ବରଗଡ଼,୦୩/୧୦:ବରଗଡ଼  ଜିଲ୍ଲାର ଗାଇସିଲାଟ ବ୍ଲକର  ସୀମାରେ ଥିବା ବଲାଙ୍ଗିର ଜିଲ୍ଲାର  ବିନ୍ଧାପାଲିଠାରେ ଅପେରା  ଦେଖି ଆସିଥିବା ଜଣେ କିନ୍ନର  ଅପେରା ଆୟୋଜନ କମିଟିର  ଜଣେ ସଦସ୍ୟଙ୍କୁ ଛୁରାମାଡ଼ କରି  ଫେରାର୍‌ ମାରିଥିବା ଅଭିଯୋଗ  ହୋଇଛି । ଆହତ ସଦସ୍ୟ ଜଣକ  ମନୁପାଲି ଗାଁର ଡୋଳାମଣି  ବୋଲି ଜଣାପଡିଛି । ଡ଼େଳାମଣିଙ୍କ  କାନ୍ଧ, ହାତ ଓ ପେଟରେ ଛୁରା  ଆଘାତ ଲାଗିଥିବା ବେଳେ ରକ୍ତାକ୍ତ  ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ  ବର୍ତ୍ତମାନ ସୁଦ୍ଧା ଫେରାର କିନ୍ନରଙ୍କ  ପତ୍ତା ମିଳିନଥିବା ଜଣାପଡ଼ିଛି । 

ସୂଚନାମତେ, ଗାଇସିଲାଟ ବ୍ଲକର  ଭୂତିବାହାଲ ଜନପଦବାସୀଙ୍କ  ସମେତ ବଲାଙ୍ଗିର ଜିଲ୍ଲାର ବିନ୍ଧାପାଲି ମୁନୁପାଲି, ବାଦିପାଲି  ଗ୍ରାମବାସୀ ମିଳିତ ଭାବେ ଅପେରା ଆୟୋଜନ କରୁଛନ୍ତି ।  ବିନ୍ଧାପାଲି ଠାରେ ଚାଲିଥିବା ଗଣନାଟ୍ୟ  ଅପେରାରେ ବୁଧବାର ଭୋର୍‌ ସକାଳ  ୩ଟା ପାଖାପାଖି ଜଣେ ଅଜଣା  କିନ୍ନର ମଞ୍ଚ ଉପରକୁ ଚଢ଼ି ଯାଇ  ଅନେକ ସମୟ ଯାଏଁ ଅପେରାକୁ  ବନ୍ଦ କରିଦେଇଥିଲେ । ଯାହାକୁ ନେଇ କମିଟି ସଭ୍ୟମାନେ ମଞ୍ଚରୁ ଓହ୍ଲାଇବା ପାଇଁ ତାଙ୍କୁ ବାରମ୍ବାର ଅନୁରୋଧ  କରିଥିଲେ ମଧ୍ୟ କିନ୍ନର ଜଣକ କାହା  କଥା ଶୁଣିନଥିଲେ । ପରେ କମିଟି  ମେମ୍ବର ମାନେ ମଂଚ ଉପରକୁ ଚଢ଼ି  କିନ୍ନରଙ୍କୁ ତଳକୁ ଆଣିବା ପାଇଁ ପ୍ରୟାସ  କରବା ପରେ ବଚସା ହେବା ପରେ  ଉତ୍ତ୍ୟକ୍ତ କିନ୍ନର ଜଣକ ମୁନୁପାଲି  ଗ୍ରାମର ଡୋଳାମଣିଙ୍କୁ ଛୁରା ମାଡ଼  ମାରି ଘଟଣା ସ୍ଥଳରୁ ଫେରାର  ହୋଇଯାଇଥିବା ଗାଇସିଲାଟବାସୀଙ୍କ  ସୂତ୍ରରୁ ଜଣାପଡ଼ିଛି । ତେବେ  ଘଟଣାଟି ବଲାଙ୍ଗିର ଜିଲ୍ଲା ଅଞ୍ଚଳରେ  ହୋଇଥିବାରୁ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ସଂପର୍କରେ କିଛି ସୂଚନା ମିଳିପାରିନି ।