ପାରାକୁ ବଞ୍ଚାଇବା ପାଇଁ ରୋକାଗଲା ଟ୍ରେନ

ମୁମ୍ବାଇ,୧୯ ।୧(ଏଜେନ୍ସି): ଅନେକ ଲୋକ ଅଛନ୍ତି ଯେଉଁମାନେ ପଶୁପକ୍ଷୀଙ୍କୁ ବହୁତ ଭଲ ପାଆନ୍ତି । ଏବେ ଭାରତୀୟ ରେଳବାଇ ବି ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ କିଛି ପଦକ୍ଷେପ ଗ୍ରହଣ କରୁଛି । ନିକଟରେ ଦେଶର ଆର୍ଥିକ ରାଜଧାନୀ ବୋଲି କୁହାଯାଉଥିବା ମୁମ୍ବାଇରେଏଭଳି ଏକ ଘଟଣା ଘଟିଛି । ସେଠାରେ ଗୋଟିଏ ପାରାକୁ ବଞ୍ଚାଇବା ପାଇଁ ୫ ମିନିଟ ଟ୍ରେନ ଚଳାଚଳ ରୋକା ଯାଇଥିଲା ।
ଏହା ତ ସମସ୍ତେ ଜାଣନ୍ତି ଯେ ଲୋକାଲ ଟ୍ରେନକୁ ମୁମ୍ବାଇର ଲାଇଫ୍ଲାଇନ୍ ବୋଲି କୁହାଯାଏ । ଏଭଳି ଟ୍ରେନ ଯୋଗେ ପ୍ରତିଦିନ ଲକ୍ଷାଧିକ ଲୋକ ମୁମ୍ବାଇର ବିଭିନ୍ନ ସ୍ଥାନକୁ ଆସିଥାନ୍ତି ଏବଂ ସେଠାରୁ ଫେରିଥାନ୍ତି । ହେଲେ ଗତ ବୁଧବାର ଏକ ଅଜବ ଘଟଣା ଘଟିଲା । ଗୋରେଗାଓଁ ଷ୍ଟେସନରେ ସକାଳ ୧୦ଟା ସମୟରେ ଜଣେ ଯାତ୍ରୀ ସେଠାକାର ଡେପୁଟି ଷ୍ଟେସନ ମାଷ୍ଟରଙ୍କୁ ସୂଚନା ଦେଲେ କି ଷ୍ଟେସନର ଗୋଟିଏ ମୁଣ୍ଡରେ ଥିବା ଓଭରହେଡ୍ ଇକ୍ୱିପମେଣ୍ଟ ମାଷ୍ଟ( ଟ୍ରେନ ଚଳାଚଳ ପାଇଁ ରେଳ ଧାରଣା ନିକଟରେ ନିର୍ମିତ ବିଦ୍ୟୁତ୍ ଖୁଣ୍ଟି)ରୁ ଝୁଲିଥିବା କିଛି ତାରରେ ଗୋଟିଏ ପାରା ଛନ୍ଦି ହୋଇଯାଇଛି । ଡେପୁଟି ଷ୍ଟେସନ ମାଷ୍ଟର ଜଣକ ସେଇ ପାରାକୁ ବଞ୍ଚାଇବା ଉଦ୍ଦେଶ୍ୟରେ ତୁରନ୍ତ ଓଭରହେଡ୍ ଇକ୍ୱିପମେଣ୍ଟ ଷ୍ଟାଫ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସୂଚନା ଦେଲେ । ଗୋରେଗାଓଁ ଅଞ୍ଚଳରେ ଆହତ ପକ୍ଷୀମାନଙ୍କର ଚିକିତ୍ସା କରି ସେମାନଙ୍କୁ ମୁକ୍ତ କରୁଥିବା ଏକ ସ୍ୱେଚ୍ଛାସେବୀ ସଂସ୍ଥାର କର୍ମୀମାନଙ୍କୁ ବି ସେଠାକୁ ଡକାଗଲା।
ତା’ ପରେ ଆରମ୍ଭ ହେଲା ପାରା ଉଦ୍ଧାର ଅଭିଯାନ । ଏଥିସକାଶେ ୫ ମିନିଟ ପାଇଁ ଓଭରହେଡ୍ ମାଷ୍ଟ ଦେଇ ବିଦ୍ୟୁତ୍ ପ୍ରବାହ ରୋକାଗଲା । ତେଣୁ ସେତିକି ସମୟ ପାଇଁ ସେଇ ଷ୍ଟେସନରେ ସବୁ ଟ୍ରେନ ଚଳାଚଳ ବନ୍ଦ ରହିଲା । ତା’ ମଧ୍ୟରେ ସମସ୍ତ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀ ସଂସ୍ଥାର କର୍ମୀମାନେ ମିଶି ପାରାଟିକୁ ଉଦ୍ଧାର କଲେ । ସେଇ ସ୍ୱେଚ୍ଛାସେବୀ ସଂସ୍ଥା ଜରିଆରେ ତା’ର ପ୍ରାଥମିକ ଚିକିତ୍ସା ବି କରାଯାଇଥିଲା ।
ଏହା ପୂର୍ବରୁ ବି ପଶ୍ଚିମ ରେଳବାଇର କର୍ମଚାରୀମାନେ ଅନେକ ସମୟରେ ପଶୁପକ୍ଷୀଙ୍କୁ ବଞ୍ଚାଇବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି । ଗତ ବର୍ଷ ନଭେମ୍ବର ମାସରେ ମୁମ୍ବାଇର ଭିଲେ ପାର୍ଲେ ସ୍ଥିତ ଫୁଟ୍ ଓଭରବ୍ରିଜ୍ ନିକଟରେ ଦୁଇଟି ବିମ୍ ଭିତରେ ଫସିଯାଇଥିବା ଗୋଟିଏ ବିଲେଇ ଛୁଆକୁ ଉଦ୍ଧାର କରିବା ପାଇଁ ରେଳବାଇ କର୍ମଚାରୀମାନେ ଜୋରଦାର ଉଦ୍ୟମ କରିଥିଲେ । ଏଥିପାଇଁ ପୂରା ୫ ଦିନ ଲାଗିଥିଲା । ଶେଷରେ ସେଇ ବିମ୍କୁ କଟାଯାଇ ଉକ୍ତ ବିଲେଇ ଛୁଆକୁ ଉଦ୍ଧାର କରାଯାଇଥିଲା ।