ଆଜି ସୁବର୍ଣ୍ଣରେଖା ବନ୍ଦର ଭିତ୍ତିପ୍ରସ୍ତର: ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୩/୨: ରାଜ୍ୟ ସରକାରଙ୍କ ଦ୍ୱାରା ବାଲେଶ୍ୱରରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ନଦୀ ବନ୍ଦରର ଆଜି ଭିତ୍ତିପ୍ରସ୍ତର ପଡ଼ିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏ ବନ୍ଦର ବିକାଶ ପାଇଁ ପ୍ରାୟ ୫,୦୦୦ କୋଟି ଟଙ୍କା ନିବେଶ ହେବ । ଆଗାମୀ ୪-୫ ବର୍ଷ ମଧ୍ୟରେ ବନ୍ଦର କାର୍ଯ୍ୟକ୍ଷମ ହେବ ।
ଓଡ଼ିଶା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି କହିଛନ୍ତି, ସୁବର୍ଣ୍ଣରେଖା ନଦୀ ବନ୍ଦର ପ୍ରକଳ୍ପ ପାଇଁ ୬୯୨ ହେକ୍ଟର ଜମି ହସ୍ତାନ୍ତର କରାଯାଇଛି । ଅତିରିକ୍ତ ୧୫୦ ଏକର ଜମି (ଉଭୟ ସରକାରୀ ଓ ଘରୋଇ ଜମି) ହସ୍ତାନ୍ତର ଅପେକ୍ଷାରେ ରହିଛି । ଥରେ ୨୭ ଏକରରେ ବିକଶିତ ସଡ଼କକୁ ବନ୍ଦର ପ୍ରାଧିକରଣକୁ ମିଳିବା ପରେ ବନ୍ଦର ବିକାଶ କାର୍ଯ୍ୟ ଆରମ୍ଭ ହେବ ।
ଶ୍ରୀ ପାଢ଼ି କହିଛନ୍ତି, ଫେବ୍ରୁଆରୀ ୧୩ ଅର୍ଥାତ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁବର୍ଣ୍ଣରେଖା ନଦୀ ବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥିପାଇଁ ମୋଟ୍ ୫,୦୦୦ କୋଟି ଟଙ୍କା ପୁଞ୍ଜିନିବେଶ ହେବ ବୋଲି ଆକଳନ କରାଯାଉଛି ।
ସୁବର୍ଣ୍ଣରେଖା ନଦୀ ବନ୍ଦରକୁ ଏକ ସବୁଦିନିଆ ବନ୍ଦର ଭାବେ ବିକାଶ କରିବାକୁ ୨୦୦୮ରେ ଚେନ୍ନାଇଭିତ୍ତିକ କ୍ରିଏଟିଭ୍ ପୋର୍ଟ ଡେଭଲ୍ପମେଣ୍ଟ ଲିମିଟେଡ୍ (ସିପିଡିପିଏଲ୍) ରାଜ୍ୟ ସରକାରଙ୍କ ସହ ଚୁକ୍ତିବଦ୍ଧ ହୋଇଥିଲା । କିନ୍ତୁ ରାଜ୍ୟରେ ପ୍ରସ୍ତାବିତ ଏ ପ୍ରଥମ ନଦୀ ବନ୍ଦରରେ ୫୧% ଅଂଶୀଦାର ହେବାକୁ ୨୦୧୭ ଜାନୁଆରୀରେ ଟାଟା ଷ୍ଟିଲ୍ ସିପିଡିପିଏଲ୍ ପୃଷ୍ଠପୋଷକଙ୍କ ସହ ଚୁକ୍ତି କରିଛି ।
ଭିତ୍ତିପ୍ରସ୍ତର ପଡ଼ିବାକୁ ଥିବା ସୁବର୍ଣ୍ଣରେଖା ନଦୀ ବନ୍ଦରର ବିକାଶ ସମ୍ପର୍କରେ ଟାଟା ଷ୍ଟିଲ୍ ଗ୍ଲୋବାଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଟି ଭି ନରେନ୍ଦ୍ରନ୍ କହିଛନ୍ତି, ଆଗାମୀ କିଛି ମାସ ମଧ୍ୟରେ ବନ୍ଦର ନେଇ ରହିଥିବା ସବୁ ସମସ୍ୟାର ସମାଧାନ ହେବ । ଏହାପରେ ବନ୍ଦର ବିକାଶ କାମ ଆରମ୍ଭ ହେବ । ଏହାର ୪-୫ ବର୍ଷ ମଧ୍ୟରେ ବନ୍ଦର ନିର୍ମାଣ କାମ ଶେଷ ହେବ । ସୁବର୍ଣ୍ଣରେଖା ନଦୀ ବନ୍ଦର ବିକାଶ ପାଇଁ ଟାଟା ଷ୍ଟିଲ୍ ୨,୦୦୦ରୁ ୩,୦୦୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ।
ନରେନ୍ଦ୍ରନ୍ କହିଛନ୍ତି, ଏହି ବନ୍ଦର ପାଇଁ ପର୍ଯ୍ୟାପ୍ତ ସମ୍ଭାବନା ରହିଛି । ଏହା କେବଳ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ । ପ୍ରସ୍ତାବିତ ବନ୍ଦର ବାର୍ଷିକ ଅତିକମ୍ରେ ୨୫ ନିୟୁତ ଟନ୍ ମାଲ୍ ପରିଚାଳନାରେ ସମର୍ଥ ହେବ ବୋଲି ଟାଟା ଷ୍ଟିଲ୍ ପରିଚାଳନା ନିର୍ଦ୍ଦେଶକ ଆଶା ରଖିଛନ୍ତି ।