ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀରେ ଦିଦି, ନୀଳଚକ୍ରରେ ଧ୍ୱଜା ବନ୍ଧା ଦେଖିବେ: ୨୩ରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା

ପୁରୀ/ ଭୁବନେଶ୍ୱର,୨୨/୦୩: ବୁଧବାର ଅପରାହ୍ନରେ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଜଗତମଙ୍ଗଳ ଉଦ୍ଦେଶ୍ୟରେ ତାଙ୍କ ନାମରେ ନୀଳଚକ୍ରରେ ଧ୍ୱଜା ବନ୍ଧା ହେବ । ପୁରୀରେ ହେବାକୁ ଥିବା ପଶ୍ଚିମବଙ୍ଗ ଅତିଥି ଭବନର ସ୍ଥାନ ନିରୂପଣ ପାଇଁ ବଳିଆପଣ୍ଡା ଗସ୍ତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ବୁଧବାର ପୂରାଦିନ ରହି ଗୁରୁବାର ଭୁବନେଶ୍ୱର ଯିବାର କାର୍ଯ୍ୟକ୍ରମ ରହିଛି । ପଶ୍ଚିମବଙ୍ଗ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅରୁଣ ବିଶ୍ୱାସ ଓ ବରିଷ୍ଠ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆସିଛନ୍ତି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଅପରାହ୍ନରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବା ପରେ ପୁରୀ ଗସ୍ତ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ । ପରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ସିଧା ପୁରୀ ଯାଇଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁରୀରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଜେଡ୍ ପ୍ଲସ୍ ସୁରକ୍ଷା ବଳୟରେ ସେ ପୁରୀରେ ପହଞ୍ଚିଥିଲେ । ନିର୍ମାଣ ନିବାସର ୨୦୫ ନମ୍ବର ରୁମ୍ରେ ସେ ବର୍ତ୍ତମାନ ଅବସ୍ଥାନ କରୁଛନ୍ତି । ବୁଧବାର ନିର୍ମାଣ ନିବାସରେ ବୈଠକ ଅନୁଷ୍ଠିତ ହୋଇ ଅତିଥି ଭବନ ବାବଦରେ ଆଲୋଚନା ହେବ । ଆବଶ୍ୟକ ହେଲେ କ୍ଷେତ୍ର ପରିଦର୍ଶନର କାର୍ଯ୍ୟକ୍ରମ ରହିବ । ୨୩ ତାରିଖରେ ସେ ଭୁବନେଶ୍ୱର ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ୨୩ ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ ମମତା ।
ଏହି ଅବସରରେ ମମତା ଗଣମାଧ୍ୟମକୁ କହିଛନ୍ତି, ନବୀନ ଜଣେ ବରିଷ୍ଠ ନେତା । ମୁଁ ଗୁରୁବାର ତାଙ୍କୁ ସାକ୍ଷାତ କରିବି । ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ସେ ଆସିଥିବା କହିଛନ୍ତି । ସେହିପରି ମମତାଙ୍କ ଗସ୍ତ ବେଳେ ତୃତୀୟ ସାମ୍ମୁଖ୍ୟ ନେଇ କୌଣସି ଆଲୋଚନା ହେବାର ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି ।
