ନୂଆଦିଲ୍ଲୀ,୧୦/୦୧: ବୈଶ୍ୱିକ ଅସ୍ଥିରତା ଭିତରେ ଭେନେଜୁଏଲା ତେଲକୁ ନେଇ ବଡ଼ ସଙ୍କେତ ଦେଇଛି ହ୍ୱାଇଟ୍ ହାଉସ୍ । ଭାରତକୁ ଭେନେଜୁଏଲା ତେଲ କିଣିବାକୁ ଅନୁମତି ଦିଆଯିବ ବୋଲି ହ୍ୱାଉଟ୍ ହାଉସ୍ ପକ୍ଷରୁ କୁହାଯାଇଛି । ଅର୍ଥାତ୍ ଭେନେଜୁଏଲା ଅଶୋଧିତ ତେଲକୁ ଆମେରିକା ଭାରତକୁ ବିକ୍ରି କରିବ । ପୁରା ବିଶ୍ୱକୁ ୫ କୋଟି ବ୍ୟାରେଲ ତୈଳ ବିକ୍ରି କରିବ ଆମେରିକା । ଭାରତକୁ ମଧ୍ୟ ଭେନେଜୁଏଲାରୁ ତେଲ କିଣିବାକୁ ଅନୁମିତି ମିଳିବ ବୋଲି ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ଏହି ଦାବି କରିଛନ୍ତି ।
ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୱାଶିଂଟନ ଭାରତ ସମେତ ବିଶ୍ୱ ବଜାରରେ ଭେନେଜୁଏଲା ତେଲ ବିକ୍ରି କରିବାକୁ ପ୍ରସ୍ତୁତ । ଆମେରିକା ଶକ୍ତି ସଚିବ କ୍ରିଷ୍ଟୋଫର ରାଇଟ୍ ଫକ୍ସ ବିଜନେସ୍ ସହିତ ଏକ ସାକ୍ଷାତକାରରେ କହିଛନ୍ତି, ଆମେରିକା ସରକାର ଭେନେଜୁଏଲା ତେଲକୁ ବିକ୍ରି କରିବାକୁ ଅନୁମତି ଦେବ ମାତ୍ର କେବଳ ଏକ ଢାଞ୍ଚା ଅଧୀନରେ ଯେଉଁଥିରେ ବିକ୍ରୟ ଆମେରିକା ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହେବ । ବଜାରରେ ବିକ୍ରୟ କରାଯିବ ଏବଂ ଏଥିରୁ ମିଳୁଥିବା ଅର୍ଥ ୱାଶିଂଟନ ଦ୍ୱାରା ନିୟନ୍ତ୍ରିତ ଆକାଉଣ୍ଟରେ ଜମା କରାଯିବ । ସିଧା କଥା ତୁମେ ଆମେରିକା ସହିତ କାମ କରି ତେଲ ବିକ୍ରୟ କରିପାରିବ ନଚେତ୍ ତେଲ ବିକ୍ରି ନକରିପାର । ଏହାକୁ ଭେନେଜୁଏଲା ପୂର୍ବ ନେତୃତ୍ୱଙ୍କ ସହିତ ଜଡ଼ିତ ଅପରାଧିକ ଗତିବିଧି ଏବଂ ଅସ୍ଥିରତାକୁ ସମାପ୍ତ କରିବାକୁ ନିଆଯାଇଥିବା ପଦକ୍ଷେପ ବୋଲି କହିଛନ୍ତି । ଆମେରିକା ନୀତି ଅନୁଯାୟୀ ଭେନେଜୁଏଲାର ତୈଳ ରପ୍ତାନି ଅନିର୍ଦ୍ଦିଷ୍ଟ କାଳ ପାଇଁ ନିୟନ୍ତ୍ରିତ ରହିବ, ଯେବେ କିଛି ଅଣ-ଆମେରିକୀୟ କ୍ରେତାଙ୍କ ପାଖକୁ ଯିବାକୁ ଅନୁମତି ଦିଆଯିବ ।
ଭାରତ ବିଶ୍ୱର ତୃତୀୟ ସବୁଠୁ ତେଲ କ୍ରୟ ଦେଶ । ଏହାର ରିଫାଇନାରୀଗୁଡ଼ିକ ଭେନେଜୁଏଲାର ଭାରି ଅଶୋଧିତ ତୈଳ ପ୍ରକ୍ରିୟାକରଣ କରିବାକୁ ସକ୍ଷମ । ୨୦୧୯ ପୂର୍ବରୁ ଭାରତ ଭେନେଜୁଏଲାର ଅଶୋଧିତ ତୈଳର ଏକ ପ୍ରମୁଖ କ୍ରେତା ଥିଲା । କିନ୍ତୁ ଆମେରିକା କଟକଣା ଯୋଗୁଁ ଆମଦାନୀ ବନ୍ଦ ହୋଇଯାଇଥିଲା । ଏବେ ଭାରତ ପୁଣି ଥରେ ଆମେରିକାର ଢାଞ୍ଚା ଅଧୀନରେ ଭେନେଜୁଏଲାର ତେଲ କ୍ରୟ କରିପାରିବ । ଯାବା ରୁଷୀୟ ତୈଳ ଉପରେ ନିର୍ବରଶୀଳତା ହ୍ରାସ କରିବାର ବିକଳ୍ପ ପ୍ରଦାନ କରିବ ।
କହି ରଖୁଛୁ କି, ଜାନୁଆରୀ ୩ରେ ଆମେରିକା ସେନା ଭେନେଜୁଏଲା ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରି ନେଇଥିଲା । ମାଦୁରୋଙ୍କ ବିରୁଦ୍ଧରେ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ଚାଲାଣ ଅଭିଯୋଗ ରହିଛି । ଟ୍ରମ୍ପ ଘୋଷଣା କରିଥିଲେ ଯେ ଆମେରିକା ଭେନେଜୁଏଲାର ତୈଳ କ୍ଷେତ୍ରର ନିୟନ୍ତ୍ରଣ ନେବ ଏବଂ ଆମେରିକୀୟ କମ୍ପାନୀଗୁଡ଼ିକ ଉତ୍ପାଦନ ବୃଦ୍ଧି ପାଇଁ କୋଟି କୋଟି ଡଲାର ନିବେଶ କରିବ ।