ତିନି ତଲାକ ବିଲକୁ ପୁଣି କଂଗ୍ରେସର ବିରୋଧ,ଲୋକସଭାରେ ଓଓ୍ବେସୀ,ଥରୁର ଓ ରବିଶଙ୍କରଙ୍କ ମଧ୍ୟରେ ବିତର୍କ

ନୂଆଦିଲ୍ଲୀ,୨୧।: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ପରେ ଶୁକ୍ରବାର ଶୁକ୍ରବାରଠାରୁ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଗୃହକାର୍ଯ୍ୟ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଏହି ଅବସରରେ ଲୋକସଭାରେ ବିଜେପି ସାଂସଦଙ୍କ ପକ୍ଷରୁ ତିନି ତଲାକ ବିଲ୍ ଆଗତ କରାଯାଇଥିଲା। ବିଜେପି ସାଂସଦ ତଥା କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଲକୁ ଆଗତ କରିଥିଲେ। କିନ୍ତୁ ଏହି ବିଲକୁ ପୁଣିଥରେ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। ଥିରୁଭାନନ୍ଥପୁରମରୁ ନିର୍ବାଚିତ କଂଗ୍ରେସ ସାଂସଦ ଶଶି ଥରୁର ଏହାକୁ ବିରୋଧ କରିବା ସହିତ ଏଥିରେ ରହିଥିବା ଅନେକ ବିଷୟ ସମ୍ବିଧାନ ବିରୋଧୀ ବୋଲି ଅଭିଯୋଗ କରିଛନ୍ତି। ସେହିପରି ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଉଦ୍ଦିନ ଓୱେସୀ ମଧ୍ୟ ବିଲ୍କୁ ଯୋରଦାର ବିରୋଧ କରିଛନ୍ତି। ଲୋକସଭାରେ ଏହି ବିଲ ସପକ୍ଷରେ ୧୮୬ଟି ଭୋଟ ମିଳିଥିବା ବେଳେ ବିରୋଧରେ ୭୪ଟି ଭୋଟ ମିଳିଛି।
ବିଲ୍ ଉପରେ ବିଜେପି ସାଂସଦ ରବିଶଙ୍କର ପ୍ରସାଦ କହିଥିଲେ, ସଂସଦକୁ କୋର୍ଟରେ ପରିଣତ କରନ୍ତୁନାହିଁ। ସମ୍ବିଧାନର ପ୍ରକ୍ରିୟା ଅଧୀନରେ ବିଲ୍ ଅଣାଯାଇଛି। ଏହି ବିଲକୁ ନେଇ ଶଶି ଥରୁର କହିଛନ୍ତି, ମୁଁ ଏହି ବିଲକୁ ଆଗତ କରାଯିବା ନେଇ ବିରୋଧ କରୁଛି। ଯେ କହିଛନ୍ତି ମୁଁ ୩ ତଲାକ ବିଲକୁ ସମର୍ଥନ କରୁନାହିଁ। ଏହି ବିଲକ ସମ୍ବିଧାନ ବିରୋଧୀ, ଏଥିରେ ସଭିଲ ଓ କ୍ରିମିନାଲ ଆଇନକୁ ମିଶାଇ ଦିଆଯାଇଛି। ଯଦି ସରକାରଙ୍କ ନଜରରେ ତଲାକ୍ ଦେଇ ପତ୍ନୀଙ୍କୁ ଛାଡିବା ଅପରାଧ, ତେବେ ଏହା କେବଳ ମୁସଲମାନଙ୍କ ପ୍ରତି ସୀମିତ କାହିଁକି ରହିଛି? ଏହି ଆଇନକୁ ସମସ୍ତ ସମ୍ପ୍ରଦାୟ ପାଇଁ ଲାଗୁ କରିବା ଦରକାର।
କଂଗ୍ରେସ ପକ୍ଷରୁ କୁହାଯାଇଛି ସରକାର ଏହି ବିଲ୍ ଜରିଆରେ ମୁସଲମାନ ମହିଳାଙ୍କ ଲାଭ କରୁନାହିଁ ବରଂ କେବଳ ମୁସଲମାନ ପୁରୁଷଙ୍କୁ ଦଣ୍ଡ ଦେଉଛି। ସୁପ୍ରିମକୋର୍ଟ ୩ ତଲାକ୍ ବିଲକୁ ବେଆଇନ୍ ଘୋଷିତ କରିଦେଇଛନ୍ତି, ତେବେ ସରକାର କେଉଁ କଥା ପାଇଁ ଦଣ୍ଡ ଦେଉଛନ୍ତି? ଏହି ବିଲକୁ କୌଣସି ଭାବରେ ଭୁଲରେ ବ୍ୟବହାର କରାଯାଇ ପାରେ। ଯେଉଁଥିରେ ମୁସଲମାନ ପୁରୁଷଙ୍କୁ ତଲାକ୍ ଦେବା ନେଇ ୩ ବର୍ଷର ଦଣ୍ଡାଦେଶ ଦିଆଯିବାର କଥା କହିଛନ୍ତି, କିନ୍ତୁ ଏହି ୩ ବର୍ଷରେ ମହିଳା ଓ ଶିଶୁ ଧ୍ୟାନ କିଏ ରଖିବ?
କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ଏହି ବିଲକୁ ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଇ ଦିଆଯାଉ। ଏହାଉପରେ ଠିକ୍ ଭାବରେ ଚର୍ଚ୍ଚା ହେବ। ସବୁ ପ୍ରକାର ରାୟ ଉପରେ ବିଚାର କରାଯିବ। ଉଲ୍ଲେଖନୀୟ ଯେ, ୩ ତଲାକ୍ ବିଲକୁ ଗତ କାର୍ଯ୍ୟକାଳରେ ସରକାର ଲୋକସଭାରେ ଆଗତ କରିଥିଲେ, ଯେଉଁଠାରେ ଏହା ପାସ୍ ହୋଇଯାଇଥିଲା। କିନ୍ତୁ ରାଜ୍ୟସଭାରେ ପାସ୍ ହୋଇପାରିନଥିଲା। କାର୍ଯ୍ୟକାଳ ଶେଷ ହେବା ସହିତ ପୁରୁଣା ବିଲ୍ ରଦ୍ଦ ହୋଇଯାଇଥିଲା। ଏବେ ସେହି ବିଲକୁ ପୁଣିଥରେ ଆଗତ କରାଯାଇଛି।