ନୂଆଦିଲ୍ଲୀ: ଯୁବପୀଢିଙ୍କ ମଧ୍ୟରେ ବଢୁଛି ଟାଟୁର ଟ୍ରେଣ୍ଡ୍। କିଏ ହାତରେ ନିଜ ପ୍ରିୟତମଙ୍କ ନାମ ଲେଖୁଛନ୍ତି ତ ଆଉ କେହି ଧାର୍ମିକ ଚିହ୍ନ କରିବାକୁ ଭଲ ପାଉଛନ୍ତି। ଛାତି, ପେଟ, ପିଠି... ଯେଉଁଠି ଚାହୁଁଛନ୍ତି ସେଇଠି ଟାଟୁ କରୁଛନ୍ତି। ହେଲେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା କିଛି ଯୁବପୀଢିଙ୍କ ମନରେ ଟାଟୁକୁ ନେଇ ସବୁବେଳେ ଭୟ ଥାଏ। ଟାଟୁ କଲେ କାଳେ ଚାକିରି ମିଳିବ ନାହିଁ କି ? ଦୀର୍ଘ ବର୍ଷର ପରିଶ୍ରମ ଚୁଲିକୁ ଯିବ କି ? ଯଦି ଟାଟୁ କରି ସାରିଛନ୍ତି ତାହେଲେ କଣ ଲଏଜରରେ ଏହାକୁ ଲିଭାଇବାକୁ ପଡିବ କି ? ମେଡିକାଲ୍ ଟେଷ୍ଟରେ ଫେଲ୍ ହୋଇଯିବେ କି ? ଏହି ଭୟରେ ସେମାନେ ଟାଟୁ କରନ୍ତି ନାହିଁ। ତେବେ ଏହା ପଛରେ ସତ୍ୟତା କଣ ? ସତରେ କଣ ଟାଟୁ କଲେ ସରକାରୀ ଚାକିରି ମିଳେନି ?
ଏହାର ଉତ୍ତର ହେଲା ସବୁ ସରକାରୀ ଚାକିରିରେ ଟାଟୁ ବ୍ୟାନ ନଥାଏ। ଦେଶର ଅଧିକାଂଶ ପ୍ରଶାସନିକ ଚାକିରି- ଯେପରିକି IAS, IPS, IRS, ବ୍ୟାଙ୍କିଂ, ରେଲୱେ, SSC-CGL, କିମ୍ବା କ୍ଲର୍କ ପାଇଁ ଟାଟୁ ବ୍ୟାନ୍ ନଥାଏ। ଯଦି ଟାଟୁରେ କୌଣସି ଆପତ୍ତିଜନକ, ଅଶ୍ଳୀଳ କିମ୍ବା ଦେଶ ବିରୋଧୀ ବାର୍ତ୍ତା ଦିଆଯାଇ ନାହିଁ, ଏଥିରେ କୌଣସି ଅସୁବିଧା ହେବନି। ହେଲେ ସ୍ଥଳ ସେନା, ନୌସେନା, ବାୟୁସେନା କିମ୍ଵା ଅର୍ଦ୍ଧ ସାମରିକ ବାହିନୀ ଭଳି ଚାକିରିରେ ଟାଟୁକୁ ନେଇ କଠୋର ନିୟମ ରହିଛି। ପ୍ରତିରକ୍ଷା କ୍ଷେତ୍ରରେ ଟାଟୁ ବ୍ୟାନ କରିବା ନେଇ ୨ଟି କାରଣ ରହିଛି । ମେଡିକାଲ ରିସ୍କ- ଟାଟୁ ଦ୍ଵାରା ଏଚଆଇଭୀ ଭଳି ରୋଗ ହେବାର ସମ୍ଭାବନା ରହିଛି।
ପରିଚୟ ସଙ୍କଟ- ଯୁଦ୍ଧ କିମ୍ଵା ଜରୁରୀକାଳୀନ ସ୍ଥିତିରେ ଶରୀରରେ କୌଣସି ସ୍ଥାୟୀ ଚିହ୍ନ ଥିଲେ ଆପଣଙ୍କ ସୁରକ୍ଷା ନେଇ ବିପଦ ସୃଷ୍ଟି କରିପାରେ। ଏହାଦ୍ଵାରା ଶତ୍ରୁ ଆପଣଙ୍କୁ ସହଜରେ ଚିହ୍ନିପାରେ।
ତେବେ ଭାରତୀୟ ସେନାରେ ଅଫିସିସଆଲ ଟାଟୁ ପଲିସି ରହିଛି। ଏହାଦ୍ଵାରା କିଛି ମାମଲାରେ ଆପଣ ଟାଟୁ କରିପାରିବେ। ଏହା ବ୍ୟତୀତ, ଭାରତର ଆଦିବାସୀ ସମ୍ପ୍ରଦାୟର ପ୍ରାର୍ଥୀମାନଙ୍କୁ ସେମାନଙ୍କ ସାଂସ୍କୃତିକ ପରମ୍ପରା ଆଧାରରେ ସ୍ୱତନ୍ତ୍ର ଛାଡ ପ୍ରଦାନ କରାଯାଏ। ଏହା ବ୍ୟତୀତ, ନିର୍ଦ୍ଦିଷ୍ଟ ଅଞ୍ଚଳରେ ଛୋଟ ଧାର୍ମିକ ପ୍ରତୀକ (ଯେପରିକି ଓମ୍, କ୍ରସ୍, କିମ୍ବା ସ୍ୱସ୍ତିକ) ମଧ୍ୟ ଗ୍ରହଣୀୟ ହୋଇଥାଏ। ଯଦି ଆପଣ ମେଡିକାଲ ଟେଷ୍ଟ ପୂର୍ବରୁ ଆପଣଙ୍କର ଟାଟୁକୁ ସମ୍ପୂର୍ଣ୍ଣ ଏବଂ ସଠିକ୍ ଭାବରେ ହଟାଇ ଦିଅନ୍ତି, ତେବେ ଆପଣ ସରକାରୀ ଚାକିରି ପାଇଁ ଯୋଗ୍ୟ ବିବେଚିତ ହେବେ। ତେବେ ଧ୍ୟାନ ଦେବେ ଟାଟୁ କାଢିବା ପରେ ଯେମିତି କୌଣସି ଗଭୀର କିମ୍ବା କୁତ୍ସିତ ଦାଗ ନ ରୁହେ।
ଏହାସହ ପଢ଼ନ୍ତୁ : Live-in Relationship : ଲିଭ୍-ଇନ୍ ପାର୍ଟନରଙ୍କୁ ଛାଡ଼ିବା ହେବନି ସହଜ, ଏଣିକି No ବ୍ରେକଅପ୍ ...