ନୂଆଦିଲ୍ଲୀ,୧୨/୧୨ : ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ମୋଟ୍ ଦୂରତା ୩୦୧କିଲୋମିଟର ହୋଇଥିବାବେଳେ ନଭେମ୍ବର ୨୦୨୫ସୁଦ୍ଧା ଏଥିମଧ୍ୟରୁ ୨୨୬କିଲୋମିଟର ରେଳ ଲାଇନରେ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି । ଆଜି ରାଜ୍ୟସଭାରେ ଓଡ଼ିଶାରେ ରେଳ ବିକାଶ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳ ମନ୍ତ୍ରୀଙ୍କ ସୂଚନା ଅନୁସାରେ, ୫,୦୮୯କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାମ ଦ୍ରୁତଗତିରେ ଜାରି ରହିଛି । ମାର୍ଚ୍ଚ ୨୦୨୫ସୁଦ୍ଧା ଏହି ପ୍ରକଳ୍ପରେ ୪,୩୧୧କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି । ଏହି ପ୍ରକଳ୍ପ ପାଇଁ ମୋଟ୍ ଆବଶ୍ୟକ ୩୨୭୪.୪୧ଜମି ମଧ୍ୟରୁ ୩୧୫୮.୧୦ହେକ୍ଟର ଜମି ଅଧିଗ୍ରହଣ ଶେଷ ହୋଇଛି । ୨୨୬କିଲୋମିଟର ଲମ୍ବ ଏହି ପ୍ରକଳ୍ପ ମଧ୍ୟରୁ ଖୋର୍ଦ୍ଧା ପଟୁ ଖୋର୍ଦ୍ଧା ରୋଡ଼-ଦଶପଲ୍ଲା ୧୦୬କିଲୋମିଟର ଏବଂ ବଲାଙ୍ଗିର ପଟୁ ବଲାଙ୍ଗିରରୁ ପୁରୁଣା କଟକ ପର୍ଯ୍ୟନ୍ତ ୧୨୦କିଲୋମିଟର ରେଳ ମାର୍ଗରେ ରେଳ ଚଳାଚଳ ଆରମ୍ଭ କରିସାରିଛି ବୋଲି ରେଳ ମନ୍ତ୍ରୀ ସୂଚନା ଦେଇଛନ୍ତି । ଅବଶିଷ୍ଟ କାମ ଜାରି ରହିଛି।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଝାରସୁଗୁଡ଼ା-ସମ୍ବଲପୁର-ଅନୁଗୁଳ ଏବଂ ଭୁବନେଶ୍ୱର-ପୁରୀ କ୍ଷେତ୍ରରେ ରେଳ ଯୋଗାଯୋଗରେ ସୁଧାର ଲାଗି ତାଳଚେର-ବିମଳାଗଡ଼ ନୂଆ ଲାଇନ୍ (୧୫୦କିମି), ଜରପଡ଼ା-ବୁଢ଼ାପଙ୍କ ତୃତୀୟ ଏବଂ ଚତୁର୍ଥ ଲାଇନ(୧୦୧କିମି), ଝାରସୁଗୁଡ଼ା-ବିଳାସପୁର ଚତୁର୍ଥ ଲାଇନ (୨୦୬କିମି), ସମ୍ବଲପୁର-ଜରପଡ଼ା ତୃତୀୟ ଏବଂ ଚତୁର୍ଥ ଲାଇନ୍ (୧୨୭କିମି), ନିର୍ଗୁଣ୍ଡି-ବିଜୟନଗରମ ତୃତୀୟ ଲାଇନ (୩୮୫କିମି) ସମେତ ମୋଟ୍ ୧୪ଟି ରେଳ ଲାଇନ ପ୍ରକଳ୍ପ, ଫ୍ଲାଇଓଭର ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି।
ଶ୍ରୀ ବୈଷ୍ଣବ କହିଛନ୍ତି, ତାଳଚେର-ବିମଳାଗଡ଼(୧୫୦କିଲୋମିଟର)ନୂତନ ରେଳପଥ ଏକ ଅନୁମୋଦିତ ପ୍ରକଳ୍ପ । ପ୍ରକଳ୍ପର ମୂଲ୍ୟ ୧,୯୨୮କୋଟି ଟଙ୍କା ହୋଇଥିବାବେଳେ ମାର୍ଚ୍ଚ ୨୦୨୫ସୁଦ୍ଧା ଏଥିପାଇଁ ୧୬୪୬ଟଙ୍କା କୋଟି ଖର୍ଚ୍ଚ ହୋଇଛି। ବର୍ତ୍ତମାନ ସୁଦ୍ଧା, ମୋଟ ଆବଶ୍ୟକ ୮୫୮.୬୪ହେକ୍ଟର ଜମି କ୍ଷେତ୍ରଫଳରୁ ୭୫୧.୫୭ହେକ୍ଟର ଜମି ଅଧିଗ୍ରହଣ କରାଯାଇଛି । ଉପଲବ୍ଧ ଜମିରେ ରେଳପଥ ନିର୍ମାଣ କାର୍ୟ୍ୟ ଆରମ୍ଭ କରିଛି । ନଭେମ୍ବର ୨୦୨୫ସୁଦ୍ଧା ୩୪ କିଲୋମିଟର ସେକ୍ସନ(ତାଳଚେର-ପାରାବିଲ) କାର୍ଯ୍ୟକ୍ଷମ କରାଯାଇଛି । ଅବଶିଷ୍ଟ ସେକ୍ସନ ଗୁଡ଼ିକର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ।