କଟକ/ନରାଜ ୦୩/୦୧: କଟକ ଜିଲ୍ଲା ବାରଙ୍ଗ ବ୍ଲକ୍‌ ଅନ୍ତର୍ଗତ ଗୋଡ଼ିସାହି ହାଇସ୍କୁଲ୍‌କୁ ତ୍ରିନିଦାଦ୍‌ ରାଷ୍ଟ୍ରପତି କ୍ରିଷ୍ଟାଇନ୍‌ କଙ୍ଗାଲୁ ଆସୁଛନ୍ତି । ତ୍ରିନିଦାଦ ରାଷ୍ଟ୍ରପତିଙ୍କ ଏହି କାର୍ଯ୍ୟକ୍ରମ ପାଇଁ ଏକମାତ୍ର ସ୍କୁଲ୍‌ ଭାବେ ଗୋଡ଼ିସାହି ହାଇସ୍କୁଲ୍‌କୁ ଚୟନ କରାଯାଇଛି । ରାଷ୍ଟ୍ରପତି ସେଠାରେ ଛାତ୍ରଛାତ୍ରୀମାନଙ୍କ ସହ କିଛି ସମୟ ବିତାଇବେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ, ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିବେ । ଏନେଇ ଗୁରୁବାର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଗୋଡ଼ିସାହି ସ୍କୁଲ୍‌ ପହଞ୍ଚି ଭିତ୍ତିଭୂମି ଅନୁଧ୍ୟାନ କରିଛନ୍ତି । ଆସନ୍ତା ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସ୍କୁଲ୍‌ ସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି । 

୮ ତାରିଖରୁ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଓଡ଼ିଶାରେ ପାଳନ କରାଯାଉଛି । ଏନେଇ ବିଭିନ୍ନ ରାଷ୍ଟ୍ରରୁ ଅତିଥିମାନେ ଓଡ଼ିଶା ଗସ୍ତରେ ଆସିବେ । ଏହି କାର୍ଯ୍ୟକ୍ରମରେ ତ୍ରିନିଦାଦ ଏବଂ ଟବାଗୋ ରାଷ୍ଟ୍ରପତି କ୍ରିଷ୍ଟାଇନ୍‌ କଙ୍ଗାଲୁ ମଧ୍ୟ ଯୋଗଦେବେ । କାର୍ଯ୍ୟକ୍ରମରେ କଙ୍ଗାଲୁଙ୍କୁ ଏକ ସରକାରୀ ସ୍କୁଲ୍‌କୁ ନିଆଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ତ୍ରିନିଦାଦ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କ ସହ ସମୟ ଅତିବାହିତ କରିବେ । ଏଥିପାଇଁ କଟକ ସହରର କିଛି ସ୍କୁଲ୍‌ ତାଲିକାଭୁକ୍ତ ହୋଇଥିଲା । କିନ୍ତୁ ରାଷ୍ଟ୍ରପତିଙ୍କ ଇଚ୍ଛା ମୁତାବକ ଗ୍ରାମାଞ୍ଚଳର କୌଣସି ସ୍କୁଲ୍‌କୁ ଚୟନ କରାଯିବାର ଥିଲା । ୧୯୬୧ ମସିହାରେ ପ୍ରତିଷ୍ଠା ହୋଇଥିବା ଗୋଡ଼ିସାହି ହାଇସ୍କୁଲ୍‌କୁ ଏନେଇ ଚୟନ କରାଯାଇଛି । 

ଗୋଡ଼ିସାହି ହାଇସ୍କୁଲ୍‌ର ଭିତ୍ତିଭୂମି ସନ୍ତୋଷଜନକ ରହିଛି । ଗ୍ରୀନ୍‌ କ୍ୟାମ୍ପସ୍‌ ସହ ବ୍ୟବସ୍ଥିତ କ୍ଲାସ୍‌ରୁମ୍‌, ଛାତ୍ରଛାତ୍ରୀ-ଶିକ୍ଷକ ଅନୁପାତ, ସ୍ମାର୍ଟ କ୍ଲାସ୍‌ରୁମ୍‌ ଆଦି ବ୍ୟବସ୍ଥା ରହିଛି । କିନ୍ତୁ ସ୍କୁଲ୍‌ରେ ପିଇବା ପାଣି ନେଇ କିଛି ବର୍ଷ ଧରି ସମସ୍ୟା ଲାଗିରହିଛି । ଯେହେତୁ ପାହାଡ଼ିଆ ଅଞ୍ଚଳ ତେଣୁ ୨୪ଘଣ୍ଟା ପିଇବା ପାଣି ଉପଲବ୍ଧ ହୁଏନାହିଁ । ସମସ୍ୟା ବେଶି ଉତ୍କଟ ହୁଏ ଖରାଦିନରେ । ଏପ୍ରିଲ, ମେ’ ମାସ ଆଡ଼କୁ ଛାତ୍ରଛାତ୍ରୀଙ୍କ ପିଇବା ପାଣି ପାଇଁ ଟ୍ୟାଙ୍କର୍‌ ବ୍ୟବସ୍ଥା କରାଯାଏ । ତେଣୁ ତ୍ରିନିଦାଦ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଏଭଳି ଅଭାବନୀୟ ସ୍ଥିତି ସୃଷ୍ଟି ନହେଉ ସେଥିଲାଗି ପ୍ରାଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଇଡ୍‌କୋ ତରଫରୁ ଏନେଇ ପିଇବା ପାଣି ବ୍ୟବସ୍ଥା ସୁଧାରିବାକୁ ଯୋଜନା କରାଯାଉଛି । ଅରିଲୋ ସ୍ଥିତ ଓମ୍‌ଫେଡ୍‌କୁ ଯେଉଁ ପାଇପ୍‌ଲାଇନ୍‌ରୁ ପାଣି ଯାଉଛି ସେହି ଲାଇନ୍‌ରୁ ସ୍କୁଲ୍‌କୁ ପାଣି ସଂଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ୱାରା ସବୁଦିନିଆ ପିଇବା ପାଣି ସମସ୍ୟା ଦୂର ହେବ । ବର୍ଷ ବର୍ଷ ଧରି ଯେଉଁଠି ସ୍କୁଲ୍‌ର ପିଇବା ପାଣି ସମସ୍ୟା ଦୂର ହେଉନଥିଲା, ସେଠି ଭିଭିଆଇପିଙ୍କ କାର୍ଯ୍ୟକ୍ରମ ପାଇଁ ତିନିଦିନ ଭିତରେ ପିଇବା ପାଣି ସମସ୍ୟା ଦୂର ହେବ ।