ଭୁବନେଶ୍ୱର,୧୭/୦୪: ଗୁରୁବାର ଓଡ଼ିଶା  ଗସ୍ତରେ ଆସୁଛନ୍ତି କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ  ନୀତିନ ଗଡ଼କରୀ । ରାଜଧାନୀର ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା  ବିରାଟ ସଭାରୁ ସେ ୪ ହଜାର କୋଟି ଟଙ୍କାର ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭ କରିବେ । ରାଜ୍ୟର ପରିବହନ ବ୍ୟବସ୍ଥାକୁ ସୁଗମ  ପାଇଁ ନୂଆ ରାସ୍ତା ଓ ଭିତ୍ତିଭୂମି  ପ୍ରକଳ୍ପ ପାଇଁ ମଧ୍ୟ ସେ କିଛି ବଡ଼ ଘୋଷଣା କରିପାରନ୍ତି । 

କେନ୍ଦ୍ରମନ୍ତ୍ରୀ  ଶ୍ରୀ ଗଡ଼କରୀ ଦିନ ୧୦ଟା ୪୦ରେ  ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଦିନ ୧୧ଟାରେ କଟକ ଯାଇ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆୟୋଜିତ ହରେକୃଷ୍ଣ ମହତାବ ସ୍ମାରକୀ ବକ୍ତୃତାମାଳାରେ ସାମିଲ ହେବେ । ‘ଭିତ୍ତିଭୂମି ବିକାଶ ଏବଂ  ଓଡ଼ିଶା’ ଉପରେ ସେ ନିଜର ବକ୍ତବ୍ୟ  ରଖିବେ । ମହତାବଙ୍କ ୧୨୫ତମ  ଜନ୍ମ ଶତବାର୍ଷିକୀ ଅବସରରେ ଏହି କାର୍ଯ୍ୟକ୍ରମ ହେଉଛି । ଅପରାହ୍ନରେ  ଗଡ଼କରୀ ଭୁବନେଶ୍ୱର ଫେରିବେ । ଦିନ ୨ଟା ବେଳକୁ ମଞ୍ଚେଶ୍ୱରରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନରେ ଯିବେ । ଅପରାହ୍ନ ୩ଟା ବେଳକୁ ହୋଟେଲ ମେ  ଫେୟାରରେ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା  କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି ସମୀକ୍ଷା  ବୈଠକରେ ଉପସ୍ଥିତ ରହିବେ । ସାଢ଼େ ୪ଟା ବେଳକୁ ବରମୁଣ୍ଡା ପଡ଼ିଆରୁ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ । ୮୦୦  କୋଟି ଟଙ୍କା ବ୍ୟୟରେ ହୋଇଥିବା ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିବେ ।  ତାଳଚେରରୁ କାମାକ୍ଷନଗର ଯାଏ ହୋଇଥିବା ୪ ଲେନ୍‌ ରାସ୍ତା ପ୍ରକଳ୍ପକୁ  ସେ ରାଜ୍ୟ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବେ । ଏନଏଚ-୧୪୯ ଓ  ୫୩ରେ ତିଆରି ହୋଇଥିବା ଏହି ପ୍ରକଳ୍ପରେ ୭୯୫ କୋଟି ଟଙ୍କା ଖର୍ଚ୍ଚ  ହୋଇଛି । 

ସେହିଭଳି ବାଲିକୁଦା, ଶିଖରପୁର ଓ ବଡ଼ଚଣାରେ ହୋଇଥିବା  ଅଣ୍ଡରପାସ୍‌ର ମଧ୍ୟ ଲୋକାର୍ପଣ କରିବେ ।   ପ୍ରାୟ ୩୨୦୦ କୋଟି  ଟଙ୍କା ଖର୍ଚ୍ଚରେ ହେବାକୁ ଥିବା ୧୭ଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ  ସେ ଭିତ୍ତିପ୍ରସ୍ତର ଦେବେ । ୯୭୩ କୋଟି ଟଙ୍କା ଖର୍ଚ୍ଚରେ ବଅଁରପାଳ ଓ ଗୋଡ଼ିବନ୍ଧ ଜାତୀୟ ରାଜପଥକୁ ପ୍ରଶସ୍ତିକରଣ କରି ୪ ଲେନ୍‌ କରିବା,  ୭୧୮ କୋଟି ବ୍ୟୟରେ ଏନଏଚ୍‌-୫୯ରେ ଆସୁଥିବା ଦାରିଙ୍ଗିବାଡ଼ି ଘାଟି ରାସ୍ତାକୁ ପ୍ରଶସ୍ତ କରିବା, ୩୭୪ କୋଟି ଖର୍ଚ୍ଚରେ ଏନଏଚ୍‌-୧୦ରୁ  ମଙ୍ଗଳପୁରରୁ କାୟାଁଗୋଳା ଓ ଆରଡି ଜାତୀୟ ରାଜପଥର ପ୍ରଶସ୍ତିକରଣ  ପ୍ରକଳ୍ପ ପାଇଁ ଶ୍ରୀ ଗଡ଼କରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଝାରସୁଗୁଡ଼ାରେ  ମହାନଦୀ ଉପରେ ପୁଜରୀପାଲ୍ଲୀ ଘାଟରୁ ଜରିମୁଲ୍ଲିକୁ ନୂଆ ସେତୁ ନିର୍ମାଣ  ପ୍ରକଳ୍ପ ପାଇଁ ମଧ୍ୟ ଶିଳାନ୍ୟାସ ଦେବେ । ୨୭୪ କୋଟି ଟଙ୍କାରେ ଏହି  ପ୍ରକଳ୍ପ କାର୍ଯ୍ୟକାରୀ ହେବ । ସନ୍ଧ୍ୟା ୬ଟା ବେଳକୁ ସେ ଦିଲ୍ଲୀ ଫେରିଯିବାର  କାର୍ଯ୍ୟକ୍ରମ ରହିଛି ।