‘ମୋ ଓଡ଼ିଶା’ ଗୀତରେ ମାଲକାନଗିରି ଜିଲ୍ଲାର ଆଦିବାସୀ ଯୁବକ

ମାଲକାନଗିରି, ୩୧।୩: ପବିତ୍ର ଉତ୍କଳ ଦିବସରେ ମ୍ୟୁଜିକ ୟୁଟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରୁଛି ‘ମୋ ଓଡ଼ିଶା’ର ଟାଇଟଲ ଗୀତ । ଏହି ଗୀତରେ କଣ୍ଠଦାନ କରିଛନ୍ତି ମାଲକାନଗିରି ଜିଲ୍ଲାର ଆଦିବାସୀ ଯୁବକ କାଳିଆ । ଗୀତଟିରେ ଓଡ଼ିଶାର ୩୦ ଗୋଟି ଜିଲ୍ଲାରୁ ୩୦ ଜଣ ମେଲୋଡ଼ି କଣ୍ଠଶିଳ୍ପୀ କଣ୍ଠଦାନ କରିଛନ୍ତି । ମାଲକାନଗିରି ଜିଲ୍ଲା ସଦର ମହକୁମା ୧୧୯ କଲୋନୀ ଗାୟତ୍ରୀ ପୀଠ ସାହିର ଆଦିବାସୀ ଯୁବକ କାଳିଆ ସୁନାନୀ କଣ୍ଠଦାନ କରିବାର ସୁଯୋଗ ପାଇଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଏହି ମୋ ଓଡ଼ିଶା ଗୀତଟି ସୂର୍ଯ୍ୟ ମହାପାତ୍ର ରଚନା କରିଥିବାବେଳେ ଓଲିଉଡର ପ୍ରଖ୍ୟାତ୍ ସଙ୍ଗୀତ ନିର୍ଦ୍ଦେଶକ ଗୁଡ଼ଲି ରଥ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଭୁବନେଶ୍ଵର ସୋମେଶ ଷ୍ଟୁଡିଓରେ ଗୀତଟିର ଭଏସ ଡବ୍ ଶେଷ ହୋଇଛି ।

କାଳିଆ ଜଣେ ଗରିବ ଆଦିବାସୀ ଯୁବକ । ନିଜର ପରିବାର ପ୍ରତିପୋଷଣ ପାଇଁ ସେ ହୋମଗାର୍ଡ ଚାକିରି କରିଛନ୍ତି । ତାଙ୍କର ନିଶା ଗୀତ ଗାଇବା । ସେ ୨୦୦୮ ମସିହାରୁ ବିଭିନ୍ନ ଗୀତ ଗାଇ ଆସୁଛନ୍ତି । ଦୀର୍ଘ ବର୍ଷ ୧୫ ହେବ ସଙ୍ଗୀତ ଜଗତ ସହିତ ଜଡ଼ିତ ରହିଛନ୍ତି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ ମଞ୍ଚ ଗୁଡ଼ିକରେ ଭଜନ, ଦେଶାତ୍ମକବୋଧ, ଆଧୁନିକ, ପଲ୍ଲୀଗୀତ, ଆଦିବାସୀ ସଙ୍ଗୀତ ପରିବେଷଣ କରିଆସୁଛନ୍ତି । ସ୍ଥାନୀୟ ଆରକ୍ଷୀ ଝଙ୍କାର ଅର୍କେଷ୍ଟ୍ରାରେ ଜଣେ ନିୟମିତ ଗାୟକ । ସେଥିରେ ସେ ପ୍ରଥମେ ଭଜନ ଗାଇବା ଆରମ୍ଭ କରିଥିଲେ । ତାଙ୍କ କଣ୍ଠର ଭଜନ, ଦେଶିଆ ଗୀତ ସ୍ରୋତାଙ୍କ ଦ୍ଵାରା ବେଶ୍ ଆଦୃତ ହେଉଥିଲା । ବର୍ତ୍ତମାନ ସୁଦ୍ଧା ସେ ୮୦୦ ରୁ ଅଧିକ ମଞ୍ଚରେ ମେଲୋଡ଼ି କାର୍ଯ୍ୟକ୍ରମ କରିସାରିଲେଣି । କାଳିଆଙ୍କୁ ଏହି ନିଆରା ଗୀତରେ କଣ୍ଠଦାନ କରିବାର ସୁଯୋଗ ମିଳିଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଛୁଟିଛି ।