ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଆଜି ଓଡ଼ିଶା ବନ୍ଦ: ମୁକାବିଲା ପାଇଁ ସରକାର ସଜାଗ

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ ଦାବିରେ ଆସନ୍ତାକାଲି ଓଡି଼ଶା ବନ୍ଦ ଡାକରା ଦେଇଛି ନବନିର୍ମାଣ କୃଷକ ସଂଗଠନ । ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏଥିରୁ ଓହରିବା ପାଇଁ ରାଜ୍ୟ ସରକାରଙ୍କ ଅନୁରୋଧକୁ ଫୁ କରି ଉଡ଼ାଇ ଦେଇଛି ନବନିର୍ମାଣ । ନିଜ ଜିଦ୍‌ରେ ଅଟଳ ରହି ବନ୍ଦ ପାଳନ ପାଇଁ ସଜବାଜ ହେଉଛି । ଶେଷରେ ବାଧ୍ୟ ହୋଇ ସରକାର ଆଇନଶୃଙ୍ଖଳା ଜଗିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଚାଷୀ ଓ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି ।
ସରକାରଙ୍କ ଧମକରେ ଡରିଯିବୁନି । କହିଛୁ ମାନେ ଓଡି଼ଶା ବନ୍ଦ କରିବୁ । ପଛକୁ ହଟିବାର ପ୍ରଶ୍ନ ଉଠୁନି । ଏମିତି ଚେତାବନୀ ଦେଇ ବନ୍ଦ ପାଳନ କରିବାକୁ ଅଣ୍ଟା ଭିଡି଼ଛି ନବନିର୍ମାଣ ସଂଗଠନ । ଆଜି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ସଂଯୋଜକ ଚାଷୀ ନେତା ଅକ୍ଷୟ କହିଛନ୍ତି, ପୂର୍ବ ନିଷ୍ପତ୍ତି ଅନୁସାରେ ଆସନ୍ତାକାଲି ହିଁ ବନ୍ଦ ପାଳନ ହେବ । ସମସ୍ତ ଜିଲ୍ଲା ଓ ସଦର ମହକୁମାରେ ସଂଗଠନର ଚାଷୀମାନେ ବିକ୍ଷୋଭ କରିବେ । ସରକାରଙ୍କ ନିବେଦନକୁ ଆମେ ଧ୍ୟାନ ଦେଇଛୁ । ପରୀକ୍ଷା କେନ୍ଦ୍ରକୁ ଯାଉଥିବା ଗାଡି଼କୁ ବାଟରେ ଅଟକାଯିବନି । ପରୀକ୍ଷାର୍ଥୀ ଓ ଅଭିଭାବକମାନଙ୍କୁ ମଧ୍ୟ ଛଡ଼ାଯିବ । ଆମ୍ବୁଲାନ୍ସ ସମେତ ଅନ୍ୟ ଅତ୍ୟାବଶ୍ୟକ ଗାଡ଼ିକୁ ମଧ୍ୟ ବାଟରେ ଅଟକାଇବୁନି । ଏଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେ ସଂଗଠନର ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି ।
ବନ୍ଦ ଡାକରାର ମୁକାବିଲା ପାଇଁ ସଜାଗ ରହିବାକୁ ପଡ଼ିବ । କୌଣସି ସ୍ଥାନରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ଉପୁଜିଲେ, ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଗୃହ ସଚିବ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗୃହବିଭାଗ ପକ୍ଷରୁ ପ୍ରକାଶିତ ଚିଠା ଅନୁସାରେ, ବନ୍ଦ ଡାକରାରେ ରାଜ୍ୟସାରା ଗାଡ଼ିମଟର, ରେଳ ଚଳାଚଳ ପ୍ରଭାବିତ ହୋଇପାରେ । ସଂଗଠନର କର୍ମୀ ପିକେଟିଂ କରି ଯାତାୟତ ବନ୍ଦ କରିପାରନ୍ତି । ବ୍ୟବସାୟିକ ପ୍ରତିଷ୍ଠାନ ସହ ସରକାରୀ ଅଫିସ, ବ୍ୟାଙ୍କ ଓ ଶିକ୍ଷାନୁଷ୍ଠାନଗୁଡିକରେ ପ୍ରଭାବ ପଡିବାର ଆଶଙ୍କା ରହିଛି । ମୁକାବିଲା ପାଇଁ ପୁରା ତୟାର ହୋଇ ଆଇନଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ରହିବା ଉପରେ ଧ୍ୟାନ ଦେବାକୁ ମଧ୍ୟ କୁହାଯାଇଛି । ସକାଳ ସାଢ଼େ ୯ଟା ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ସମସ୍ତ ଜିଲ୍ଲାର ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଓଡ଼ିଶା ବସ୍‌ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି, ବନ୍ଦ ଡାକରାରେ ସାମିଲ ପାଇଁ ସଂଘ ପକ୍ଷରୁ କିଛି ନିଷ୍ପତ୍ତି ନିଆଯାଇନି । ସବୁଦିନ ଭଳି ବସ୍‌ ଚଳାଚଳ ସ୍ୱାଭାବିକ ହେବ । ଯଦି, ଆନ୍ଦୋଳନକାରୀ ରାସ୍ତାଘାଟରେ ବାଧା ଉପୁଜାନ୍ତି, ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ । ସେହିପରି ଓଡିଶା ଅଟୋ ଚାଳକ ମହାସଂଘ ଓ ଟ୍ୟାକ୍ସି ମହାସଂଘ ମଧ୍ୟ ବନ୍ଦରେ ସାମିଲ ହେବେନି ବୋଲି ନିଷ୍ପତ୍ତି ନେଇଛନ୍ତି । ହେଲେ ରାଜଧାନୀ ସମେତ ପୁରୀ, କଟକରେ ଗଡୁଥିବା ‘ମୋ ବସ୍‌’ ବନ୍ଦ ରହିବ ବୋଲି ଜଣାପଡିଛି ।
ପୂର୍ବରୁ ବନ୍ଦକୁ ବିଜେପି ସମର୍ଥନ ଜଣାଇଥିବା ବେଳେ ଆଜି କଂଗ୍ରେସ ସଂଗଠନର ବନ୍ଦ ଡାକରାରେ ନୈତିକ ସମର୍ଥନ ଜଣାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଚାଷୀଙ୍କ ହକ୍‌ ପାଇଁ ନବନିର୍ମାଣ ଲଢ଼ୁଛି । ଏହି ଆନ୍ଦୋଳନକୁ ଦଳ ନୈତିକ ସମର୍ଥନ ଜଣାଉଛି । ହେଲେ ମାଟ୍ରିକ ପରୀକ୍ଷାରେ ବ୍ୟାଘାତ ନ ଆଣିବା ପାଇଁ ସେ ନିବେଦନ କରିଛନ୍ତି । ବିଜେପିର କୃଷକ ସେଲ୍‌ ସଭାପତି ସୁରଥ ବିଶ୍ୱାଳ କହିଛନ୍ତି, ଚାଷୀ ମାରଣ ନୀତି ବିରୋଧରେ ସଂଗଠନ ଉଠାଇଥିବା ସ୍ୱର ସହ ଆମେ ତାଳ ମିଳାଉଛୁ । ସରକାରଙ୍କ ଚାଷୀ ବିରୋଧୀ ଓ ଏକଛତ୍ରବାଦୀ ମାନସିକତାକୁ ଆମ ଦଳ ଦୃଢ ବିରୋଧ କରେ । ଓଡ଼ିଶା ନିଶା ଓ ମଦ ମୁକ୍ତ ଅଭିଯାନ, ପାରଳା ସ୍ୱାଭିମାନ ମଞ୍ଚ ସହ ଅନ୍ୟ ସଂଗଠନ ଆନ୍ଦୋଳନରେ ସାମିଲ ହେବେ ।
ଉତ୍କଳ ବିଶ୍ୱବିଦ୍ୟାଳୟ, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପରୀକ୍ଷା ବାତିଲ୍‌ କରାଯାଇଛି । ଘୁଞ୍ଚାଯାଇଥିବା ପରୀକ୍ଷାର ତାରିଖ ନେଇ ଖୁବଶୀଘ୍ର ଜଣାଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା ସ୍ନାତକ ଓ ସ୍ନାତକୋତ୍ତର ବିଭାଗର ମିଡ୍‌-ସେମିଷ୍ଟାର ପରୀକ୍ଷା ମାର୍ଚ୍ଚ ୬ରେ ହେବ । ସୋଆ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା ପରୀକ୍ଷାଗୁଡିକ ବାତିଲ ହୋଇଛି ।
ସୂଚନାଯୋଗ୍ୟ, ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ୍‌ ଦାବିରେ ସଂଗଠନ ୨୧ ତାରିଖରେ ବନ୍ଦ ଡାକରା ଦେଇଥିଲା । ମାଟ୍ରିକ୍‌ ପରୀକ୍ଷାରେ ସମସ୍ୟା ଉପୁଜିବା ଆଶଙ୍କା ଯୋଗୁଁ ଏଥିରୁ ନିବୃତ୍ତ ରହିବାକୁ ସରକାର ସଂଗଠନକୁ ନିବେଦନ କରିଥିଲେ । ଯଦି ଆନ୍ଦୋଳନରୁ ନ ଓହରନ୍ତି, ସଂଗଠନର ଚାଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.