ଆଜି ଦିଆଯିବ ଚକୋଲେଟ୍…

ଭୁବନେଶ୍ୱର, ୮ ।୨(ବ୍ୟୁରୋ): ପ୍ରେମ ଚିରନ୍ତନ, ଶାଶ୍ୱତ । ନିଜ ଅଜାଣତରେ ମଣିଷ ପ୍ରେମରେ ପଡ଼େ । ଜଡ଼ସଡ଼ ହୁଏ । ମିଳନର ଆନନ୍ଦ କମ୍ ପାଏ । ବିଚ୍ଛେଦ, ବିରହ, ଯନ୍ତ୍ରଣାରେ ଛଟପଟ ହୁଏ । ମାତ୍ର ତାକୁ ଭୃକ୍ଷେପ ନକରି ସେ ପ୍ରେମର ରାଜରାସ୍ତାରେ ପକ୍ଷୀରାଜ ଘୋଡ଼ା ଚଢ଼ି ମାଡ଼ି ଚାଲେ ଆଗକୁ ଆଗକୁ ।
ଜୀବନ ହେଉଛି ଏକ ପ୍ରେମମୟ ଗୀତ । ଯଦି ତାହା ପ୍ରେମମୟ ନୁହେଁ, ସେଇଟି ଜୀବନ ହିଁ ନୁହେଁ । ପ୍ରେମର ପର୍ବ ଆଣିଛି ସମ୍ଭାବନାର ସନ୍ଧିକ୍ଷଣ । ମନ ଯାହା କହିବାକୁ ଚାହୁଁଥିଲା, ତାହା ଆଜି ହୃଦୟର ସୁଦୂରପ୍ରସାରୀ ପ୍ରତିବନ୍ଧକକୁ ଡେଇଁ ଓଠକୁ ଆସିଛି । ମୁଁ ତୁମକୁ ଭଲପାଏ….କହି ହେଉନଥିବା ଏ ଅକୁହା କଥାକୁ ଆଜି ତୁଣ୍ଡ ଖୋଲି କହିଥିବା ପ୍ରେମିକ ଓ ପ୍ରେମିକା ବେଶ୍ ଉଦ୍ବେଗର ସହ କାଲିକୁ ଅପେକ୍ଷା କରିଛନ୍ତି । ଆଜି ପ୍ରେମପର୍ବର ତୃତୀୟ ସୋପାନ ‘ଚକୋଲେଟ୍ ଡେ’ । ମନର ମଣିଷକୁ କେଉଁ ଚକୋଲେଟ୍ ସବୁଠୁ ବେଶୀ ପସନ୍ଦ । ଫ୍ଲେଭର କଣ ହେଲେ ପ୍ରିୟତମା/ପ୍ରିୟତମ ତାକୁ ଖୁସିରେ ଗ୍ରହଣ କରିବେ? ଏମିତି ପ୍ରଶ୍ନର ବୁଢ଼ିଆଣି ଜାଲରେ ଛନ୍ଦି ହୋଇ ମଧ୍ୟ ପ୍ରେମିକ, ପ୍ରେମିକାମାନେ ସାରା ସହର ଚକ୍କର କାଟିଛନ୍ତି । ମନ ପସନ୍ଦର ଚକୋଲେଟ୍ କିଣିଛନ୍ତି ।