PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ : ଆଠଗଡ ଅଂଶୁପା ହ୍ରଦ ନିକଟରୁ କାରରୁ ୧୩୫୫ ଗ୍ରାମର ବ୍ରାଉନସୁଗାର ଜବତ
  • ||
  • ତିଗିରିଆ : ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର, ରାତ୍ରି ପାଟ୍ରୋଲିଂ ବେଳେ ଉଦ୍ଧାର କଲା ପୋଲିସ
  • ||
  • ବଲାଙ୍ଗିର : ରେଲୱେ ଜଙ୍କସନରୁ ୨୫ ଦାଦନ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗିର : ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର, କାରଣ ଅସ୍ପଷ୍ଟ
  • ||
  • ନିଶ୍ଚିନ୍ତକୋଇଲି : ନଗସପୁର ବଜାରରେ ସିରିଜ୍ ଲୁଟ୍, ୧୬ଟି ଦୋକାନରୁ ଚୋରି କରିନେଲେ ଦୁର୍ବୃତ୍ତ
  • ||

ପୁରୀରେ ‘କାଳିଆ’ ମହାସମାବେଶ ଆଜି, ୧୨.୪୫ ଲକ୍ଷ ଆକାଉଣ୍ଟକୁ ଯିବ ଟଙ୍କା

source:www.livemint.com

ପୁରୀ, ୨୪ା୧(ବ୍ୟୁରୋ): ମାଲକାନଗିରିରୁ ମୟୂରଭଞ୍ଜ, କଟକରୁ କଳାହାଣ୍ଡି । ରାଜ୍ୟର ସବୁ ଅଞ୍ଚଳରୁ ଚାଷୀ ଏକାଠି ହେବେ । ଲକ୍ଷାଧିକ ଚାଷୀଙ୍କ ଗହଣରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷୀମାନଙ୍କ ପାଇଁ ଓଡ଼ିଶା ସରକାରଙ୍କର ସବୁଠାରୁ ବଡ଼ ଯୋଜନା ‘କାଳିଆ’ରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ହସ୍ତାନ୍ତର କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଶୁକ୍ରବାର ପୁରୀ ମାଳତିପାଟପୁର ନିକଟ ରାହାଙ୍ଗିରିଆ ପଡ଼ିଆରେ ଅନୁଷ୍ଠିତ ହେବ ଚାଷୀ ମହାସମାବେଶ । ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ୪୯୦ ଚାଷୀଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ପଠାଯିବ । ୨୧ ଲକ୍ଷ ଚାଷୀ ‘କାଳିଆ’ ସହାୟତା ପାଇବାକୁ ଆବେଦନ କରିଥିଲେ ମଧ୍ୟ ବଳକା ଚାଷୀ ସମ୍ପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଆବେଦନକାରୀଙ୍କ ତଥ୍ୟ ଯାଞ୍ଚ କରାଯାଇ ସହାୟତା ରାଶି ଦିଆଯିବ ବୋଲି ସରକାରୀ ଭାବେ କୁହାଯାଇଛି ।
‘କାଳିଆ’ ମହାସମାବେଶ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏ ମହାସମାବେଶରେ ରାଜ୍ୟର ପ୍ରାୟ ଦେଢ଼ ଲକ୍ଷ ଚାଷୀ ଯୋଗଦେବାର ବନ୍ଦୋବସ୍ତ କରାଯାଇଛି ବୋଲି ସରକାରୀ ଭାବେ ସୂଚନା ମିଳିଛି । କାର୍ଯ୍ୟସୂଚୀ ଅନୁସାରେ, ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଶ୍ରୀଜିଉଙ୍କ ଦର୍ଶନ ପରେ ମାଳତିପାଟପୁର ରାହାଙ୍ଗିରିଆ ଠାରେ କରାଯାଇଥିବା ସମାବେଶ ସ୍ଥଳକୁ ଆସିବେ । ସେଠାରେ ଚୟନ ହୋଇଥିବା ଚାଷୀମାନଙ୍କ ନିମନ୍ତେ କାଳିଆ ସହାୟତା ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନସଫର କରିବା ସହ ଉପସ୍ଥିତ ଚାଷୀଙ୍କୁ ସମ୍ବୋଧିତ କରି ଭୁବନେଶ୍ୱର ବାହୁଡିବେ ।
ଏକ କିଲୋମିଟର ଦୀର୍ଘ ପ୍ରାୟ ୧୨୦ ଏକର ଚାଷ ଜମିରେ ସମାବେଶ ନିମନ୍ତେ ବ୍ୟାପକ ବ୍ୟବସ୍ଥା ହୋଇଛି । ୪୦ ଏକର ଜମିରେ ପାର୍କିଂ ବ୍ୟବସ୍ଥା ହୋଇଛି । ୫ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କ ସମେତ ଜିଲ୍ଲାପାଳ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଦାରଖ ଦାୟିତ୍ୱରେ ଅଛନ୍ତି । ପୁଲିସ ପକ୍ଷରୁ ସମାବେଶ ସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗୁରୁବାର ଅପରାହ୍ନରେ ପୁଲିସ ଡିଜି ଡଃ ରାଜେନ୍ଦ୍ର ପ୍ରସାଦ ଶର୍ମା, ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ସମେତ ପୁଲିସ ବିଭାଗର ଅନ୍ୟ ବରିଷ୍ଠ ଅଫିସରମାନେ ସମାବେଶ ସ୍ଥଳ ପରିଦର୍ଶନ କରିଛନ୍ତି ।
ବିଶାଳ ସମାବେଶ ସ୍ଥଳରେ କାଳିଆ ଯୋଜନା ସହ ନବୀନ ସରକାର କରିଥିବା ବିଭିନ୍ନ ଜନହିତକର ଯୋଜନାର ପ୍ରଚାରପ୍ରସାର ନିମନ୍ତେ ବ୍ୟାପକ ହୋର୍ଡିଂ ଲଗାଯାଇଛି । ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିପାରିବା ଓ ଶୁଣିପାରିବା ନିମନ୍ତେ ୨୫ରୁ ଅଧିକ ଏଲ୍‌ଇଡି ଟିଭି ସହ ଡାକବାଜିଯନ୍ତ୍ର ଲଗାଯାଇଛି । ସମାବେଶ ସ୍ଥଳକୁ ଯିବା ନିମନ୍ତେ ସ୍ୱତନ୍ତ୍ର ଭାବେ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି । ଏ ସମାବେଶକୁ ସଫଳ କରିବାକୁ ସରକାରୀ ଅଧିକାରୀମାନେ ରାତିଦିନ ଏକ କରିଛନ୍ତି ।