କଟକ,୧୬/୧୧: ବାରଙ୍ଗ କାର୍ତ୍ତିକେଶ୍ୱର ଭସାଣି ପାଇଁ ଶନିବାର ତ୍ରିଶୂଳିଆ ଆଖାପାଖ ଅଞ୍ଚଳରେ ସାଂଘାତିକ ଟ୍ରାଫିକ୍ ଜାମ୍ ହୋଇଥିଲା । ଦୀର୍ଘ ସମୟ ଗାଡ଼ିଗୁଡ଼ିକ ଜାମ୍‌ରେ ଫସି ରହିଥିଲେ । ଏଥିପାଇଁ ରବିବାର ଭସାଣିର ଶେଷ ଦିନ। ତେଣ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି।

ଭୁବନେଶ୍ୱରରୁ ଭାୟା ନନ୍ଦନକାନନ ହୋଇ ତ୍ରିଶୂଳିଆ ଓ କଟକ ଆସୁଥିବା ଗାଡ଼ିଗୁଡ଼ିକ ସିଧାସଳଖ କଟକ ଆସି ପାରିବେ ନାହିଁ । ଏହି ଗାଡ଼ିଗୁଡ଼ିକ ବାରଙ୍ଗ ଥାନା ସମ୍ମୁଖରେ ଥିବା ରତାଗଡ଼ ରାସ୍ତାରେ ଯାଇ ନରାଜ ପାହାଡ଼ ଉପରେ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ କଡ଼ରେ ଆଗକୁ ବଢ଼ିବେ । ଏହା ପରେ ନରାଜ ବ୍ୟାରେଜ୍ ହୋଇ ସିଡିଏ ରାସ୍ତାରେ ବେଲିଭିଉ ପାଖରେ ପହଞ୍ଚିବେ । ଏହି ରାସ୍ତା ଲମ୍ବା ରହିବ । ତେଣୁ ଗାଡ଼ି ଚାଳକଙ୍କୁ ଟ୍ରାଫିକ୍ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ଯେ, କଟକ ଆସିବାକୁ ଚାହୁଁଥିଲେ ରବିବାର ଦିନ ଜାତୀୟ ରାଜପଥକୁ ବ୍ୟବହାର କରନ୍ତୁ । ଅନ୍ୟପଟେ କଟକରୁ ଭୁବନେଶ୍ୱର ଯିବାକୁ ଥିବା ଗାଡ଼ିଗୁଡ଼ିକ ପୂର୍ବଭଳି ଯାଇପାରିବେ । ମାତ୍ର ଏହି ରୁଟ୍‌ରେ ଭାରୀଯାନ ଅର୍ଥାତ ଟ୍ରକ୍, ଟ୍ରାକ୍ଟର ଓ ବସ୍‌ଗୁଡ଼ିକ ଯାଇ ପାରିବ ନାହିଁ । ବାଲିକୁଦା ରେଳ ଓଭରବ୍ରିଜ୍‌ର ଶନିମନ୍ଦିର ପାଖରେ ଓ ବେଲିଭିଉ ଛକ ଅର୍ଥାତ୍ ଜୁଡିସିଆଲ୍ ଏକାଡେମୀ ପାଖରେ ଏହି ଗାଡ଼ିଗୁଡ଼ିକ ଛଡ଼ାଯିବ ନାହିଁ । ଏହି ଗାଡ଼ିକୁ ଭୁବନେଶ୍ୱର ଯିବା ପାଇଁ ଜାତୀୟ ରାଜପଥରେ ଛଡ଼ାଯିବ । ଏହି କଟକଣା ଦିନ ୨ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଜାରି ରହିବ ।