ଭୁବନେଶ୍ୱର,୩୦/୧୧ : ଦେଶ ବିଦେଶର ଶିଳ୍ପ ସମ୍ରାଟମାନଙ୍କୁ ସ୍ୱାଗତ କରିବାକୁ ଜନତା ମଇଦାନ ଏକ୍ଦମ୍ ତୟାର । ଗୋଟିଏ ମଞ୍ଚରେ ବସିବେ ଦେଶର ନାମୀଦାମୀ ଉଦ୍ୟୋଗପତି । ରାଜ୍ୟରେ ନିବେଶ ସମ୍ଭାବନାକୁ ନେଇ ସରକାରଙ୍କ ସହ କରିବେ ଚର୍ଚ୍ଚା । ରାଜ୍ୟର ସବୁଠାରୁ ବଡ଼ ନିବେଶକ ମହାକୁମ୍ଭରେ ଦେଶର ମହାଧନୀମାନେ ଓଡ଼ିଶାର ବିକାଶ ଯାତ୍ରାର କାର୍ପେଟ ବିଛାଇବେ । ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀର ତୃତୀୟ ସଂସ୍କରଣରୁ ବହୁ କିଛି ଆଶା ବାନ୍ଧିଛି ରାଜ୍ୟ । ଏଥର ୬ ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱର୍ ନିବେଶ ପ୍ରସ୍ତାବ ଆସିବା ନେଇ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।
ଶିଳ୍ପସଂଘ ଫିକି ସହଯୋଗରେ ଜନତା ମଇଦାନଠାରେ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଆୟୋଜନ କରାଯାଇଛି । ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ । ସମ୍ମିଳନୀରେ ଯୋଗ ଦେବା ପାଇଁ ରାଜଧାନୀ ଭୁବନେଶ୍ୱରକୁ ଦେଶ ବିଦେଶର ନାମୀଦାମୀ ଶିଳ୍ପମୁଖ୍ୟମାନଙ୍କ ସୁଅ ଛୁଟିଛି । ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ମହାକୁମ୍ଭ ‘ମେକ୍ ଇନ୍ ଓଡ଼ିଶା ୩.୦’କୁ ଉଦ୍ଘାଟନ କରିବେ । ପ୍ଲେନାରି ଅଧିବେଶନରେ ଯୋଗ ଦେବେ ବେଦାନ୍ତ ରିସୋର୍ସେସ ଲିମିଟେଡ୍ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ, ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ନିୱାସ ମିତ୍ତଲ, ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା, ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ଜେଏସ୍ପିଏଲ୍ ଅଧ୍ୟକ୍ଷ ନବୀନ ଜିନ୍ଦଲ, ଟାଟା ଷ୍ଟିଲ ଏମ୍ଡି ତଥା ସିଇଓ ଟି.ଭି. ନରେନ୍ଦ୍ରନଙ୍କ ସମେତ ନାମୀଦାମୀ ଶିଳ୍ପ ମହାରଥୀ । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହି ସୂଚନା ଦେଇଛନ୍ତି । ପୂର୍ବ ଦୁଇଟି ସଂସ୍କରଣରେ ମିଳିଥିବା ମୋଟ ନିବେଶ ତୁଳନାରେ ଏଥର ଅଧିକ ନିବେଶ ଆସିବ ବୋଲି ସେ କହିଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ, ଜାପାନ, ନର୍ୱେ, ଜର୍ମାନି, ଅଷ୍ଟ୍ରେଲିଆ, ନେପାଳ, ବାଂଲାଦେଶ, ଇଣ୍ଡୋନେସିଆରୁ ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରୁଛନ୍ତି । ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ୧୧,୬୦୦ରୁ ଊଦ୍ଧ୍ୱର୍ ପଞ୍ଜୀକରଣ ସରକାରଙ୍କ ପାଖକୁ ଆସିଥିବାବେଳେ ଆୟୋଜକଙ୍କ ପକ୍ଷରୁ ୧୨୪ ଜଣ ବକ୍ତାଙ୍କୁ ଚୟନ କରାଯାଇଛି । ତେବେ ୫ ଦିନ ଧରି ୩୮ଟି କାର୍ଯ୍ୟକ୍ରମ ରହିଥିବା ଶ୍ରୀ ଦେବ ସୂଚନା ଦେଇଛନ୍ତି । ନିବେଶକଙ୍କ ପାଇଁ ୨୫ଟି କ୍ଷେ ତ୍ରୀୟ ଅଧିବେଶନର ଆୟୋଜନ କରାଯାଇଛି । ପୂର୍ବ ଦୁଇଟି ସଂସ୍କରଣ ତୁଳନାରେ ବିପୁଳ ନିବେଶ ସାଉଁଟିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ୨୦୧୬ ଏବଂ ୨୦୧୮ ପୂର୍ବ ଦୁଇଟି ସଂସ୍କରଣରେ ଯଥାକ୍ରମେ ୨.୦୩ ଲକ୍ଷ କୋଟି ଏବଂ ୪ ଲକ୍ଷ କୋଟି ଟଙ୍କାର ନିବେଶ ଆଗ୍ରହ ଟାଣିଥିଲା ରାଜ୍ୟ ।
ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ଯେ, ଏହା ଏକ ବିଶାଳ କାର୍ଯ୍ୟକ୍ରମ, ଯେଉଁଠି ରାଜ୍ୟ ସରକାରଙ୍କ ୨୨ଟି ବିଭାଗ ଏକାଠି ହୋଇ କାର୍ଯ୍ୟ କରୁଛନ୍ତି । ପ୍ରତିନିଧି ଏବଂ ଅଂଶଗ୍ରହଣକାରୀଙ୍କ ପାଇଁ ପ୍ଲେନାରି ସେସନ୍, ଥିମ୍ଭିତ୍ତିକ ସେସନ୍, କ୍ଷେତ୍ରୀୟ ଅଧିବେଶନ, ବକ୍ତାମାନଙ୍କ ସୂଚୀ ସବୁକିଛି ମେକ୍ ଇନ୍ ଓଡ଼ିଶା ପୋର୍ଟାଲରେ ଉପଲବ୍ଧ ରହିଛି ।
ସୂଚନାଯୋଗ୍ୟ, କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଅଣ୍ଟା ଭିଡ଼ିଥିଲେ । ଗତ ୩ ମାସ ଧରି ତାଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ବିଭିନ୍ନ ମେଟ୍ରୋ ସହର ଯେପରି କୋଏମ୍ବାଟୁର, ଜାମ୍ସେଦପୁର, ଅହମ୍ମଦାବାଦ, ଲକ୍ଷେ୍ନø, ନୂଆ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦରେ ରୋଡ୍ ସୋ’ର ଆୟୋଜନ କରିଥିଲେ । ଏଥିରୁ ପାଇଥିବା ରେସ୍ପନ୍ସରୁ ଏଥର ସମ୍ମିଳନୀ ବଡ଼ ଧରଣର ହେବ ବୋଲି ଅନୁମାନ କରାଯାଇଛି । କେମିକାଲ, ପେଟ୍ରୋକେମିକାଲ, ଟେକ୍ଷ୍ଟାଇଲ, ଆପାରେଲ, ଖଣି, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି ଏବଂ ଆନୁଷଙ୍ଗିକ କ୍ଷେତ୍ରରୁ ନିବେଶ ଆଗ୍ରହ ଟାଣିପାରେ ରାଜ୍ୟ ।
ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ଗତ ଦୁଇଟି ସଂସ୍କରଣ ଠାରୁ ଚଳିତ ସଂସ୍କରଣରେ ଅଧିକ ନିବେଶ ମିଳିବ ବୋଲି ଆଶା । ଗତ ଦୁଇ ସଂସ୍କରଣରେ ଯଥାକ୍ରମେ ୨.୦୩ ଲକ୍ଷ କୋଟି ଏବଂ ୪ ଲକ୍ଷ କୋଟି ଟଙ୍କାର ନିବେଶ ଆଗ୍ରହ ରାଜ୍ୟ ସରକାର ପାଇଥିଲେ । ସେଥି ମଧ୍ୟରୁ ଯଥାକ୍ରମେ ୩୦% ଏବଂ ୪୦% ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ଚଳିତ ସଂସ୍କରଣରେ ୧୦୦ରୁ ଊଦ୍ଧ୍ୱର୍ ପ୍ରମୁଖ ନିବେଶକ ଯୋଗ ଦେବେ । ପ୍ରାୟ ୧୦୦ ରୁ ୧୩୦ ନିବେଶ ଆଗ୍ରହ ପାଇବା ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।
ରାଜ୍ୟ ସରକାର ଶିଳ୍ପକୁ ପ୍ରୋତ୍ସାହିତ କରିବା ଲାଗି ଏବେ ୭ ଅଗ୍ରାଧିକାର କ୍ଷେତ୍ର ଉପରେ କାମ କରୁଛନ୍ତି । ଏହା ମଧ୍ୟରେ ମେଟାଲ ଓ ମେଟାଲ୍ ଡାଉନ୍ଷ୍ଟ୍ରିମ, କେମିକାଲ, ପେଟ୍ରୋକେମିକାଲ,ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ,ପର୍ଯ୍ୟଟନ, ସବୁଜ ଶକ୍ତି ଭଳି କ୍ଷେତ୍ର ସାମିଲ ରହିଛି । ପେଟ୍ରୋକେମିକାଲ କ୍ଷେତ୍ର ପାରାଦୀପକୁ ପ୍ରମୁଖ ହବ୍ ଭାବେ ଗଢ଼ି ତୋଳିବା ଲକ୍ଷ୍ୟ ରହିଛି । ଏହାକୁ ଯୋଡ଼ି ବୟନ ଶିଳ୍ପର ଉନ୍ନତି ଦିଗରେ ରାଜ୍ୟ ସରକାର କାମ କରୁଛନ୍ତି ।
ପାରାଦୀପରେ ୧୯୦୦ କୋଟି ଟଙ୍କା ବିନିଯୋଗରେ ଆଇଓସିଏଲ୍ର ପଲିପ୍ରପିଲିନ୍ ପ୍ଲାଣ୍ଟ ହେଲେ ଏଥିରୁ ବୟନ ଶିଳ୍ପ ଲାଗି କଞ୍ଚାମାଲ ଆସିବ । ୨୦୨୫ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବାକୁ ଯୋଜନା ରହିଛି । ଏହା ହେଲେ ରାଜ୍ୟରେ ବୟନ ଶିଳ୍ପ ପ୍ରୋତ୍ସାହିତ ହେବ । ସବୁଜ ଶକ୍ତିକୁ ଅଗ୍ରାଧିକାର ଦେଇ ନୂଆ ନୀତି ଆଣିବେ ରାଜ୍ୟ ସରକାର । ସେ ପୁଣି କହିଛନ୍ତି, ୩ ଅଟୋମୋବାଇଲ କମ୍ପାନି ସହ ସରକାର ଆଲୋଚନା ଜାରି ରଖିଛନ୍ତି । କରୋନାରେ ରାଜ୍ୟ ସରକାର ୩ ଲକ୍ଷ କୋଟିର ନିବେଶ ଆଗ୍ରହ ପାଇଛନ୍ତି । ଏହା ସାରା ଦେଶରେ ସର୍ବାଧିକ । ରାଜ୍ୟ ସରକାର ଏକ ସମାବେଶି ଶିଳ୍ପାୟନ ଦିଗରେ କାର୍ଯ୍ୟ କରୁଛନ୍ତି । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ମାର୍ଚ୍ଚରୁ ନବରଙ୍ଗପୁରରେ କର୍ଣ୍ଣ ପାଉଡ଼ର ପ୍ଲାଣ୍ଟ ଆସିବ । ୨୦୨୮ ପରଠାରୁ ଓଡ଼ିଶା ଇସ୍ପାତ ଉତ୍ପାଦନରେ ଶ୍ରେଷ୍ଠ ରାଜ୍ୟ ହେବ । ଆଲୁମିନିୟମ, ଆଲୁମିନା ଏବଂ ଷ୍ଟେନଲେସ ଷ୍ଟିଲ୍ ଉତ୍ପାଦନରେ ରାଜ୍ୟ ପ୍ରମୁଖ ସ୍ଥାନରେ ରହିବ ।
ରାଜ୍ୟର ସ୍ଥିର ସରକାର, ଶିଳ୍ପ ଉପଯୋଗୀ ନୀତି, କୁଶଳୀ ଯୁବ ଶକ୍ତି, ବନ୍ଦର, ପ୍ରାକୃତିକ ସମ୍ପଦ, ସୁଦୀର୍ଘ ବେଳାଭୂମି ନିବେଶ ପରିବେଶକୁ ପ୍ରୋତ୍ସାହିତ କରୁଛି । ଏହାବାଦ ଗ୍ରୀନ ହାଇଡ୍ରୋଜେନ ଏବଂ ଗ୍ରୀନ ଆମୋନିଆ ଭଳି କ୍ଷେତ୍ରରେ ମଧ୍ୟ ନିବେଶ ଉତ୍ସାହିତ କରିବା ଦିଗରେ ଏବେ କାର୍ଯ୍ୟ କରାଯାଉଛି । ଫାର୍ମା, ବେସାମରିକ ବିମାନ ଚଳାଚଳ, ପ୍ରତିରକ୍ଷା ଭଳି କ୍ଷେତ୍ରଗୁଡିକୁ ପ୍ରୋତ୍ସାହିତ କରିବା ଲାଗି ବିଭିନ୍ନ ବ୍ୟବସ୍ଥା ଶିଳ୍ପ ନୀତିରେ କରାଯାଇଛି । ଯେଉଁମାନେ ଏଥିଲାଗି ଆଗ୍ରହ ପ୍ରକାଶ କରିବେ, ସେମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ଶ୍ରୀ ଦେବ ଉଲ୍ଲେଖ କରିଛନ୍ତି ।
ଶିଳ୍ପ ବିଭାଗ ସଚିବ ହେମନ୍ତ କୁମାର ଶର୍ମା କହିଛନ୍ତି, ଚଳିତ ବର୍ଷ ପର୍ଯ୍ୟଟନ, ଟେକ୍ସଟାଇଲ, କେମିକାଲ, ପେଟ୍ରୋକେମିକାଲ, ଆଇଟି, ଏମ୍ଏସ୍ଏମ୍ଇ, ଖାଦ୍ୟ ପ୍ରକ୍ରିୟାକରଣ ଭଳି କ୍ଷେତ୍ରଗୁଡିକୁ ଅଗ୍ରାଧିକାର ଦିଆଯାଉଛି । ଏହି ସବୁ କ୍ଷେତ୍ରଗୁଡିକରେ ନୂଆ ନୀତି ଘୋଷଣା କରାଯିବ । ଏ ସବୁ କ୍ଷେତ୍ରରେ ଶିଳ୍ପଗୁଡିକୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ଆନୁଷଙ୍ଗିକ କ୍ଷେତ୍ର, ସ୍କିଲିଂ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି କ୍ଷେତ୍ରଗୁଡିକୁ ମଧ୍ୟ ସରକାର ପ୍ରୋତ୍ସାହିତ କରିବେ । କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂ ଉପସ୍ଥିତ ଥିଲେ ।