ୱାଶିଂଟନ : ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଏବେସୁଦ୍ଧା ମିସାଇଲ ଓ ଡ୍ରୋନ୍ସ ଦ୍ୱାରା ଚାଲିଛି। କିନ୍ତୁ ଏବେ ଖବର ଆସୁଛି ଯେ, ଆମେରିକା ଇରାନ ବିରୋଧରେ ଗ୍ରାଉଣ୍ଡ ଅପରେସନର ପ୍ରସ୍ତୁତରେ ଅଛି। ହେଲେ ଏବେ ଏହା ସୀମିତି ସ୍ତରରେ ହେବ। ଅନେକ ରିପୋର୍ଟରେ ଦାବି କରାଯାଉଛି ଯେ,ଆମେରିକାରେ ଏହି ପରି ଚର୍ଚ୍ଚା ଆରମ୍ଭ ହୋଇ ସାରିଛି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରେ ଅଳ୍ପ ସଂଖ୍ୟାରେ ଆମେରିକୀୟ ସୈନିକଙ୍କ ମୁତୟନ ଉପରେ ଖୁବ୍ ରୁଚି ଦେଖାଇଛନ୍ତି। କୁହାଯାଉଛି ଯେ, ସ୍ଥଳ ସେନା ଅଭିଯାନ ଚଳାଇ ଆମେରିକା ଇରାନର ନ୍ୟୁକ୍ଲିୟର ଘାଟିକୁ ଦଖଲ କରିବାର ପ୍ରସ୍ତୁତିରେ ଅଛି। ସ୍ଥିତି ଉପରେ ନଜର ରଖି ଥିବା ଲୋକଙ୍କ ଅନୁସାରେ ଏନବିସି ନ୍ୟୁଜ୍ ଏହି ଖବର ପ୍ରକାଶିତ କରିଛି।
ରିପୋର୍ଟ ଅନୁସାରେ , ହ୍ୱାଇଟ୍ ହାଉସ ବାହାରେ ଟ୍ରମ୍ପଙ୍କ ଘନିଷ୍ଠ ଗ୍ରୁପ୍ ଓ ରିପବ୍ଲିକାନ ସହଯୋଗୀଙ୍କ ସହ ଆଲୋଚନା ହୋଇଛି। ଏଥିରେ ବଡ଼ ସ୍ତରରେ ଆକ୍ରମଣର ସ୍ଥାନ , ସୈନିକଙ୍କ ସୀମିତ ମୁତୟନ ଉପରେ ଧ୍ୟାନ ଦିଆ ଯାଇଛି। ଏଥିରେ ସୈନିକଙ୍କ ସୀମିତ ରୂପେ ରଣନୀତି କରି ମୁତୟନ କରାଯାଇ ପାରେ। ଏକ ଅଲଗା ରିପୋର୍ଟରେ, ଆକ୍ସିଓସ୍ କହିଛି ଯେ, ଆମେରିକା ଓ ଇସ୍ରାଏଲ ଯୁଦ୍ଧ ପରର ପର୍ଯ୍ୟାୟରେ ଇରାନରେ ବିଶେଷ ବାହିନୀ ପଠାଇବାର ସମ୍ଭାବନା ଉପରେ ଆଲୋଚନା କରିଛନ୍ତି, ଯାହାକି ୟୁରେନିୟମର ଭଣ୍ଡାରକୁ ସୁରକ୍ଷିତ କରାଯାଇ ପାରିବ।
ଉଲ୍ଲେଖନୀୟ ଯେ, ଆମେରିକୀୟ ଅଧିକାରୀଙ୍କ ମଧ୍ୟରେ ଗୋଟିଏ ମୁଖ୍ୟ ଚିନ୍ତା ଇରାନର ଅତ୍ୟଧିକ ସମୃଦ୍ଧ ୟୁରେନିୟମର ଭଣ୍ଡାରକୁ ନେଇ। ଏହାର ଆନୁମାନିକ ଓଜନ ପ୍ରାୟ ୪୫୦ କିଲୋଗ୍ରାମ୍ ଏବଂ ଏହା ପ୍ରାୟ ୬୦ ପ୍ରତିଶତ ଶୁଦ୍ଧ। ଯଦି ଏହାକୁ ଆହୁରି ସମୃଦ୍ଧ କରାଯାଏ ତ କିଛି ସପ୍ତାହରେ ଏହି ଅସ୍ତ୍ର-ଗ୍ରେଡ୍ ୟୁରେନିୟମରେ ବଦଳି ପାରେ।
ରିପୋର୍ଟ ଅନୁସାରେ , ଟ୍ରମ୍ପ ପ୍ରଶାସନ ଦୁଇଟି ସମ୍ଭାବିତ ବିକଳ୍ପର ସମୀକ୍ଷା କରିଛନ୍ତି। ହୁଏତ ଇରାନରୁ ୟୁରେନିୟମକୁ ସଂପୂର୍ଣ୍ଣ ରୂପେ ହଟେଇବା କିମ୍ୱା ସାଇଟ୍ରେ ଏହାକୁ ପତଳା କରିବା ପାଇଁ ପରମାଣୁ ବିଶେଷଜ୍ଞଙ୍କୁ ପଠାଇବା।