ରେଢ଼ାଖୋଲ, ୯/୭ : ଦୁଇ ଛାତ୍ରଙ୍କ ସଲୀଳ ସମାଧି। ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ବଡହିନ୍ଦୋଳ ଗ୍ରାମରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି। ପାଣିରେ ବୁଡି ଯିବା ଯୋଗୁଁ ୨ ଛାତ୍ରଙ୍କର ମୃତ୍ୟୁ ହୋଇଛି। ମୃତ ଛାତ୍ରମାନେ ହେଲେ ଶ୍ରୀକାନ୍ତ ମୁଣ୍ଡାଙ୍କ ୬ବର୍ଷର ପୁଅ ସିଦ୍ଧାନ୍ତ ମୁଣ୍ଡା ଓ ଅଭି ମୁଣ୍ଡାଙ୍କ ୭ବର୍ଷର ପୁଅ କୁଆଁର ମୁଣ୍ଡା। ଦୁହେଁ ପ୍ରଥମ ଓ ଦ୍ଵିତୀୟ ଶ୍ରେଣୀରେ ପଢୁଥିଲେ।
ସୂଚନାନୁଯାୟୀ, ବୁଧବାର ଅପରାହ୍ନ ୪ଟା ବେଳେ ସ୍କୁଲ ଛୁଟି ହେବା ପରେ ସିଦ୍ଧାନ୍ତ ମୁଣ୍ଡା ଓ କୁଆଁର ମୁଣ୍ଡା ସାଙ୍ଗ ହୋଇ ଘରକୁ ଫେରୁଥିଲେ। ସେମାନେ ଘରକୁ ନଆସି ଗ୍ରାମ ନିକଟ ଜମିରେ ଖୋଳା ଯାଇଥିବା ଏକ ପୋଖରୀକୁ ଯାଇ ପାଣିରେ ବୁଡି ଯାଇଥିଲେ। ଉଭୟ ଛାତ୍ରଙ୍କ ବାପା ମା ବାହାରକୁ କାମ କରିବାକୁ ଯାଇ ରାତିରେ ଘରକୁ ଫେରିବା ପରେ ପୁଅ ଘରେ ନଥିବା ଦେଖିଥିଲେ। ପରିବାର ଲୋକମାନେ ଆଖପାଖରେ ଖୋଜାଖୋଜି କରିବା ପରେ ପୋଖରୀରେ ସେମାନେ ଭାସୁଥିବା ଦେଖିଥିଲେ। ଉଭୟଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାକୁ ଆଣିଥିଲେ। ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଦୁଇ ଛାତ୍ରଙ୍କ ମୃତଦେହକୁ ଜବତ କରି ଆଜି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
ଆହୁରି ପଢନ୍ତୁ- ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି, ସୁଦୃଢ଼ ହେବ ୫୦ ନିୟୁତ ମତ୍ସ୍ୟଜୀବୀଙ୍କ ଜୀବିକା
ରାଜ୍ୟରେ ବନ୍ୟା ସ୍ଥିତି ନେଇ ବଡ଼ ସୂଚନା, ୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ..ଆଜି ଆଉ ୫ଟି ଗେଟ୍ ଖୋଲାଯିବ ..