ନୂଆଦିଲ୍ଲୀ,୨୪/୦୩:ଭୂକମ୍ପ ଝଟକାରେ ଥରିଲା ଟୋଙ୍ଗା। ଓସେନିଆ ମହାଦେଶର ଟୋଙ୍ଗା ଅଞ୍ଚଳ ନିକଟସ୍ଥ ନେୟାଫୁରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୭.୬ ରେକର୍ଡ କରାଯାଇଛି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ଭୂମିକମ୍ପର ଗଭୀରତା ୨୩୫ କିଲୋମିଟରରୁ ଅଧିକ ଥିବା ଜଣାପଡିଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।
ଟୋଙ୍ଗା ହେଉଛି ୧୭୧ଟି ଦ୍ୱୀପପୁଞ୍ଜକୁ ନେଇ ଗଠିତ ଏକ ଦ୍ୱୀପ ରାଷ୍ଟ୍ର। ଏହା ଅଷ୍ଟ୍ରେଲିଆର ପୂର୍ବ ଉପକୂଳରୁ ପ୍ରାୟ ୩,୫୦୦ କିଲୋମିଟର ଦୂରରେ ଅବସ୍ଥିତ। ଆମେରିକାର ଭୂତତ୍ତ୍ୱ ସର୍ଭେ ଅନୁସାରେ, ଦକ୍ଷିଣ ପ୍ରଶାନ୍ତ ମହାସାଗରର ଟୋଙ୍ଗାର ନେୟାଫୁରୁ ପ୍ରାୟ ୧୫୩ କିଲୋମିଟର ପଶ୍ଚିମରେ ଏହି ଭୂମିକମ୍ପ ହୋଇଥିଲା। USGS ତଥ୍ୟ ଅନୁଯାୟୀ, ସ୍ଥାନୀୟ ସମୟ ୯ଟା ୩୭ ରେ ଏହି ଭୂମିକମ୍ପ ହୋଇଥିଲା। ଏହି ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମି ଚେତାବନୀ ଜାରି କରାଯାଇଛି। ପ୍ରଶାନ୍ତ ମହାସାଗର ସୁନାମି ସତର୍କତା କେନ୍ଦ୍ର କହିଛି ଯେ ଭୂମିକମ୍ପ ଗଭୀର ଭୂତଳରେ ହୋଇଛି। ଗୋଟିଏ ଦିନ ପୂର୍ବରୁ ଟୋଙ୍ଗାର ହିହିଫୋରେ ୬.୨ ତୀବ୍ରତାର ଏକ ଭୂମିକମ୍ପ ହୋଇଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁସାରେ, ଏହି ଭୂମିକମ୍ପ ୭୯.୭ କିଲୋମିଟର ଗଭୀରତାରେ ଘଟିଥିଲା।
ଆହୁରି ପଢନ୍ତୁ-ଦୁବାଇରେ ଧରାପଡିଲା ଭାରତର ମୋଷ୍ଟ ୱାଣ୍ଟେଡ ଡ୍ରଗ୍ସ ମାଫିଆ, ଏନସିବିର ରେଡ୍ କର୍ଣ୍ଣର ନୋଟିସ ଜାରି
ସେହିପରି ଏହା ପୂର୍ବରୁ, ସୋମବାର ଅର୍ଥାତ୍ ୨୩ ମାର୍ଚ୍ଚ ଅପରାହ୍ନରେ ନେପାଳରେ ମଧ୍ୟ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଭୂକମ୍ପର କେନ୍ଦ୍ରସ୍ଥଳ ବଝାଙ୍ଗର ରୟାଲ ଅଞ୍ଚଳ ନିକଟରେ ଅବସ୍ଥିତ। ନେପାଳ ବର୍ଷକୁ ଅନେକ ଥର ଭୂମିକମ୍ପ ଅନୁଭବ କରେ ଏବଂ ଏହା ସବୁଠାରୁ ସକ୍ରିୟ ଟେକ୍ଟୋନିକ୍ ଜୋନ୍ ମଧ୍ୟରୁ ଗୋଟିଏରେ ଅବସ୍ଥିତ, ଯାହା ଏହାକୁ ଭୂମିକମ୍ପ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ କରିଥାଏ। ବିଶ୍ୱର ସର୍ବାଧିକ ଭୂମିକମ୍ପ ବିପଦ ଥିବା ଦେଶ ତାଲିକାରେ ନେପାଳ ୧୧ତମ ସ୍ଥାନରେ ଅଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ଏକ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୨୨ ତାରିଖରେ ସିକିମରେ ୪.୧ ତୀବ୍ରତାର ଏକ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଶନିବାର ରାତି୮ଟା ୪୧ ରେ ହୋଇଥିବା ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ମାଙ୍ଗାନ ଜିଲ୍ଲାରେ ଭୂପୃଷ୍ଠରୁ ୧୪ କିଲୋମିଟର ତଳେ ଅବସ୍ଥିତ ଥିଲା।