ମାଲକାନଗିରି,୪/୧ : ଗରିବ ଲୋକଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ବିକାଶମୂଳକ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ରଖେଲଗୁଡ଼ା ଗ୍ରାମର ଜଣେ ଆଦିବାସୀ ବୃଦ୍ଧାଙ୍କ ପାଇଁ ସରକାରୀ ଯୋଜନା ଗୁଡ଼ିକ ଯୋଜନ ଯୋଜନ ଦୂରରେ ଅଟକି ରହିଯାଇଛି । ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକସ୍ଥ ରଖେଲଗୁଡ଼ା ଗ୍ରାମର ମୁକେ କବାସୀ ବୟସ ପ୍ରାୟ ୮୦ ବର୍ଷ ହେବ। ତାଙ୍କୁ ସରକାରଙ୍କ ପକ୍ଷରୁ କେବଳ ହଜାରେ ଟଙ୍କା ଆଉ ୫କେଜି ଟଙ୍କିକିଆ ଚାଉଳ ମିଳୁଛି, ହେଲେ ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଟିଏ ବି ନାହିଁ, ହଜାରେ ଟଙ୍କାରେ ମାସ ତମାମ ଚଳିବା କଷ୍ଟକର ହେଉଥିବାରୁ ସେ ଗାଁ ମୁଣ୍ଡରେ ଥିବା ପଡିଆରୁ ନାରଦି କୁସରୀ ଶାଗ ସଂଗ୍ରହ କରି ନିଜେ ଖାଇବା ସହ ଗାଁରେ ବିକ୍ରି କରି ଚଳିଥାନ୍ତି।

ଏହି ଶାଗଟି ନିରୋଗ, ପ୍ରୋଟିନ ଯୁକ୍ତ ହେବା ସହ ସୁଗାର, ହାର୍ଟ, ରକ୍ତଚାପ ରୋଗକୁ ଦୂର କରିପାରୁଥିବାର ଗ୍ରାମ ବାସୀ କୁହନ୍ତି । ଏହା ଦେହକୁ ହିତ ଓ ପାଟିକୁ ସ୍ୱାଦ ଲାଗୁଥିବାରୁ ବୃଦ୍ଧାଙ୍କ ନିକଟରୁ ଗ୍ରାମର ଲୋକ ମହିଳାମାନେ କିଣି ନେଇଥାନ୍ତି। ଦିଶାରୀ ବଇଦମାନେ ମଧ୍ୟ ଜଡି ବୁଟି ଔଷଧ ପ୍ରସ୍ତୁତି ପାଇଁ ନାରଦି କୁସିର ଶାଗକୁ ଖୋଜିଥାନ୍ତି। ପ୍ରକୃତିର ଅବଦାନ ଅନେକ, ବନବାସୀଙ୍କ ପାଇଁ ପ୍ରକୃତି ଖଞ୍ଜି ଦେଇଛି । ବାର ମାସ ପାଇଁ ରୋଜଗାରର ବାଟ, ଚମ ଧୁଡୁ ଧୁଡୁ ଆଖିକୁ ଭଲ ଭାବରେ ଦେଖାଯାଉନାହିଁ । ତଥାପି ପରିଣତ ବୟସରେ ପର ହାତ ଟେକାକୁ ନ ଚାହିଁ ବଞ୍ଚିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ବୃଦ୍ଧା ମୁକେ କବାସୀ ଏହି ବିରଳ ନିରୋଗ କାରି ଜଙ୍ଗଲୀ ଶାଗ ସଂଗ୍ରହ କରି ଲୋକଙ୍କୁ ବିକ୍ରି କରି ସେହି ଅର୍ଥରେ ବଜାରରୁ ତେଲ ଲୁଣ କିଣି ଥାନ୍ତି।