ବାତ୍ୟା ସିନା ହାର୍ ମାନିଥିଲା, କିନ୍ତୁ ସରକାରୀ ଷଡ୍ଯନ୍ତ୍ର ଆଗରେ ବର୍ତ୍ତିଲାନି: ବିଧାୟକଙ୍କ ସୌଧ ପାଇଁ ବଳି ପଡ଼ିବ ୧୦୦୦ ଦ୍ରୁମ, ରାତିଅଧିଆ କାଟି ସାରିଲେଣି ୪୦୦ ଗଛ

ଭୁବନେଶ୍ୱର,୨୮/୦୪: ସାମାନ୍ୟ ତାତିରେ ରାଜଧାନୀ ଜଳୁଛି । ପରିବେଶ ସନ୍ତୁଳନ ବିଗଡ଼ି ଗଲାଣି । ଏହାର ପରିଣାମ ଭୟଙ୍କର ଆଡ଼କୁ ଗଲାଣି । ହେଲେ ଯେଉଁମାନେ ଆଇନ ପ୍ରଣେତା ସେମାନଙ୍କ ନାଁରେ ଗଛକଟା ମିଶନ୍ ଚାଲିଛି । ଗୋଟିଏ କି ଦୁଇଟି ନୁହେଁ, ୪୦୦ ମହାଦ୍ରୁମକୁ କାଟି ଖିନ୍ଭିନ୍ କରିଦେଲେଣି । ଆହୁରି ୬୦୦ କାଟିବେ । ବିଧାୟକଙ୍କ କ୍ୱାର୍ଟର୍ସ ନିର୍ମାଣ ପାଇଁ ୫୦ରୁ ୮୦ ବର୍ଷର ପୁରୁଣା ଏହି ଦ୍ରୁମ ସବୁକୁ କାଟି ଚାଲିଛି ଜଙ୍ଗଲ ବିଭାଗ ।
ବିଧାନସଭା ପାଖରେ ଏମଏଲ୍ଏ କ୍ୱାର୍ଟର୍ସ ହେବ । ବହୁତଳ ସୌଖୀନ ଆପାର୍ଟମେଣ୍ଟରେ ବିଧାୟକମାନେ ରହିବେ । ହେଲେ ଯେଉଁ ଗଛ ବଢ଼ି ମହାଦ୍ରୁମ ହେବାକୁ ୫୦ ବର୍ଷରୁ ଅଧିକ ଲାଗିଥିଲା ତାକୁ ବଳି ଦେଇ ବିଧାୟକଙ୍କ ସୌଧ ଗଢ଼ାଯିବ । ଏଥିପାଇଁ ୫ଟି ଏମଏଲ୍ଏ କଲୋନୀ ପାର୍କରେ ଏବେ ମାରାଥନ୍ ଗଛ କଟା ଚାଲିଛି । ଗଛ କାଟି ସଫା କରିବାକୁ ଖୋଦ୍ ଜଙ୍ଗଲ ବିଭାଗ କର୍ମଚାରୀମାନେ ରାତିଅଧିଆ ଲାଗି ପଡ଼ିଛନ୍ତି । ଇଲେକ୍ଟ୍ରିକ ଚେନ୍ ସ’ ମେସିନ୍ କାମ କରୁନି ବୋଲି ଜେସିବିରେ ତାଡ଼ି ପକାଉଛନ୍ତି ।
ୟୁନିଟ୍-୪ରେ ଥିବା ଏହି ୫ଟି ପାର୍କରେ ବହୁ ମୂଲ୍ୟବାନ ଦ୍ରୁମ ଛିଡ଼ା ହୋଇଥିଲା । ବର, ଅଶ୍ୱତ୍ଥ, ବଉଳ, ଆମ୍ବ, ନିମ୍ବ, ପଣସ, ବେଲ, କରଞ୍ଜ, କଦମ୍ବ, ଦେବଦାରୁ, ରାଧାଚୁଡ଼ା, ଚମ୍ପା, ବରକୋଳି,ଅଶୋକା ଭଳି ବହୁ ଗଛ ଭର୍ତ୍ତି ହୋଇଥିଲା । ପୂରା ଅଞ୍ଚଳ ଘଞ୍ଚ ସବୁଜ ବଳୟରେ ଭରି ରହିଥିଲା । କିଛି ବର, ଅଶ୍ୱତ୍ଥ ଓ ଆମ୍ବ ଗଛ ବହୁ ପୁରୁଣା ହୋଇ ମହାଦ୍ରୁମ ପାଲଟି ଯାଇଥିଲା । ଏଠାରେ ପ୍ରାୟ ୨ହଜାରରୁ ଅଧିକ ଗଛ ରହିଥିଲା । ଫନି ବାତ୍ୟା ସମୟରେ ଏଠାରୁ ପ୍ରାୟ ୧୦୦୦ ଗଛ ଉପୁଡ଼ିି ଯାଇଥିଲା । ବାକି ୧୦୦୦ ଦ୍ରୁମ ବାତ୍ୟାକୁ ସହି ମୁଣ୍ଡ ଟେକି ଛିଡ଼ା ହୋଇଥିଲେ । ବାତ୍ୟା ସିନା ହାର୍ ମାନିଥିଲା, କିନ୍ତୁ ସରକାରୀ ଷଡ୍ଯନ୍ତ୍ର ଆଗରେ ଏବେ ଏହି ମହାଦ୍ରୁମ ବର୍ତ୍ତି ପାରିଲାନି ।
