PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ପାରାଅଲିମ୍ପିକ୍ସର ୫୩ ବର୍ଷ ଇତିହାସରେ ଭାରତ ଜିତିଥିଲା ୧୨ଟି ମେଡାଲ, ଏବେ ଗୋଟିଏ ବର୍ଷରେ ଜିତିଲା ୧୯ଟି ପଦକ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ପରେ ପାରାଲିମ୍ପିକ୍ସରେ ମଧ୍ୟ ଭାରତୀୟ ଦଳ ରେକର୍ଡ଼ ପଦକ ଜିତି ଇତିହାସ ରଚିଛି । ରବିବାର କ୍ରୀଡ଼ା ସମାରୋହର ଅନ୍ତିମ ଦିବସରେ ୨ଟି ପଦକ ସହ ଭାରତ ମୋଟ ୧୯ଟି ପଦକ ଜିତି ସ୍ମରଣୀୟ ଯାତ୍ରା ଶେଷ କରିଛି । ସେଥିମଧ୍ୟରେ ୫ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଏବଂ ୬ଟି ବ୍ରୋଞ୍ଜ ପଦକ ସାମିଲ ରହିଛି । ପଦକ ତାଲିକାରେ ଭାରତ ୨୪ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛି । ପୂର୍ବରୁ ପାରାଲିମ୍ପିକ୍‌ରେ ଭାରତ ମାତ୍ର ୧୨ଟି ପଦକ ଜିତିଥିଲା । ଟୋକିଓରେ ଦଳ ପ୍ରଥମଥର ପଦକରେ ଦୁଇଅଙ୍କ ଟପିବା ସହ ମୋଟ ପଦକ ରେକର୍ଡ଼କୁ ବି ଟପି ଯାଇଛି।

ଅନ୍ତିମ ଦିବସରେ ରବିବାର ଭାରତ ପାଖରେ ୫ଟି ପଦକ ସୁଯୋଗ ରହିଥିଲା । ବ୍ୟାଡ଼ମିଣ୍ଟନର ପୁରୁଷ ସିଙ୍ଗଲ୍ସ ଏସ୍‌ଏଚ୍‌-୬ କ୍ଲାସ ଇଭେଣ୍ଟରେ କ୍ରିଷ୍ଣା ନାଗର ଭାରତକୁ ପଞ୍ଚମ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିବାବେଳେ ସୁହାସ ୟଥିରାଜ ପୁରୁଷ ସିଙ୍ଗଲ୍ସ ଏସ୍‌ଏଲ୍‌-୪ କ୍ଲାସ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଥିଲେ । କ୍ରିଷ୍ଣା ଫାଇନାଲ୍‌ରେ ୨୧-୧୭, ୧୬-୨୧, ୨୧-୧୭ ଗେମ୍‌ରେ ହଂକଂର ଚୁ ମାନ୍‌ କାଇଙ୍କୁ ପରାଜିତ କରିଥିଲେ । ଏହି ବିଜୟ ସହ ସେ ଟୋକିଓରେ ଓଡ଼ିଶାର ପ୍ରମୋଦ ଭଗତଙ୍କ ପରେ ଦ୍ୱିତୀୟ ଖେଳାଳି ଭାବେ ଅପରାଜେୟ ସାବ୍ୟସ୍ତ ହୋଇଥିଲେ । ଶନିବାର ପ୍ରମୋଦ ଏସ୍‌ଏଲ୍‌-୩ କ୍ଲାର୍ସ ଇଭେଣ୍ଟରେ ଭାରତକୁ ବ୍ୟାଡ଼ମିଣ୍ଟନ କ୍ରୀଡ଼ାରେ ଐତିହାସିକ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିଲେ । ଏସ୍‌ଏସ୍‌-୬ କ୍ଲାସ୍‌ ଇଭେଣ୍ଟର ତୃତୀୟ ସ୍ଥାନ ମ୍ୟାଚ୍‌ରେ ତରୁଣ ଇଣ୍ଡୋନେସିଆର ଫ୍ରୋଡ୍‌ ସେତିୱାନ୍‌ଙ୍କ ନିକଟରୁ ହାରି ବ୍ରୋଞ୍ଜ ପଦକ ହାତଛଡ଼ା କରିଥିଲେ ।

ଏସ୍‌ଏଚ୍‌-୪ କ୍ଲାସ ଇଭେଣ୍ଟ ଫାଇନାଲ୍‌ରେ ସୁହାସ ଫ୍ରାନ୍ସର ଲୁକାସ ମାଜୁରଙ୍କୁ ଭେଟିଥିଲେ । ସେ ୨୧-୧୫, ୧୭-୨୧, ୧୫-୨୧ ଗେମ୍‌ରେ ଲୁକାସଙ୍କ ନିକଟରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ । ନୋଏଡା ଜିଲ୍ଲା ମାଝିଷ୍ଟ୍ରେଟ୍‌ ସୁହାସ ପ୍ରଥମ ଗେମ୍‌ ଜିତି ଅଭିଯାନ ଆରମ୍ଭ କରିଥିଲେ ହେଁ ପରବର୍ତ୍ତୀ ୨ଟି ଗେମ୍‌ରେ ଲଢ଼ୁଆ ପ୍ରଦର୍ଶନ ସତ୍ତେ୍ୱ ପରାଜୟର ସମ୍ମୁଖୀନ ହୋଇଥିଲେ । ଅନ୍ୟ ପଟରେ ଏସ୍‌ଏଲ୍‌୩-ଏସ୍‌ଏଲ୍‌୫ ବର୍ଗ ମିକ୍ସଡ୍‌ ଡବଲ୍ସରେ ପ୍ରମୋଦ ଓ ପଲକ କୋହଲି ଯୋଡ଼ି ବ୍ରୋଞ୍ଜ ପଦକ ହାତଛଡ଼ା କରିଥିଲେ । ପ୍ରମୋଦ-ପଲକ ଯୋଡ଼ି ୨୧-୨୩, ୧୯-୨୧ ଗେମ୍‌ରେ ଜାପାନର ଆକିକୋ ସୁଗିନୋ ଓ ଡାଇସୁକେ ଫୁଜିହାରା ଯୋଡ଼ିଙ୍କଠୁ ପରାଜିତ ହୋଇଥିଲେ । ସୁଟିଂ କ୍ରୀଡ଼ାର ଏସ୍‌ଏସ୍‌-୧ ବର୍ଗର ମିକ୍ସଡ୍‌ ଜେଣ୍ଡର ୫୦ମିଟର ରାଇଫଲ୍‌ ପ୍ରୋନ୍‌ ଇଭେଣ୍ଟରେ ଭାରତର ଅବନି ଲେଖରା, ଦୀପକ ଓ ସିଦ୍ଧାର୍ଥ ବାବୁ ନିରାଶ କରିଥିଲେ ।

ରୌପ୍ୟରୁ ଆରମ୍ଭ, ରୌପ୍ୟରେ ଶେଷ:

ଭାରତୀୟ କ୍ରୀଡ଼ା ଇତିହାସରେ ଟୋକିଓ ପାରାଲିମ୍ପିକ୍ସ ସବୁବେଳେ ସ୍ମରଣୀୟ ହୋଇ ରହିବ । ପ୍ରଥମ ପଦକ ଦିବସରୁ ଆରମ୍ଭ କରି ଅନ୍ତିମ ଦିବସ ପର୍ଯ୍ୟନ୍ତ ଭାରତୀୟ ପ୍ରତିଯୋଗୀ ପ୍ରଭାବୀ ପ୍ରଦର୍ଶନ ଜାରି ରଖି ରେକର୍ଡ଼ ପଦକ ହାତେଇଥିଲେ । ଟୋକିଓରେ ଭାରତ ଅଭିଯାନ ରୌପ୍ୟରୁ ଆରମ୍ଭ ହୋଇ ରୌପ୍ୟରେ ଶେଷ ହୋଇଥିଲା । ମହିଳା ଟେବୁଲ ଟେନିସ୍‌ କ୍ଲାସ୍‌-୪ ଇଭେଣ୍ଟରେ ଭାବିନା ପଟେଲ ରୌପ୍ୟ ଜିତି ଭାରତର ପଦକ ଖାତା ଖୋଲିଥିବାବେଳେ ଅନ୍ତିମ ଦିବସରେ ସୁହାସ ରୌପ୍ୟ ପଦକ ଅକ୍ତିଆର କରିଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲ କ୍ରୀଡ଼ା ଦିବସ (ଅଗଷ୍ଟ ୨୯)ରେ ଭାରତୀୟ ପ୍ରତିଯୋଗୀ ୩ଟି ପଦକ ଜିତିବାରେ ସଫଳ ହୋଇଥିଲେ ।

୫୪ଜଣିଆ ଦଳରୁ ୧୭ ଜିତିଲେ ପଦକ ଏଥର ଟୋକିଓରେ ଭାରତରୁ ସର୍ବାଧିକ ୫୪ଜଣିଆ ଦଳ ଭାଗ ନେଇଥିଲେ । ସେଥିମଧ୍ୟରୁ ୧୭ଜଣ ପଦକ ହାତେଇବାରେ ସଫଳ ହୋଇଛନ୍ତି । ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତର ୧୯ଜଣିଆ ଦଳ ରେକର୍ଡ଼ ୪ଟି ପଦକ ହାସଲ କରିଥିଲେ । କିନ୍ତୁ ଟୋକିଓରେ ଦଳର ପ୍ରଦର୍ଶନ ଅବିଶ୍ୱସନୀୟ ରହିଥିଲା । ଦୁଇଜଣ ଭାରତୀୟ ଆଥଲେଟ୍‌ ପାରାଲିମ୍ପିକ୍ସର ଗୋଟିଏ ସଂସ୍କରଣରେ ଡବଲ୍‌ ପଦକ ଜିତି ଇତିହାସ ରଚିଥିଲେ । ସୁଟିଂ କ୍ରୀଡ଼ାରେ ଅବନି ଲେଖରା ୨ଟି (ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ) ଏବଂ ସିଂହରାଜ ଅଧାନା ୨ଟି (ଗୋଟିଏ ରୌପ୍ୟ, ଗୋଟିଏ ବ୍ରୋଞ୍ଜ) ପଦକ ହାତେଇ ଥିଲେ । ଅବନି ମହିଳା ୧୦ମିଟର ଏୟାର ରାଇଫଲ୍‌ ଷ୍ଟାଣ୍ଡାର୍ଡ଼ ଏସ୍‌ଏଚ୍‌-୧ ଇଭେଣ୍ଟରେ ସ୍ୱର୍ଣ୍ଣ, ଏବଂ ମହିଳା ୫୦ମିଟର ରାଇଫଲ୍‌ ଥ୍ରୀ ପୋଜିସନ ଏସ୍‌ଏଚ୍‌-୧ରେ ବ୍ରୋଞ୍ଜ ପଦକ ଜିତିଥିବାବେଳେ ସିଂହରାଜ ମିକ୍ସଡ୍‌ ୫୦ମିଟର ପିସ୍ତଲ ଏସ୍‌ଏଚ୍‌-୧ରେ ରୌପ୍ୟ ଏବଂ ପୁରୁଷ ୧୦ମିଟର ଏୟାର ପିସ୍ତଲ ଏସ୍‌ଏଚ୍‌-୧ରେ ବ୍ରୋଞ୍ଜ ପଦକ ହାତେଇଥିଲେ ।