ନୂଆଦିଲ୍ଲୀ,୧୩/୦୧: ମଧ୍ୟପ୍ରାଚ୍ୟରେ ବଢୁଛି ଯୁଦ୍ଧ ଘନଘଟା । ଯେକୌଣସି ସମୟରେ ଇରାନ୍ ଉପରେ ଆକ୍ରମଣ କରିପାରେ ଆମେରିକା । ଏହାରି ଭିତରେ ପୁଣି ଟାରିଫ୍ ବୋମା ଫୁଟାଇଛନ୍ତି ଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନ୍ ସହ ବ୍ୟବସାୟ କରୁଥିବା ଦେଶ ଉପରେ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି ରାଷ୍ଟ୍ରପତି । ଇରାନ୍ ସହ କାରବାର ବନ୍ଦ ନକଲେ ଲାଗିବ ଅତିରିକ୍ତ ୨୫% ଟାରିଫ୍ । ରୁଷ୍ ପର୍ମୁଲା ଇରାନ୍ ଉପରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ । ତୁରନ୍ତ ପ୍ରଭାବରେ ଏହା ଲାଗୁ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତ ବି ଏହି ତାଲିକାରେ ରହିଛି । କାରଣ ଭାରତ ଇରାନ ସହିତ ଚିନି , ଚା' , ଔଷଧ ଏବଂ ଡ୍ରାଏ ଫ୍ରୁଟ୍ସ ଆଦିକୁ ନେଇ ବ୍ୟବସାୟ କରୁଛି । ବର୍ତ୍ତମାନ ସୁଦ୍ଧା ଭାରତକୁ ନେଇ ଆମେରିକା କିଛି କହିନାହିଁ ।
୨୫% ଟାରିଫ୍ ଲଗାଇବାକୁ କଲେ ଘୋଷଣା- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ଟ୍ରୁଥରେ ଲେଖିଛନ୍ତି, ତୁରନ୍ତ ପ୍ରଭାବରେ ଏହା ଲାଗୁ ହେଉଛି । କୌଣସି ଦେଶ ଇସଲାମିକ୍ ଗଣରାଜ୍ୟ ଇରାନ୍ ସହିତ ବାଣିଜ୍ୟ କାରବାର କଲେ ତାକୁ ଆମେରିକା ସହ କରୁଥିବା ବ୍ୟବସାୟରେ ୨୫ ପ୍ରତିଶତ ଟାରିଫ୍ ଦେବାକୁ ପଡିବ । ଏହି ଆଦେଶ ଅନ୍ତିମ ଏବଂ ନିର୍ଣ୍ଣାୟକ । ଚୀନ, ବ୍ରାଜିଲ, ତୁର୍କୀ ଏବଂ ରୁଷ ସମେତ ଅନେକ ଦେଶ ଇରାନ୍ ସହିତ ବ୍ୟବସାୟ କରୁଛନ୍ତି ।
ଭାରତ ଉପରେ ପଡ଼ିବ କି ପ୍ରଭାବ ? ଟ୍ରମ୍ପ କେବଳ ଇରାନ ଉପରେ ଆର୍ଥିକ ଚାପ ପ୍ରୟୋଗ କରିବା ପାଇଁ ନୁହେଁ, ବରଂ ଇରାନ ସହିତ ସମ୍ପର୍କ ବଜାୟ ରଖୁଥିବା ଦେଶଗୁଡ଼ିକୁ ଚେତାବନୀ ଦେବା ପାଇଁ ମଧ୍ୟ ଏହି ଶୁଳ୍କ ଲାଗୁ କରିଛନ୍ତି । ଇରାନର ପ୍ରମୁଖ ବାଣିଜ୍ୟିକ ଅଂଶୀଦାରମାନଙ୍କ ମଧ୍ୟରେ ଭାରତ, ଚୀନ୍, ତୁର୍କୀ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଭଳି ଦେଶ ରହିଛନ୍ତି । ଏପରି ପରିସ୍ଥିତିରେ, ଟ୍ରମ୍ପଙ୍କ ନିଷ୍ପତ୍ତି ଭାରତ ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଭାରତ ଇରାନକୁ ଚାଉଳ, ଚା, ଚିନି, ଔଷଧ, ବୈଦ୍ୟୁତିକ ଯନ୍ତ୍ରପାତି ସମେତ ଅନ୍ୟାନ୍ୟ ସାମଗ୍ରୀ ରପ୍ତାନୀ କରେ। ଏହି ସମୟରେ, ଭାରତ ଇରାନରୁ ଡ୍ରାଏ ଫ୍ରୁଟ୍ସ, ଅଜୈବ/ଜୈବ ରାସାୟନିକ ପଦାର୍ଥ, କାଚ ସାମଗ୍ରୀ ଏବଂ ଅନ୍ୟାନ୍ୟ ସାମଗ୍ରୀ ଆମଦାନୀ କରିଥାଏ । ଟ୍ରମ୍ପଙ୍କ ଧମକ ଅନୁସାରେ ଯେହେତୁ ଭାରତ ଇରାନ୍ ସହ କାରବାର କରୁଛି ତେଣୁ ପ୍ରଭାବ ପଡିବା ଅନୁମାନ କରାଯାଉଛି ।
ଇରାନରେ ତେଜୁଛି ସରକାର ବିରୋଧୀ ପ୍ରତିବାଦ- ଗତ ଦୁଇ ସପ୍ତାହ ହେବ ଇରାନ୍ରେ ସରକାରୀ ବିରୋଧୀ ଆନ୍ଦୋଳନ ଜାରି ରହିଛି । ଦିନକୁ ଦିନକ ଉଗ୍ର ରୂପ ନେଉଛି ପ୍ରତିବାଦ । ଏହା ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି । ବହୁ ସଂଖ୍ୟକ ଲୋକ ପ୍ରତିବାଦ କରିବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି । ଏହି ପ୍ରତିବାଦରେ ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିବାଦକାରୀଙ୍କୁ ସମର୍ଥନ କରିଛନ୍ତି । ଟ୍ରମ୍ପ ବାରମ୍ବାର କହିଆସୁଛନ୍ତି ଯେ, ଯଦି ଇସଲାମିକ୍ ଗଣରାଜ୍ୟ ସରକାର ପ୍ରଦର୍ଶନକାରୀଙ୍କ ଉପରେ ଆକ୍ରମଣ କରେ ତେବେ ଆମେରିକା ସାମରିକ କାର୍ଯ୍ୟାନୁଷ୍ଠାନରୁ ପଛଘୁଞ୍ଚା ଦେବ ନାହିଁ ।