କଟକ,୧୭/୦୨: ଓଏମ୍ପିଠୁ କନ୍ଦରପୁର ପର୍ଯ୍ୟନ୍ତ ରାସ୍ତାରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା । ଏଇ ଗୋଟିଏ ସପ୍ତାହ ଭିତରେ ବିଦ୍ୟାଧରପୁରରୁ ଚାଉଳିଆଗଞ୍ଜ ଭିତରେ ଦୁଇଟି ଜୀବନ ଯାଇଛି । ତାଳଦଣ୍ଡା କେନାଲ୍ ରାସ୍ତା ସଂପ୍ରସାରଣ ପରେ ମୁଣ୍ଡ ନେଉଛି ଓଏମ୍ପି-କନ୍ଦରପୁର ରାସ୍ତା । ସେମିତି ନୂଆ ବସ୍ ଟର୍ମିନାଲ୍ ନିର୍ମାଣ ପରେ ଖାନନଗର ମଲାଚଣ୍ଡିଆ ଛକରୁ ବାଦାମବାଡ଼ି ରାସ୍ତାରେ ପାଦେ ପାଦେ କେ ବିପଦ³ ମୁଣ୍ଡ ବି ଗଲାଣି । ବକ୍ସ ଡ୍ରେନ୍ ରାସ୍ତା ପରେ ବି ଦୋଳମୁଣ୍ଡାଇ ଛକରୁ ରାଣୀହାଟ ରାସ୍ତା ଏବେ ବି ଜାମ୍ । କଲେଜଛକରୁ ରାଣୀହାଟ କ୍ଲକ୍ ଟାୱାର୍ ରାସ୍ତାରେ କେତେବେଳେ କ’ଣ ହେବ କହିବା ମୁସ୍କିଲ୍ । ଜାତୀୟ ରାଜପଥ କଥା ନକହିବା ଭଲ, ସାମାନ୍ୟ ଦୁର୍ଘଟଣାରେ ଘଣ୍ଟାଘଣ୍ଟା ଜାମ୍ ଲାଗୁଛି । - ଏକାଧିକ ନୂଆ ରାସ୍ତା ନିର୍ମାଣ ପରେ ବି କଟକ ସହରର ଏହା ହେଉଛି ଟ୍ରାଫିକ୍ ବ୍ୟବସ୍ଥାର ବିକଳ ଦୃଶ୍ୟ ।
ବିପର୍ଯ୍ୟସ୍ତ ଟ୍ରାଫିକ୍ କାରଣରୁ ଜନସାଧାରଣ ହୀନସ୍ତା ହେଉଥିବାବେଳେ ପୁଲିସ କିନ୍ତୁ ବେଫିକର୍ । ମାଳମାଳ ଟ୍ରାଫିକ୍ କର୍ମଚାରୀ ହାତରେ ଫୋନ୍ ଧରି ଛକରେ ଘୂରି ବୁଲୁଛନ୍ତି । ଟ୍ରାଫିକ୍ ନିୟମ ଉଲ୍ଲଂଘନ ଆଳରେ ଲୋକଙ୍କଠାରୁ ଜରିମାନା ଭିଡ଼ିବା ହେଉଛି ମୂଳ ଲକ୍ଷ୍ୟ । କିନ୍ତୁ ଖଣ୍ଡେ ଦୂରରେ ରାସ୍ତାରେ ଜାମ୍ ହଟାଇବା ପାଇଁ ତତ୍ପରତା ନାହିଁ । ଗୋଟେ ଗୋଟେ ଛକରେ ଏକାଧିକ ଟ୍ରାଫିକ୍ ପୁଲିସ ଚାଲାଣ କାଟିବା ପାଇଁ ଜଗି ରହିଥିବାବେଳେ ବିପର୍ଯ୍ୟସ୍ତ ଟ୍ରାଫିକ୍ ପାଇଁ ଗୋଟେ ପରେ ଗୋଟେ ଜୀବନ ଯାଉଛି । ଲୋକଙ୍କ ଦୁଃଖକୁ ସହୃଦୟତାର ସହ ବିଚାର ନକରି ସେମାନଙ୍କୁ ନାଲି ଆଖି ଦେଖାଇ ଭୟଭୀତ କରାଯାଉଛି । ଯାହାକି ଯେକୌଣସି ସମୟରେ ଜନଆକ୍ରୋଶ ସୃଷ୍ଟି କରିପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ କିଛି ବର୍ଷ ଭିତରେ କଟକ ସହରର ରୂପରେଖ ବଦଳିଛି । ବକ୍ସଡ୍ରେନ୍ ରାସ୍ତା, ତାଳଦଣ୍ଡା କେନାଲ୍ ରାସ୍ତା, ସଂପ୍ରସାରିତ ରିଂ ରୋଡ୍, ଖାନନଗରରେ ନେତାଜୀ ବସ୍ ଟର୍ମିନାଲ୍ କାରଣରୁ ସହରରେ ଯାନବାହନ ଚଳାଚଳର ସ୍ଥିତି ବଦଳିଛି । କିନ୍ତୁ ସେହି ପରିବର୍ତ୍ତନ ସହ ତାଳ ଦେଇ ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ଏଯାବତ୍ ନିଆଯାଇନାହିଁ । ଟ୍ରାଫିକ୍ କର୍ମଚାରୀ ସଂଖ୍ୟା ବଢ଼ାଇବା ସହିତ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରି ତାହାକୁ କାର୍ଯ୍ୟକାରୀ କରିବା ଦରକାର । ଏମିତି ନୁହେଁ ଯେ, ରାଜ୍ୟ ପୁଲିସରେ କର୍ମଚାରୀ ଓ ଅନ୍ୟ ସାଧନର ଅଭାବ ରହିଛି । ସବୁକିଛି ଥାଇ ମଧ୍ୟ କଟକ ସହରର ମୂଳ ସମସ୍ୟା ‘ଟ୍ରାଫିକ୍ ଜାମ୍’କୁ ସୁଧାରିବା ପାଇଁ ପୁଲିସର ଆନ୍ତରିକତା ଥିବା ଭଳି ମନେ ହେଉନି । ସିଏନ୍ବିଟି ଅଞ୍ଚଳ, ବାଦାମବାଡ଼ି, ଦୋଳମୁଣ୍ଡାଇ, ରାଣୀହାଟ, ବଜ୍ରକବାଟି ଛକ, ହରିପୁର ରୋଡ୍, ପିଠାପୁର ରୋଡ୍, ଜିଲ୍ଲାପାଳ ଅଫିସ ପାଖ ଗଡ଼ା, ହାଇକୋର୍ଟ ଛକ, ଚୌଧୁରୀବଜାର ଛକ, ମେରିଆ ବଜାର ଛକ ଓ ସେମିନାର ଛକ ଭଳି ଅଞ୍ଚଳରେ ଜାମ୍ ଲାଗୁଛି । ମାତ୍ର ସେଠାରେ ଜଣେ ଅଧେ କର୍ମଚାରୀଙ୍କୁ ଡ୍ୟୁଟି ଦିଆଯାଉଛି, ତାହା ବି ଫୁଲାଫାଙ୍କିଆ ଭାବେ କାମ କରୁଛନ୍ତି । ସେହିପରି ନୂଆ ବସ୍ଷ୍ଟାଣ୍ଡ କାରଣରୁ ଖାନନଗର ମଲାଚଣ୍ଡିଆ ଛକରୁ ବାଦାମବାଡ଼ି ଟ୍ରାଫିକ୍ ସ୍ଥିତି ଏକଦମ୍ ସାଂଘାତିକ । ଗୋଟିଏ ଜୀବନ ଗଲାଣି । ଏହା ସତ୍ତେ୍ୱ ଏହି ରାସ୍ତା ପାଇଁ ପୁଲିସର କୌଣସି ସ୍ୱତନ୍ତ୍ର ପଦକ୍ଷେପ ନାହିଁ ।
ଏବେ କଟକ ଟାଉନ୍ ଟ୍ରାଫିକ୍ ଥାନାରେ ପ୍ରାୟ ୨ଶହ କନ୍ଷ୍ଟେବଳ, ୫୦ରୁ ଅଧିକ ହୋମ୍ଗାର୍ଡ, ୨୦ ଜଣ ଟ୍ରାଫିକ୍ ଭଲ୍ୟୁଣ୍ଟିଅର୍ ଓ ପ୍ରାୟ ୧୦ ଜଣ ହାବିଲ୍ଦାର ଏବଂ ଏଏସ୍ଆଇ କାମ କରୁଛନ୍ତି । ସେହିପରି ଜାତୀୟ ରାଜପଥ ଥାନାରେ ପ୍ରାୟ ୮୦ ଜଣ କନ୍ଷ୍ଟେବଳ, ୧୦୦ରୁ ଅଧିକ ହୋମ୍ଗାର୍ଡ କାମ କରୁଛନ୍ତି । ମାତ୍ର ଏହି କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ କର୍ମଚାରୀଙ୍କୁ କେବଳ ଏନ୍ଫୋର୍ସମେଣ୍ଟ୍ ବା ଜରିମାନା ଆଦାୟ କାମ ଦିଆଯାଉଛି । ଅର୍ଥାତ୍ ଜଣେ କର୍ମଚାରୀ ସକାଳ ୭ରୁ ଦିନ ଦୁଇଟା