ଲକ୍ଷ୍ନୌ; ୫/୧ : ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲାରୁ ଆସିଛି ଏକ ଛାତିଥରା ଘଟଣା । ଜଣେ ଯୁବକ ତାଙ୍କ ପୁଅ, ବାପା ସହ ଭାଣିଜୀଙ୍କୁ ହତ୍ୟା କରିଛି । ହତ୍ୟା କରିବା ପରେ ସେମାନଙ୍କ ମୃତଦେହକୁ କୂଅରେ ଫିଙ୍ଗି ଦେଇଛି । ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଛାନବିନ୍ ଚଳାଇଛି । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ସେପଟେ ଅଭିଯୁକ୍ତ ଫେରାର ଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତର ନାମ ହେଉଛି ମୁକେଶ । ୨୧ ବର୍ଷୀୟ ମୁକେଶ ଜଣେ ମାନସିକ ବିକାରଗ୍ରସ୍ତ ବୋଲି କୁହାଯାଉଛି । ପ୍ରଥମେ ତାଙ୍କ ଭାଣିଜୀ ନିଖୋଜ ଥିଲେ । ପରିବାର ଲୋକେ ଏନେଇ ପୋଲିସକୁ ଖବର ଦେବା ପରେ ଖୋଜିଖୋଜି ଆରମ୍ଭ ହୋଇଥିଲା । ଏବେ ପୁଅ ଏବଂ ବାପାଙ୍କୁ ହତ୍ୟା କରିଥିବା ଜଣା ପଡ଼ିଛି । ପୂର୍ବରୁ ଅନେକଥର ମୁକେଶ ତାଙ୍କ ବାପାଙ୍କ ସହ ଝଗଡ଼ା କରୁଥିବା ପଡ଼ୋଶୀମାନେ କହିଛନ୍ତି । ଏହାସହ ଏହି ତ୍ରିପଲ ମର୍ଡର ଘଟିବାର ତିନିଦିନ ପୂର୍ବରୁ ମୁକେଶ ତାଙ୍କ ସାନ ଭାଇକୁ ହତ୍ୟା କରିବାକୁ ପ୍ରୟାସ କରିଥିଲେ । ଏହି ଘଟଣାକୁ ନେଇ ପରିବାରରେ ଝଗଡ଼ା ଲାଗି ରହିଥିଲା । ଆଉ ଏବେ ପରିବାରର ତିନିଜଣଙ୍କୁ ହତ୍ୟା କରି କୂଅରେ ଫୋପାଡ଼ିବା ପରେ ଫେରାର ହୋଇଯାଇଛି । ପୁଲିସ ଅଭିଯୁକ୍ତ ମୁକେଶକୁ ଖୋଜୁଛି ।