ନୂଆଦିଲ୍ଲୀ, ୯।୨: ଉତ୍ତର ନାଇଜେରିଆରେ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ । ବେପରୁଆ ଗାଡ଼ି ଚାଳନା ଯୋଗୁଁ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୩୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏଥିସହ ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । କାନୋ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, କାନୋର ଗେଜାୱା ସ୍ଥାନୀୟ ସରକାରୀ ଅଞ୍ଚଳର କ୍ୱାନାର ବାର୍ଡେ ସହରରେ ଟ୍ରେଲରଟି ଏକ ରାଜପଥରେ ଯାଉଥିବା ବେଳେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ।
ଏହା ବି ପଢ଼ନ୍ତୁ... ‘ଗ୍ଲୋବାଲ ଟିଚର ପ୍ରାଇଜ୍-୨୦୨୬’ ଜିତିଲେ ଭାରତୀୟ, ରୁବଲ ନାଗିଙ୍କୁ ମିଳିଲା ୯ କୋଟି
ଆଫ୍ରିକାର ସର୍ବାଧିକ ଜନବହୁଳ ଦେଶରେ ସଡ଼କ ଦୁର୍ଘଟଣା ସାଧାରଣ ଘଟଣା ପାଲଟିଗଲାଣି । ଏହାର କାରଣ ହେଉଛି ଖରାପ ରାସ୍ତା ଏବଂ ଟ୍ରାଫିକ୍ ଆଇନ ଉଲ୍ଲଂଘନ । ସଦ୍ୟତମ ଦୁର୍ଘଟଣାରେ ଜଡ଼ିତ ଟ୍ରକ୍ ଟି ଯାତ୍ରୀଙ୍କୁ ନେଇ କାନୋର ଗୁଜୁଙ୍ଗୁ ସହର ଅଭିମୁଖେ ଯାଉଥିଲା । ଠିକ୍ ଏହି ସମୟରେ ରବିବାର ଭୋର ସମୟରେ ଟ୍ରକ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାନୋ ରାଜ୍ୟପାଳ ଅବ୍ବା କବୀର ୟୁସୁଫଙ୍କ ମୁଖପାତ୍ର ସୁନୁସି ବାତୁରେ ଦାୱାକିନ ତୋଫାଙ୍କ ଦ୍ୱାରା ଜାରି ଏକ ବିବୃତ୍ତି ଅନୁଯାୟୀ, ଦୁର୍ଘଟଣାରେ ଆହତମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେ ଆହୁରି କହିଛନ୍ତି ଯେ, ରାଜ୍ୟପାଳ ଏହି ଘଟଣାକୁ ହୃଦୟବିଦାରକ ଏବଂ କେବଳ ପ୍ରଭାବିତ ପରିବାର ପାଇଁ ନୁହେଁ ବରଂ ସମଗ୍ର କାନୋ ରାଜ୍ୟର ଲୋକଙ୍କ ପାଇଁ ଏକ ବଡ଼ କ୍ଷତି ବୋଲି କହିଛନ୍ତି ।