ପାଟଣାଗଡ଼,୮/୧୨ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନାରେ ଶନିବାର ଜଣେ ଆଦିବାସୀ ମହିଳାଙ୍କ ଲିଖିତ ଅଭିଯୋଗକୁ ଲରମ୍ଭା ଥାନାଧିକାରୀ ଫେରାଇଦେଇଥିଲେ।ଯାହାକୁ ନେଇ ମହିଳା ଜଣକ ନ୍ୟାୟ ନ ପାଇ ଶନିବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବଲାଙ୍ଗିରଙ୍କ ଦ୍ୱାରସ୍ଥ ହୋଇଥିଲେ।ଅଧିକ୍ଷକ ଉପସ୍ଥିତ ନ ଥିବାରୁ ମହିଳା ନ୍ୟାୟ ନ ପାଇ ଫେରିଆସି ଗଣମାଧ୍ୟମକୁ ଗୁହାରି କରିଥିଲେ।ଏନେଇ ରବିବାର "ପ୍ରମେୟ"ରେ ଖବର ପ୍ରକାଶ ପାଇଥିଲା। ଏହା ପରେ ରବିବାର ଲରମ୍ଭା ଥାନାଧିକାରୀ ଭାନୁଶଙ୍କର ଯାଦବଙ୍କ ସହ ୫ ଜଣପୁଲିସ କର୍ମଚାରୀ ନିର୍ଯ୍ୟାତିତା ଆଦିବାସୀ ମହିଳାଙ୍କ ଘରକୁ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିଲେ।ଏଥିସହ ଅଧିକ ତଦନ୍ତ ପାଇଁ ସୋମବାର ଅଭିଯୋଗକାରୀ ମହିଳା ଓ ଦାଦନ ଦଲାଲ ସୁଲେମାନ ଖାନଙ୍କ ପୁଅ ରୋଶନ ଖାନକୁ ଏସଡ଼ିପିଓ ଅଫିସ ପାଟଣାଗଡ଼କୁ ଯିବାପାଇଁ କହିଥିଲେ।

ସୋମବାର ଏସଡ଼ିପିଓ ସଦାନନ୍ଦ ପୁଝାରୀଙ୍କ କାର୍ଯ୍ୟାଳୟରେ ତଦନ୍ତ କରାଯାଇଥିଲା।କିନ୍ତୁ ନିରପେକ୍ଷ ତଦନ୍ତ କରାଯାଇନଥିବା ଅଭିଯୋଗ ଆଣିଛନ୍ତି ଆଦିବାସୀ ମହିଳା । ମୋତେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବୁଧବାର ମୋ ପିଲାଛୁଆକୁ ନେଇ ଏସପି ଅଫିସ ସମ୍ମଖରେ ଧାରଣା ଦେବି ବୋଲି କହିଛନ୍ତି।