ନୂଆଦିଲ୍ଲୀ ୧୮/୦୫: ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଦ କ୍ୱାଲିଟି ଅଫ୍‌ ଲାଇଫ୍‌ର ଗବେଷକମାନେ ୨୦୨୫ର ସବୁଠୁ ସୁଖୀ ସହର ତାଲିକା  ଜାରି କରିଛନ୍ତି । ନାଗରିକ, ପ୍ରଶାସନ, ପରିବେଶ, ଅର୍ଥନୀତି, ସ୍ୱାସ୍ଥ୍ୟ ଓ ଗତିଶୀଳତା ଭଳି ୬ ବିଭାଗ ସମେତ ଖୁସିର ୮୨ ସଙ୍କେତ  ଆଧାରରେ ସେମାନେ ଏହି ତାଲିକା ପ୍ରସ୍ତୁତ  କରିଛନ୍ତି । ତାଲିକାରେ  ସ୍ପଷ୍ଟ କରାଯାଇଛି ଯେ  କୌଣସି ସହରକୁ ସବୁଠୁ ସୁଖୀ ଭାବେ  ବିବେଚନା କରିବା ଉଚିତ୍‌ ନୁହେଁ । ଏହା ବଦଳରେ ଗବେଷକମାନେ ୩୧  ସହରକୁ ‘ଗୋଲ୍ଡ ସିଟି’ ତାଲିକାରେ ସ୍ଥାନୀତ କରିଛନ୍ତି । ଏହି ସହର ଖୁସିର ସାମଗ୍ରୀକ ମାନଦଣ୍ଡକୁ ପୂରଣ  କରିଛନ୍ତି । 

ଗୋଲ୍ଡ ସିଟି ତାଲିକାର ଶୀର୍ଷରେ ଅଛି ଡେନ୍‌ମାର୍କର କୋପେନ୍‌ହେଗନ୍‌ । ସାମଗ୍ରିକ ଖୁସିର ସର୍ବୋଚ୍ଚ ଅଙ୍କ ଏହା ହାସଲ କରିଛି । ପରିବେଶ ବିଭାଗରେ ଏହା  ଭଲ ଅଙ୍କ ପାଇଛି । ସବୁଜ ପରିବେଶ, ସ୍ଥାୟୀତ୍ୱ ଓ  ବର୍ଜ୍ୟ ପରିଚାଳନାରେ ଏହା ଅଧିକ ଅଙ୍କ ହାସଲ  କରିଛି । ଅର୍ଥନୀତି ବିଭାଗରେ ମଧ୍ୟ ଏହାକୁ ଭଲ  ଅଙ୍କ ମିଳିଛି । ତାଲିକାର ୨ୟ ସ୍ଥାନରେ ଅଛି ଜ୍ୟୁରିଚ୍‌ ।  ୩ୟରେ ସିଙ୍ଗାପୁର ସ୍ଥାନ ପାଇଛି । ୪ର୍ଥ, ୫ମ, ୬ଷ୍ଠ ଓ ୭ମ ସ୍ଥାନରେ ଯଥାକ୍ରମେ ଡେନ୍‌ମାର୍କର ଆରହସ୍‌,  ବେଲ୍‌ଜିୟମ୍‌ର ଅଣ୍ଟ୍‌ୱର୍ପ, ଦକ୍ଷିଣ କୋରିଆର ସିଓଲ  ଓ ସ୍ୱିଡେନ୍‌ର ଷ୍ଟକ୍‌ହୋମ୍‌ ଅଛି । ୮ମରେ ତାଇୱାନ୍‌ର  ତାଇପେ, ୯ମରେ ଜର୍ମାନୀର ମ୍ୟୁନିଚ୍‌ ଓ ୧୦ମ ସ୍ଥାନରେ  ନେଦରଲାଣ୍ଡ୍‌ସର ରୋଟରଡାମ୍‌ ରହିଛି ।