ପର୍ଯ୍ୟନ୍ତ ଗୋଟିଏ ଜାଗାରେ ଛିଡ଼ା ହୋଇ ରହି କେବଳ ମୋବାଇଲ୍ରେ ଟ୍ରାଫିକ୍ ଉଲ୍ଲଂଘନକାରୀଙ୍କ ଫଟୋ ଉଠାଇବେ । ତିନିଜଣ କର୍ମଚାରୀ ଏକ ଟୋଇଂ ଭ୍ୟାନ୍ ଧରି ବୁଲୁଛନ୍ତି, ରାସ୍ତାକଡ଼ରେ କେହି ଗାଡ଼ି ରଖିଦେଲେ ତାକୁ ଉଠାଇ ନେଇଆସିବେ । ଯେଉଁ ଗୁରୁତ୍ୱପୂର୍ଣ୍ଣ ଛକରେ ଟ୍ରାଫିକ୍ ପରିଚାଳନାକୁ ଅଧିକ ଧ୍ୟାନ ଦେବା କଥା ତାର ବିପରୀତରେ ସେଠାରେ କର୍ମଚାରୀ ଛିଡ଼ା ହୋଇ ମୋବାଇଲ୍ରେ ଫଟୋ ଉଠାଉଛନ୍ତି ।
ଯୋବ୍ରା ଆନିକଟ୍ ଛକ, କାଳିଆବୁଦା ଅଣ୍ଡର୍ପାସ୍, ମହାନଦୀବିହାର ଅଣ୍ଡର୍ପାସ୍, ଲିଙ୍କ୍ରୋଡ୍, ମଣିମନ୍ଦିର ଛକ, ବାଦାମବାଡ଼ି, ମଲାଚଣ୍ଡିଆ ଛକ, ମାତାମଠ, ବକ୍ସିବଜାର ଛକ, ଦୋଳମୁଣ୍ଡାଇ, ସତୀଚୌରା ଓ କଲେଜ ଛକ ଭଳି ସ୍ଥାନରେ ସକାଳୁ ରାତି ପର୍ଯ୍ୟନ୍ତ ଜଣେ କର୍ମଚାରୀ ଛିଡ଼ା ହୋଇ ଫଟୋ ଉଠାଉଛନ୍ତି । ଓଏମ୍ପି ଛକରେ ଓ ମାଲ୍ଗୋଦାମ ଓଭରବ୍ରିଜ୍ ଉପରେ ତ ଏକାବେଳେ ୪ରୁ ୫ଜଣ ଫଟୋ ଉଠାଇବାକୁ ଛକି ରହୁଛନ୍ତି । ଟାଉନ୍ ଥାନା ପକ୍ଷରୁ ୪ଟି ବାଇକ୍ ପାଟ୍ରୋଲିଂ ଟିମ୍ ବୁଲୁଛି । ପ୍ରକୃତ କାମ ହେଉଛି ଟ୍ରାଫିକ୍ ଜାମ ହେଉଥିବା ସ୍ଥାନରେ ପହଞ୍ଚି ସ୍ଥିତି ସମ୍ଭାଳିବା । ମାତ୍ର ଦୁଇ କନ୍ଷ୍ଟେବଳ ଦିନ ତମାମ୍ କେବଳ ବାଇକ୍ରେ ସାଇରନ୍ ମାରି ସହର ତମାମ୍ ବୁଲୁଛନ୍ତି । ଭିଡ଼ ହେଉଥିବା ଅଞ୍ଚଳରେ ସେମାନଙ୍କର ଦେଖାନାହିଁ । ଫଳରେ ଘଣ୍ଟା ଘଣ୍ଟା ଲୋକ ଜାମ୍ରେ ଫସି ରହୁଛନ୍ତି । କିଛି ସେକେଣ୍ଡ୍ ପାଇଁ ଗୋଟିଏ ଗାଡ଼ି ବାଟରେ ଅଟକିଗଲେ ଲମ୍ବା ଲାଇନ୍ ଲାଗିଯାଉଛି । ଏଭଳି ସ୍ଥିତିରେ କଟକ ସହରର ଟ୍ରାଫିକ୍ ପରିଚାଳନା ଏବେ ସଂକଟରେ ଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏବେଠୁ ସ୍ଥିତିକୁ ସୁଧାରିବା ପାଇଁ ଉଦ୍ୟମ ନହେଲେ ଆଗକୁ ଟ୍ରାଫିକ୍ ଜାମ୍ ବିସ୍ଫୋରକ ସ୍ଥିତିରେ ଯେ ନପହଞ୍ଚିବ ତାହା କହିବା ମୁସ୍କିଲ୍ ।
ଆହୁରି ପଢ଼ନ୍ତୁ :- ଫଲ୍ସ ଇନ୍ସ୍ୟୁରାନ୍ସ ସାଙ୍ଘାତିକ ତଥ୍ୟ, କାମ କରୁଛି ସ୍ୱତନ୍ତ୍ର ର୍ୟାକେଟ୍: କ୍ରାଇମ୍ବ୍ରାଞ୍ଚ୍ ପକ୍ଷରୁ ସୁପ୍ରିମ୍କୋର୍ଟରେ ସତ୍ୟପାଠ ଦାଖଲ