PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଘାଟି ତଳକୁ ଓଲଟିଲା ଟ୍ରକ୍‌: ୧୦ ମୃତ, ୩୨ ଆହତ

ବ୍ରାହ୍ମଣୀଗାଁ/ଦାରିଙ୍ଗବାଡ଼ି/ଫୁଲବାଣୀ,୨୨ା୧(ଆପ୍ର): ଆଉ କିଛି ସମୟ ପରେ ଧର୍ମସଭାରେ ସାମିଲ ହୋଇଥାନ୍ତେ । ପରିବାର ଓ ସମାଜର ମଙ୍ଗଳ କାମନା କରି ଯୀଶୁଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତେ । କିନ୍ତୁ ବିଧିର ବିଧାନ ଅଲଗା । ଚର୍ଚ୍ଚରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀ ବୋଝେଇ ମିନି ଟ୍ରକ୍‌ । ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ବ୍ରାହ୍ମଣୀଗାଁ ନିକଟ ବଙ୍ଗରଜୁଆଠାରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଖୋଲା ମିନି ଟ୍ରକ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ ଘାଟି ତଳକୁ ଖସିଯିବାରୁ ଅନ୍ୟୂନ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଆହୁରି ୩୨ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ମୃତାହତଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ଅଛନ୍ତି ।
ମଙ୍ଗଳବାର ପୂର୍ବାହ୍ନରେ ବ୍ରାହ୍ମଣୀଗାଁ କାଥଲିକ ଚର୍ଚ୍ଚରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ତାଜୁଙ୍ଗି ପଞ୍ଚାୟତର କଲିଙ୍ଗ ଗ୍ରାମରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଲୋକ ଏକ ମିନି ଟ୍ରକ୍‌ (ଓଆର୦୭ଡି-୧୬୧୧)ରେ ବ୍ରାହ୍ମଣୀଗାଁ ଯାଉଥିଲେ । ପୂର୍ବାହ୍ନ ପ୍ରାୟ ୧୦ଟାରେ ବ୍ରାହ୍ମଣାଁଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂର ବଙ୍ଗରଜୁଆ ଠାରେ ଗାଡ଼ି ଉପରୁ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଗାଡ଼ି ରାସ୍ତା ପାଶ୍ୱର୍ ୪୦ ଫୁଟ ଘାଟି ତଳକୁ ଖସି ପଡ଼ିଥିଲା । ଫଳରେ ଗାଡ଼ିରେ ବସିଥିବା ଲୋକେ ବାହାରକୁ ଫୋପାଡ଼ି ହୋଇ ଯାଇଥିଲେ । ରାସ୍ତା କଡ଼ରେ ଥିବା ପଥରରେ ପିଟି ହୋଇ ଘଟଣା ସ୍ଥଳରେ ୬ ଜଣଙ୍କ ପ୍ରାଣହାନି ଘଟିଥିଲା । ଏହି ଦୁର୍ଘଟଣାରେ ୩୬ରୁ ଅଧିକ ଲୋକ ଆହତ ହୋଇଥିଲେ । ଆହତମାନଙ୍କୁ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ହସପିଟାଲ୍‌କୁ ସ୍ଥାନାନ୍ତର କରି ଦିଆଯାଇଛି । ବ୍ରହ୍ମପୁରରେ ଆଉ ୪ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।