ବୁଧବାର ଠାକୁରଙ୍କ ବନକଲାଗି ନୀତି ରହିଛି । ଏହି ସମୟରେ ଠାକୁରଙ୍କ ଦର୍ଶନ ବନ୍ଦ ରହିଥାଏ । ଏଣୁ ବନକଲାଗି ନୀତି ଆରମ୍ଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବେ ବୋଲି ସୂଚନା ରହିଛି । ଅପରାହ୍ନ ପ୍ରାୟ ସାଢେ ୩ଟାରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିରରେ ପହଞ୍ଚିବେ । ସେଠାରେ ଛତିଶାନିଯୋଗ ବରିଷ୍ଠ ସେବାୟତମାନେ ତାଙ୍କୁ ସ୍ୱାଗତ କରିବେ । ଶ୍ରୀମନ୍ଦିର ପ୍ରଶାସକଙ୍କ ସହ ଦର୍ଶନ ସମୟରେ ବରିଷ୍ଠ ସେବାୟତ ଓ ତାଙ୍କ କୌଳିକ ପଣ୍ଡା ଉପସ୍ଥିତ ରହିବେ ।
ମୁଖ୍ୟମନ୍ତ୍ରୀଙ୍କ କୌଳିକ ପଣ୍ଡା ତଥା ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ଠାକୁରଙ୍କ ଶ୍ରୀଅଙ୍ଗଲାଗି ଖଣ୍ଡୁଆ ପ୍ରଦାନ କରି ତାଙ୍କୁ ଆଜି ସ୍ୱାଗତ କରିଥିଲେ । ଶ୍ରୀ ଦାସମହାପାତ୍ର କହନ୍ତି, କରୋନା କଟକଣା ଯୋଗୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ସେ ଆସିପାରି ନଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିରରେ ପ୍ରାୟ ୨ ଘଣ୍ଟା ରହିବେ । ନୀଳଚକ୍ରରେ ଧ୍ୱଜା ବନ୍ଧା ସହ ବ୍ରାହ୍ମଣ ଭୋଜନ, ବେଦ ପାଠ ଆଦି କାର୍ଯ୍ୟକ୍ରମ ରହିଛି । ପୁରୀରେ ପଶ୍ଚିମବଙ୍ଗ ଅତିଥିଭବନ ତାଙ୍କର ସ୍ୱପ୍ନ । ଏହି ପ୍ରସ୍ତାବ ବହୁପୁରୁଣା । ସ୍ଥାନ ନିରୂପଣ ହୋଇଗଲେ ଖୁବ୍ ଶୀଘ୍ର ସେଠାରେ ଅତିଥିଭବନ ନିର୍ମାଣ ହେବ । ସେଠାରେ କମ୍ ଭଡ଼ାରେ ପଶ୍ଚିମବଙ୍ଗର ଅତିଥିମାନେ ରହିପାରିବେ । ଏଥିସହ ପ୍ରତି ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରନ୍ତି । ୨୦୨୪ ନିର୍ବାଚନ ପୂର୍ବରୁ ଠାକୁର ଦର୍ଶନ ମଧ୍ୟ ପୁରୀ ଗସ୍ତର ଆଉ ଏକ କାରଣ ବୋଲି ଆଲୋଚନା ହେଉଛି ।
ଶ୍ରୀମନ୍ଦିର ଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଜଣେ ଡେପୁଟି କମାଣ୍ଡାଣ୍ଟ, ୨ ଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୩ ଜଣ ଡିଏସ୍ପି , ଇନ୍ସପେକ୍ଟର ୪ ଜଣ, ଏସ୍ଆଇ ଓ ଏଏସ୍ଆଇ ୧୦ ଜଣ ଓ ୪ ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ । ବାହାରେ ତାଙ୍କ ସୁରକ୍ଷା ପାଇଁ ୪ ପ୍ଲାଟୁନ୍ ଫୋର୍ସ ସହ ୫୦ ହୋମଗାର୍ଡ଼, ୨୫ ଜଣ ଏସ୍ଆଇ ଓ ଏଏସ୍ଆଇ, ୧୨ ଜଣ ଇନ୍ସପେକ୍ଟର ନିୟୋଜିତ ରହିବେ । ଏସ୍ପି କେ ବିଶାଲ ସିଂହଙ୍କ ତତ୍ତ୍ୱାବଧାନରେ ଏସବୁର ତଦାରଖ ୩ ଅତିରିକ୍ତ ଏସ୍ପିଙ୍କ ଉପରେ ନ୍ୟସ୍ତ ରହିଛି ।