ରାଉରକେଲା,: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ପୁଲିସ୍ ମୁଖ୍ୟାଳୟରେ ଗୁରୁବାର ୨୦ ଜଣ ନକ୍ସଲ ଆତ୍ମସମର୍ପଣ କରିବେ । ଏହି ନକ୍ସଲଙ୍କ ମଧ୍ୟରେ ମାଓନେତା ମିସିର ବେସ୍ରା ରହିଥିବା ସୂଚନା ମିଳିଛି । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଞ୍ଚି ବସ୍ଷ୍ଟାଣ୍ଡରୁ ଆରମ୍ଭ କରି ରେଳ ଷ୍ଟେସନ ପର୍ଯ୍ୟନ୍ତ ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଦୀର୍ଘ ୪ ଦଶନ୍ଧି ଧରି ଓଡ଼ିଶା, ଝାଡ଼ଖଣ୍ଡ ଏବଂ ବିହାର ରାଜ୍ୟରେ ପୁଲିସ୍ର ନିଦ ହଜାଇ ଦେଇଛନ୍ତି ମାଓ ସଂଗଠନର କେନ୍ଦ୍ରୀୟ କମିଟି ସଦସ୍ୟ ମିସିର, ଅସୀମ ମଣ୍ଡଳ । ସେମାନଙ୍କ ମୁଣ୍ଡ ଉପରେ ଓଡ଼ିଶା ସରକାର ୧ କୋଟି ୨୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ଝାଡ଼ଖଣ୍ଡ ସରକାର ୧ କୋଟି ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି । ତେବେ ସରଣ୍ଡା, କୋହ୍ଲାନ, ପୋଡ଼ାହାଟର ଘଞ୍ଚ ଜଙ୍ଗଲରେ ଏମାନେ ସହଯୋଗୀଙ୍କ ସହ ଆଡ୍ଡା ଜମାଇ ରହିଥିଲେ । ସେମାନଙ୍କୁ ଦମନ କରିବା ଲାଗି ଶତାଧିକ ସିଆରପିଏଫ୍, କୋବ୍ରା ବାହିନୀର ଯବାନ ଗତ ୨ ବର୍ଷ ହେଲା ଅପରେସନ ଚଳାଇଛନ୍ତି । ଅନେକଥର ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲେ ହେଁ ମିସିର ଓ ଅସୀମ ଖସି ଯିବାରେ ସଫଳ ହୋଇଥିଲେ । ଜାନୁଆରୀ ମାସ ୨୨ ତାରିଖରେ କିରିବୁରୁ ଥାନା ଅନ୍ତର୍ଗତ ସମ୍ଠା-କିରିବୁରୁ ମଧ୍ୟରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିଲା ଗୁଳି ବିନିୟମ । ଯବାନଙ୍କ ଏନ୍କାଉଣ୍ଟରରେ କେନ୍ଦ୍ରୀୟ କମିଟି ସଦସ୍ୟ ଆନାଲ ଓରଫ ପାତିରାମ ମାଁଝୀ, ସ୍ପେଶାଲ ଏରିଆ କମିଟି ସଦସ୍ୟ ଅନମୋଲ ଦା ଓରଫ ଲାଲଚାନ୍ଦ ହେମ୍ବ୍ରମ ଓରଫ ସୁଶାନ୍ତ ଓରଫ ସମରଜୀଙ୍କ ସମେତ ୧୫ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ମାଓ ସଂଗଠନକୁ ଲାଗିଥିଲା ଶକ୍ତ ଝଟ୍କା । ସରଣ୍ଡାରେ କେବଳ ରହିଛନ୍ତି ମିସିର ଓ ଅସୀମଙ୍କ ସମେତ ପ୍ରାୟ ୨୦ରୁ ୨୨ ଜଣ ମାଓବାଦୀ । ମିସିରଙ୍କୁ ଆତ୍ମସମର୍ପଣ ପାଇଁ ପୁଲିସ୍ ଅଧିକାରୀମାନେ ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ । ଆଶା କରାଯାଉଥିଲା ସେ ଖୁବଶୀଘ୍ର ଆତ୍ମସମର୍ପଣ କରିବେ ।
ମାତ୍ର ମିସିର ଓ ଅସୀମ ଆତ୍ମସମର୍ପଣ କରିବା ପରିବର୍ତ୍ତେ ସରଣ୍ଡାରେ ଅପରେସନ ଚଳାଇଥିବା ଯବାନଙ୍କୁ ଟାର୍ଗେଟ୍ କଲେ । ଯବାନମାନେ ସରଣ୍ଡାକୁ ମାଓମୁକ୍ତ କରିବା ଲାଗି ନିଷ୍ପତ୍ତି ନେବା ସହ ବିଭିନ୍ନ ସମୟରେ ମାଓବାଦୀଙ୍କ ଆଡ୍ଡାକୁ ଠାବ କରି ନଷ୍ଟ କରିଥିଲେ । ମାଓ ସଂଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବା ବେଳେ ଶେଷରେ ୨୦ ଜଣ ମାଓବାଦୀ ପୁଲିସ୍ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଯେଉଁ ୨୦ ଜଣ ଆତ୍ମସମର୍ପଣ କରିବେ ସେମାନଙ୍କ ମଧ୍ୟରେ ମିସିର ରହିଥିବା ଚର୍ଚ୍ଚା ହେଉଛି । ଗୁରୁବାର ହେବାକୁ ଥିବା କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ପୁଲିସ୍ ଅଧିକାରୀମାନେ ସାମିଲ ହେବେ।