିଛନ୍ତି । ପ୍ରତ୍ୟେକ ଦଳ ୩ଟି ଲେଖାଏଁ ଲିଗ୍‌ ମ୍ୟାଚ୍‌ ଖେଳିବେ । ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ୨ ଦଳ ପରବର୍ତ୍ତୀ ରାଉଣ୍ଡ୍‌ (ରାଉଣ୍ଡ-୧୬)କୁ ଉନ୍ନୀତ ହେବେ । ଦୋହା ସମେତ ୫ଟି ସହରରେ ପ୍ରସ୍ତୁତ ହୋଇ ରହିଛି ୮ଟି ଷ୍ଟାଡିୟମ । ଲୁସେଲରେ ନିର୍ମିତ ଲୁସେଲ ଆଇକନିକ ଷ୍ଟାଡିୟମରେ ୮୦ ହଜାର ଦର୍ଶକ ବସି ମ୍ୟାଚ୍‌ ଦେଖିବାର ବ୍ୟବସ୍ଥା ହୋଇଛି । ଫାଇନାଲ ମ୍ୟାଚ୍‌ ଏଠାରେ ଖେଳାଯିବ ।

କୋରିଆର ପ୍ରସିଦ୍ଧ ଗାୟକ ଜଙ୍ଗ୍‌କୁକ, ଆମେରିକାର ମ୍ୟୁଜିକାଲ ଗ୍ରୁପ୍‌ ବ୍ଲାକ ଆୟଡ୍‌ ପିଅସ ଓ ଇଂଲଣ୍ଡ ଗାୟକ ରୋବି ୱିଲିୟମ୍ସ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିବେ । କଲମ୍ବିଆର ଚର୍ଚ୍ଚିତ ଗାୟିକା ସାକିରାଙ୍କ କଣ୍ଠରେ ୨୦୧୦ ବିଶ୍ୱକପ୍‌ର ୱାକା..ୱାକା.. ସଙ୍ଗୀତ ବେଶ ଲୋକପ୍ରିୟତା ଅର୍ଜନ କରିଥିଲା । କତାରରେ ବି ସେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ୪ ଦିନ ତଳେ କୌଣସି କାରଣରୁ ସେ କାର୍ଯ୍ୟକ୍ରମରୁ ଓହରି ଯାଇଛନ୍ତି ।

କତାର ବିଶ୍ୱକପ୍‌ ଯେତିକି ବ୍ୟୟବହୁଳ, ସେତିକି ବିବାଦୀୟ ହୋଇ ପଡ଼ିଛି । ଦେଶରେ ମାନବାଧିକାର ଉଲ୍ଲଂଘନ ଏବଂ ପ୍ରଶଂସକ ଓ ଖେଳାଳିଙ୍କ ଉପରେ ବିଭିନ୍ନ କଟକଣା ଜାରି କରାଯାଇଥିବାରୁ ବିଶ୍ୱର ବିଭିନ୍ନ ସ୍ଥାନରେ କତାରକୁ ବିରୋଧ ପ୍ରଦର୍ଶନ କରାଯାଉଛି । ଏଥର ବିଶ୍ୱକପ୍‌ ସବୁଠୁ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଛି । ଆୟୋଜନ ବାବଦରେ କତାର ଗତ ୧୨ ବର୍ଷ ମଧ୍ୟରେ ୩୦୦ ବିଲିୟନ ଡଲାର ଖର୍ଚ୍ଚ କରିଛି । ଭାରତୀୟ ମୁଦ୍ରାରେ ଏହା ୨୪୪୫କୋଟି ୬୦ଲକ୍ଷ ୪୫୯୦୦ ଟଙ୍କା ହେବ । ଯାହାବି ହେଉ, ବିଶ୍ୱକପ୍‌କୁ ସୁସ୍ଥ, ସୁରକ୍ଷିତ ଓ ସଫଳ କରିବା ନେଇ ଆୟୋଜକ କତାର ସରକାର ଓ ଫିଫା ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ।ସବୁ ବର୍ଷ ପରି ୫ଥର ଚାମ୍ପିଅନ୍‌ ବ୍ରାଜିଲ୍‌ ସମେତ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ଟାଇଟଲ ଦୌଡ଼ରେ ସବୁଠୁ ଆଗରେ ରହିଛନ୍ତି । ୪ଥର ଚାମ୍ପିଅନ୍‌ ଜର୍ମାନୀ ଏଥର ପ୍ରଥମ ଦଳ ଭାବେ ବିଶ୍ୱକପକୁ ଯୋଗ୍ୟତା ଅର୍ଜନ କରିଥିବାରୁ ଅନ୍ୟତମ ଦାବିଦାର ରୂପେ ଗଣା ହେଉଛି । ଇଂଲଣ୍ଡ, ସ୍ପେନ, ଆର୍ଜେଣ୍ଟିନା ଅନ୍ୟତମ ଟାଇଟଲ ଦାବିଦାର ରହିଛନ୍ତି । ଦୁଇ ପ୍ରସିଦ୍ଧ ଖେଳାଳି ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ କ୍ୟାରିୟର୍‌ର ଏହା ଶେଷ ବିଶ୍ୱକପ୍‌ ହେବ । ତେଣୁ ବିଦାୟ ପୂର୍ବରୁ ଦେଶକୁ ବିଶ୍ୱକପ୍‌ ଭେଟିଦେବାକୁ ଉଭୟ ପ୍ରୟାସ କରିବେ ।

ସମ୍ବନ୍ଧିତ ଖବର