ସବୁଜିମା ଭରା ପରିବେଶରେ ଉଛୁଳୁଥିବା ଏହି ଅଞ୍ଚଳ ଏବେ ଟାଙ୍ଗରା ହେବାକୁ ବସିଲାଣି । ସେଠାକାର ଅଭାବନୀୟ ପରିବେଶକୁ ଦେଖିଲେ ଯେ କେହି ଭାଙ୍ଗି ପଡ଼ିବ । ଦିନେ ଯେଉଁ ମହାଦ୍ରୁମର ଛାଇ ତଳେ ରାଜ୍ୟର ପ୍ରଭାବଶାଳୀ ବିଧାୟକମାନଙ୍କ ଘରେ ଶୀତଳତା ଭରି ରହିଥିଲା ଏବେ ସେହି ଦ୍ରୁମ ଅଲୋଡ଼ା ହୋଇପଡ଼ିଛି । ଗୁମୁରି କାନ୍ଦିଲେ ବି କାହା କାନକୁ ସେମାନଙ୍କ କାନ୍ଦ ଶୁଭୁନି । ପ୍ରଚାରପ୍ରେମୀ ପରିବେଶବିତ୍ମାନେ ବି ଏହା ପାଖ ମାଡୁନାହାନ୍ତି ।
ଆହୁରି ବିଚଳିତ କରିବା ଭଳି କଥା ହେଉଛି, ଏହି ୧୦୦୦ ଗଛର କ୍ଷତିପୂରଣ ବାବଦ ଅର୍ଥ ୬୫ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି । ଏହି ପ୍ରକଳ୍ପ ତିଆରି ଦାୟିତ୍ୱ ମୁଣ୍ଡାଇଥିବା ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକସନ୍ କର୍ପୋରେସନ ଲିମିଟେଡ୍(ଓବିସିସି) ଗଛ କଟା କ୍ଷତିପୂରଣ ବାବଦରେ ଜଙ୍ଗଲ ବିଭାଗ ପାଖରେ ୬୮ଲକ୍ଷ ଟଙ୍କା ଜମା କରିଛି । ହେଲେ ଏହି ବହୁ ମୂଲ୍ୟ ମହାଦ୍ରୁମର ମୂଲ୍ୟ କ’ଣ ୬୮ଲକ୍ଷ ଟଙ୍କା? ରାଜଧାନୀ ପରିବେଶ ଉପରେ ଏହାର କ୍ଷତିର ଭରଣା କ’ଣ କିଛି କାଗଜ ନୋଟ୍ କରିପାରିବ? ରାଜଧାନାବାସୀଙ୍କୁ ଏହି ଗଛଗୁଡିକ ଯେତିକି ଅମ୍ଲଜାନ ଓ ଛାୟା ଦେଉଥିଲେ ତାହା ଆସିବ କେଉଁଠୁ?
ଏଭଳି ଗଛ କଟାକୁ ନେଇ ସିଟି ଡିଏଫ୍ଓ ଯଶୋବନ୍ତ ବରିହା କହିଛନ୍ତି, ଗତ ଜାନୁୟାରୀ ମାସରେ ଏମଏଲଏ କ୍ୱାର୍ଟର୍ସ ପ୍ରକଳ୍ପ ପାଇଁ ଓବିସିସି ଆମକୁ ଗଛ କାଟିବାକୁ ଅନୁମତି ମାଗିଥିଲା । ଏଠାରେ ୮୭୦ଟି ବଡ଼ ଗଛ ରହିଛି । ବାକି ପାର୍କ ଭିତରେ ସୌନ୍ଦର୍ଯ୍ୟକରଣ ପାଇଁ ଅନ୍ୟ ଅର୍ଣ୍ଣାମେଣ୍ଟାଲ ଟ୍ରି ଅଛି । ୮୭୦ ଗଛ କାଟିବାକୁ ଆମେ ଏପ୍ରିଲ ମାସରେ ଅନୁମତି ଦେଇଛୁ । ରାଜସ୍ୱ ବିଭାଗ, ଜଙ୍ଗଲ ବିଭାଗ ଏବଂ ଓବିସିସିର ମିଳିତ ଟିମ୍ ଅନୁଧ୍ୟାନ କରିବା ପରେ ଗଛ କାଟିବାକୁ ଅନୁମତି ଦିଆଯାଇଛି । ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍ଡିସି) ସେଠାରେ ଗଛ କାଟୁଛି । ଯେତିକି ଗଛ କଟାଯାଇଛି ତାର ଦଶଗୁଣା ଗଛ ଲଗାଇବାକୁ ସର୍ତ୍ତ ରହିଛି । ଗୋଟିଏ ଗଛ ଲଗାଇବା ପାଇଁ ୭୬୭ଟଙ୍କା ଖର୍ଚ୍ଚ ହେଉଛି । ୮୭୦ ଗଛ କଟା ଯିବାର ଥିବାରୁ ଏହାର ଦଶ ଗୁଣା ଅଧିକ ଗଛ ଲଗାଯିବ । ଏଥିପାଇଁ ଓବିସିସି ୬୮ଲକ୍ଷ ଟଙ୍କା ଦେଇଛି । ଖୁବ୍ଶୀଘ୍ର ଜାଗା ଚିହ୍ନଟ ପରେ ଗଛ ଲଗାଇବା ଆରମ୍ଭ କରିବୁ ।