ସାଧାରଣତନ୍ତ୍ର ଦିବସରେ ଟ୍ରାଫିକ୍ କଟକଣା: ମୁତୟନ ହେବେ ଏନ୍ଏସ୍ଜି କମାଣ୍ଡୋ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ଉତ୍ସବ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍ ବ୍ୟବସ୍ଥା ଉପରେ କଟକଣା ଲାଗୁହୋଇଛି । ୨୬ ତାରିଖ ଦିନ ରାଜ୍ୟସ୍ତରୀୟ ପରେଡ୍ ନିମନ୍ତେ ସକାଳ ୬ଟା ୩୦ରୁ ପରେଡ୍ ଶେଷ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ରାସ୍ତା ଗୁଡ଼ିକ ବନ୍ଦ କରାଯିବ । ଯାନବାହାନ ଯାତାୟାତ ସୁନିୟନ୍ତ୍ରଣ ତଥା ଜନସାଧାରଣଙ୍କ ସୁବିଧା ନିମନ୍ତେ ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ ୨୦୦୩ ଧାରା ୨୮ ଟ୍ରାଫିକ୍ ରୁଲ୍ ୩୬/୩୭ ଅନୁସାରେ ଏହି ନିର୍ଦ୍ଦେଶନାମା ଜାରି କରିଛି କମିଶନରେଟ୍ ପୁଲିସ୍ । ତା’ଛଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି ।
ମହାତ୍ମା ଗାନ୍ଧୀ ମାର୍ଗ ସଂଲଗ୍ନ ସମସ୍ତ ଲେନ୍ ଓ ବାଇଲେନ୍ରେ ଯାନବାହନ ଚଳାଚଳ ବନ୍ଦ ରହିବ । କେବଳ ପଥଚାରୀମାନେ ଚାଲିଚାଲି ପରେଡ୍ସ୍ଥଳକୁ ଆସିପାରିବେ । କୌଣସି ଭାରିଯାନ ରାମମନ୍ଦିର ଏବଂ ରାଜମହଲ୍ ଛକ ପଟୁ ମାଷ୍ଟରକ୍ୟାଣ୍ଟିନ୍ ଛକକୁ ଯିବାକୁ ଦିଆଯିବ ନାହିଁ । କେବଳ ଦୁଇ ଚକିଆ ଯାନ ତଥା ହାଲୁକା ଯାନ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ୍ ପର୍ଯ୍ୟନ୍ତ ଆସି ପାରିବେ । କିନ୍ତୁ ପିଏମ୍ଜି ଛକ ଆଡ଼କୁ ଯିବା ପାଇଁ ଦିଆଯିବ ନାହିଁ । କୌଣସି ଯାନବାହାନ ହାଉସିଂବୋର୍ଡ ଛକରୁ ରବିନ୍ଦ୍ର ମଣ୍ଡପ ଛକ ଆଡ଼କୁ ଆସିବେ ନାହିଁ । ଉକ୍ତ ଯାନ ଗୁଡ଼ିକ କେଶରୀ ଟକିଜ୍ ବାମପଟ ଲେନ୍ରେ ଯିବେ । ସେହିପରି ଏଜି ଛକରୁ ପିଏମ୍ଜି ଛକକୁ ଆସୁଥିବା ସମସ୍ତ ଯାନବାହାନ ଜୟଦେବ ଭବନ ହୋଇ ଇଡ୍କଲ୍ ଅଡିଟୋରିୟମ ପଟକୁ ଯିବେ । ୧୨୦ ବାଟାଲିୟନ ଛକରୁ ରବିନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ସମସ୍ତ ଯାନବାହାନ ଏମ୍ଏଲ୍ଏ କଲୋନି ଦେଇ ୪ ନମ୍ବର ପଟକୁ ଯିବ । ଅନ୍ୟ ପକ୍ଷରେ ୨୬ ତାରିଖ ସକାଳ ସାଢ଼େ ୬ଟାରୁ ପରେଡ୍ ଶେଷ ହେବା ପର୍ଯ୍ୟନ୍ତ ପିଏମ୍ଜି ଛକ ଓ ମାଷ୍ଟର କ୍ୟାଣ୍ଟିନ୍ ଛକରେ ଗ୍ୟାସ୍ ବେଲୁନ୍ ବିକ୍ରି ପାଇଁ ନିଶିଦ୍ଧାଞ୍ଚଳ ଘୋଷଣା କରାଯାଇଛି ।ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସମ୍ଭାବ୍ୟ ଆତଙ୍କୀ ହମ୍ଲାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ନ୍ୟାସ୍ନାଲ୍ ସିକ୍ୟୁରିଟି ଗାର୍ଡ (ଏନ୍ଏସ୍ଜି)ଙ୍କୁ ନିୟୋଜିତ କରାଯାଇଛି । ୧୨ ଏନ୍ଏସ୍ଜି କମାଣ୍ଡୋଙ୍କ ସହ ୨୫ ପ୍ଲାଟୁନ୍ ଫୋର୍ସ ଓ ୬୦ ଅଫିସରଙ୍କୁ ସୁରକ୍ଷା ଦାୟିତ୍ୱରେ ରଖାଯାଇଛି । ଏନ୍ଏସ୍ଜି କମାଣ୍ଡୋମାନେ ଆଜିଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଉପରେ ସ୍ୱତନ୍ତ୍ର ନଜର ରଖିବେ । ୨୦୧୫ ଅଗଷ୍ଟ ୧୪ରେ ମାଷ୍ଟରକ୍ୟାଣ୍ଟିନସ୍ଥିତ ଏକ ହୋଟେଲ୍ରୁ ୪ ଜଣ ସନ୍ଦିଗ୍ଧ ପୁଲିସ୍କୁ ଦେଖି ଫେରାର ହୋଇ ଯାଇଥିଲେ । ସେମାନେ ଆତଙ୍କବାଦୀ ବୋଲି ସନ୍ଦେହ କରାଯାଇଥିଲା । ଆତଙ୍କୀ ଆକ୍ରମଣ ଆଶଙ୍କାରେ ୨୦୧୫ ଜାନୁଆରୀ ୨୬ ପାଇଁ ଓଡ଼ିଶା ସମେତ ୪ଟି ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଏନ୍ଏସ୍ଜି କମାଣ୍ଡୋଙ୍କୁ ଭୁବନେଶ୍ୱରରେ ନିୟୋଜିତ କରାଯିବ । ହୋଟେଲ୍ ଓ ରେସ୍ତୋରାଁ ଗୁଡ଼ିକର ଯାଞ୍ଚ ସହିତ ବିମାନବନ୍ଦର, ରେଳ ଷ୍ଟେସନ ଓ ବସ୍ଷ୍ଟାଣ୍ଡ୍ରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ସହରର ବିଭିନ୍ନ ପ୍ରବେଶ ସ୍ଥାନରେ ସାଦା ପୋଷାକଧାରୀ ପୁଲିସ ନିୟୋଜିତ ରହିଛନ୍ତି । ଏନ୍ଏସ୍ଜି ସହିତ ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି), ସିଆରପିଏଫ୍ ମାନଙ୍କୁ ମଧ୍ୟ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ମହାତ୍ମାଗାନ୍ଧୀ ମାର୍ଗ ପରେଡ୍ ସ୍ଥଳରେ ୨୫ପ୍ଲାଟୁନ୍ ଫୋର୍ସ ମୁତୟନ ରହିବେ । ଏହା ବାଦ୍ ୨ ୟୁନିଟ୍ ଏସ୍ଓଜି, କୁଇକ୍ ରିଆକ୍ସନ ଟିମ୍, ସନ୍ଧାନୀ କୁକୁର, ସାଦା ପୋଷାକଧାରୀ ପୁଲିସ୍ ନିୟୋଜିତ ହେବେ ବୋଲି ସୂଚନା ମିଳିଛି ।