ଆଜି ରନ୍ ମେସିନ୍ କୋହଲି ଭାଙ୍ଗି ପାରନ୍ତି ତେନ୍ଦୁଲକରଙ୍କ ଏହି ରେକର୍ଡ

ନୂଆଦିଲ୍ଲୀ,୨୨।୬: ଆଜି ଆଫଗାନିସ୍ତାନ ଓ ଭାରତ ହେବାକୁ ଯାଉଛି ମୁକାବିଲା । ଭାରତ ବିଶ୍ବକପ୍ରେ ତାର ୪ଟି ମ୍ୟାଚ୍ରୁ ୩ଟି ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍ ବାତିଲ ହୋଇଛି । ଏହି ମ୍ୟାଚ ଉପରେ ଏବେ ସମସ୍ତଙ୍କର ନଜର ରହିଛି। କାରଣ ମ୍ୟାଚରେ ବିରାଟ କୋହଲି ଇତିହାସ ସୃଷ୍ଟି କରିପାରନ୍ତି ଓ ସଚିନ ତେନ୍ଦୁଲକରଙ୍କ ରେକର୍ଡ ମଧ୍ୟ ଭାଙ୍ଗି ପାରନ୍ତି। ବିରାଟ କୋହଲି ଆଜି ମ୍ୟାଚରେ ଯଦି ୧୦୪ ରନ୍ କରନ୍ତି ତେବେ ସବୁଠାରୁ ଦ୍ରୁତ ୨୦,୦୦୦ ଅନ୍ତଃର୍ଜାତୀୟ ରନ୍ ପୂରଣ କରିପାରନ୍ତି ଓ ଏହି ମାମଲାରେ ସେ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ପକାଇ ପାରନ୍ତି। ବିରାଟ କୋହଲି ଏପର୍ଯ୍ୟନ୍ତ ୪୧୪ଟି ଇନିଂସରେ ୧୯୮୯୬ ରନ କରିପାରିଛନ୍ତି।
ଏଥିରେ କୋହଲିଙ୍କ ୧୩୧ଟି ଟେଷ୍ଟ, ୨୨୧ଟି ଓ୍ବାନଡେ ଓ ୬୨ଟି ଟି-୨୦ ଇନିଂସ ରହିଛି। ବର୍ତ୍ତାମାନ ବିଶ୍ବ କ୍ରିକେଟରେ ଏହି ରେକର୍ଡ ବ୍ରାଏନ ଲାରା ଓ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ଏହି ଦୁଇ ଖେଳାଳି ୪୫୩ଟି ଇନିଂସରେ ୨୦,୦୦୦ ରନ୍ ପୂରଣ କରିଥିଲେ। ବର୍ତ୍ତମାନ ବିଶ୍ବକପରେ ଯଦି ଦୃଷ୍ଟି ଦେବା ତେବେ ବିରାଟ କୋହଲି ଖୁବ୍ ଭଲ ଫର୍ମରେ ରହିଛନ୍ତି। ସେ ଏପର୍ଯ୍ୟନ୍ତ ଦୁଇଟି ଅର୍ଦ୍ଧଶତକ କରିସାରିଛନ୍ତି, ତେଣୁ ଆଫଗାନିସ୍ତାନ ବିରୋଧରେ ମଧ୍ୟ ଏକ ବଡ ଇନିଂସ ଖେଳି ପାରନ୍ତି।
ବିରାଟ କୋହଲି ସେହି ବ୍ୟାଟସମ୍ୟାନ ଯାହାଙ୍କର ବ୍ୟାଟ୍ ଚାଲିବା ହେତୁ କ୍ରିକେଟ ପଡିଆରେ ରନର ବର୍ଷା ହୋଇଥାଏ। ବିଶ୍ବକପ ପୂର୍ବରୁ ଆଶା କରାଯାଉଥିଲା ଯେ, କୋହଲିଙ୍କ ବ୍ୟାଟ୍ ଖୁବ୍ ଧୂଆଁଧାର ଭାବରେ ଚାଲିଛି। ସେଭଳି ବ୍ୟାଟିଂ କୋହଲି ଏପର୍ଯ୍ୟନ୍ତ କରିନଥିବାରୁ ଆଶା କରାଯାଉଛି ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ କୋହଲି ବଡ ସ୍କୋର କରିପାରନ୍ତି। ଆଫଗାନିସ୍ତାନ ବିରୋଧରେ ଭାରତୀୟ ଟିମ୍ ବଡ ସଫଳତା ପାଇବାକୁ ଚାହିଁବ। ଭାରତ ପାଖରେ ରନ୍ ରେଟ୍ ସୁଧାରିବାର ଏହା ହେଉଛି ସବୁଠୁ ବଡ ଫାଇଦା। ଏହି ଟୁର୍ଣ୍ଣାମେଣ୍ଟରେ ବିରାଟ ସେନା ୪ର୍ଥ ସ୍ଥାନରେ ରହିଥିବା ବେଳେ ୭ ପଏଣ୍ଟ ପାଇଛି। ସେଭଳି ଟିମ୍ ଇଣ୍ଡିଆର ରନ୍ ରେଟ୍+ ୧.୦୨୯ ରହିଛି।