ସୁଲୁମାହା ଗ୍ରାମର ଦୁଇ ଭଉଣୀ ପ୍ରମିଳା ଛାଟିଆ(୩୫) ଓ ଆଲୁମିନା ଛାଟିଆ(୧୮), ଲାଜରା ଦିଗାଲ(୪୦), ଗଦାପୁର ଗ୍ରାମର ଦୀପକ କୁମାର ନାୟକ(୧୫), କଲିଙ୍ଗର ଲିଜାରାଣୀ ପ୍ରଧାନ(୧୩) ଓ କସାପାଙ୍କା ଗ୍ରାମର ନସିଆ ପାଲଟାସିଂ(୧୬)ଙ୍କର ଦୁର୍ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ସୁଲୁମାହାର ସାଲିନା ଦିଗାଲ(୪୦), ସାରିଆ ବଡ଼ସେଠ(୧୭), ସ୍ନିଗ୍‌ଧା ବଡ଼ସେଠ(୧୨) ଓ କଲିଙ୍ଗର କାଟେଟା ପ୍ରଧାନ(୪୫)ଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଛି । ଏବେ ୩୨ ଜଣ ଆହତ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି । ଆହତ ମାନେ ହେଲେ କଲିଙ୍ଗ ଗ୍ରାମର ହସିନା ରଣସିଂ, ସନତି ଋଣସିଂ, ମୀନାରାଣୀ ରଣ ସିଂ, ଫ୍ରାନସିସ୍‌ ରଣସିଂ, ସନ୍ତୋଷିନୀ ରଣସିଂ, ସିଆନତନ ରଣସିଂ, ପ୍ରୀତି ଦିଗାଲ, ଫିଲିମିନା ଦିଗାଲ, ସୁଲୁମାହା ଗ୍ରାମର ଅନନ୍ତ ସିଂ, ବିନୟ ଛାଟିଆ, ଖୀଷ୍ଟ ଛାଟିଆ, ଭାଗ୍ୟଲତା ଛାଟିଆ, ଲାଜରା ଛାଟିଆ, ଜୁନେସ ଛାଟିଆ, କମଳା ଛାଟିଆ, ଡିକି ବଳିୟାରସିଂ, ଏଲିସା ଦିଗାଲ, ସନନ୍ତ ବଳିୟାରସିଂ, ଅନସୂୟା ରଣସିଂ, କେଲେତା ରଣସିଂ, ରାନୁ ଉଠାଣସିଂ, ଜୁଲଣି ଗ୍ରାମର ପ୍ରୀତି ବଳିୟାରସିଂ, ବଡ଼ଗାଁର ହେମନ୍ତୀ ଦିଗାଲ, ପବିତ୍ର ବଳିୟାରସିଂ, ନିଆଜ ନାୟକ, ତୁଳସୀ ପରିଚ୍ଛା ଓ କେ. ମିତରି ପରିଚ୍ଛା । ଫୁଲବାଣୀ ଏସ୍‌ଡିପିଓ ସୁରେନ୍ଦ୍ରନାଥ ମୁର୍ମୁ, ଦାରିଙ୍ଗବାଡ଼ି ଥାନା ଅଧିକାରୀ ଅଲେଖ ଗର୍ଡିଆ, ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଜୟଚନ୍ଦ୍ର ମଲିକ, ଦାରିଙ୍ଗବାଡି ବିଡିଓ ତ୍ରିଲୋଚନ ପାତ୍ର, ତହସିଲଦାର ନୀତୀଶ ତ୍ରିପାଠୀଙ୍କ ସମେତ ଅନ୍ୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରୁଛନ୍ତି । କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି ଓ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ, ବାଲିଗୁଡ଼ା ଉପଜିଲ୍ଲାପାଳ ସିନେ୍ଧ ଦତ୍ତାତ୍ରେୟ ଭାଓସାହେବ ବ୍ରାହ୍ମଣୀ ଗାଁ ଡାକ୍ତରଖାନାକୁ ଯାଇ ଆହତ ମାନଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଛନ୍ତି । ଜିଲ୍ଲାପାଳ ମୃତକ ପରିବାରକୁ ରେଡ୍‌କ୍ରସ ପାଣ୍ଠିରୁ ୨୫ ହଜାର ଟଙ୍କା ସହ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି । ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ପ୍ରକାଶ ପାଇଛି ।
ଦୁର୍ଘଟଣାଗ୍ରସ୍ତ ଗାଡ଼ିଟି ଗଦାପୁର କୁନା ସାହୁଙ୍କର ବୋଲି ଜଣାପଡ଼ିଛି । ଗାଡ଼ିର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଘଟଣା ପରେ ବ୍ରାହ୍ମଣୀଗାଁ ସମେତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତାହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏଥିସହିତ ପ୍ରତି ମୃତକ ପରିବାରକୁ ମୁଖ୍ୟମନ୍ତ୍ରୀ ୨ ଲକ୍ଷ ଟଙ୍କା ଲେଖାଏର୍ ସହାୟତା ଘୋଷଣା କରିଛନ୍ତି ।