ବ୍ରେକ୍ଡାଉନ୍ ଟ୍ରକ୍କୁ ପିଟିଲା ମାର୍ବଲ ବୋଝେଇ ଟ୍ରକ୍, ଡ୍ରାଇଭର ଗୁରୁତର

ତୁରୁମୁଙ୍ଗା୦୧/୦୪: ଚେମେଣା ନର୍ସରୀ ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବ୍ରେକ୍ ଡାଉନ୍ ଟ୍ରକ୍କୁ ପଛରୁ ପିଟିଲା ଟ୍ରକ୍। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଚାପି ହୋଇ ରହିଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ସମୟରେ ପରିଶ୍ରମ ପରେ ଟ୍ରକ୍ କ୍ୟାବିନ୍ ଭିତରୁ ଚାଳକଙ୍କୁ ବାହାର କରାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଟୋଲଗେଟ୍ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ଚେମେଣା ନର୍ସରୀ ନିକଟରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏକ ଟ୍ରକ ରାସ୍ତା ଉପରେ ଛିଡା ହୋଇ ରହିଥିଲା ରାଇପୁରରୁ କଲିକତା ଅଭିମୁଖେ ଯାଉଥିବା ଏକ ମାର୍ବଲ (କଳା ପଥର) ବୋଝେଇ ଟ୍ରକ ଛିଡା ହୋଇଥିବା ଟ୍ରକ ପଛରେ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ କ୍ଷୀପ୍ର ଗତିରେ ହୋଇଥିଲା ଯେ ଚାଳକ ଜଣଙ୍କ ଟ୍ରକ ଭିତରେ ଚାପି ହୋଇ ରହିଯାଇଥିଲେ। ଖବର ପାଇ ତୁରୁମୁଙ୍ଗା ପୋଲିସ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ତାଙ୍କୁ ଟ୍ରକ୍ ଭିତରୁ ବାହାର କରିଥିଲେ। ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଟ୍ରକ୍ ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।