ନୂଆଦିଲ୍ଲୀ,୦୫/୦୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ଉପରେ ବୈଦେଶିକ ମନ୍ତ୍ରୀଙ୍କ ୟୁ-ଟର୍ଣ୍ଣ । ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ କ୍ଷମତାରୁ ବହିଷ୍କାର କରିବା ପରେ ଆମେରିକା ଭେନେଜୁଏଲାକୁ ଦଖଲ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ । ଏହା ଦିନକ ପରେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସଙ୍କେତ ଦେଇ କହିଛନ୍ତି କି, ତେଲ ପ୍ରତିବନ୍ଧକ ବ୍ୟତୀୟ ଆମେରିକା ଭେନେଜୁଏଲା ଶାସନରେ କୌଣସି ଭୂମିକା ଗ୍ରହଣ କରିବ ନାହିଁ ।

ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସଫେଇ ଦେଇ କହିଛନ୍ତି, ଆମେ ଭେନେଜୁଏଲା ବିରୋଧରେ ଯୁଦ୍ଧ ଲଢ଼ୁନାହୁଁ । ଆମେରିକାର ଏହି ଲଢ଼େଇ ଭେନେଜୁଏଲା ନୁହେଁ, ବରଂ ଡ୍ରଗ୍ସ ତସ୍କରି କରୁଥିବା ସଙ୍ଗଠନ ବିରୋଧରେ ହେଉଛି । ଆମେରିକା ଭେନେଜୁଏଲାକୁ ପରିଚାଳନା କରୁନାହିଁ । ଭେନେଜୁଏଲା ଉପରେ ଆମେ ଶାସନ କରିବୁନାହିଁ । କିନ୍ତୁ ସ୍ଥିତିକୁ ଉଚିତ୍‌ ଦିଗରେ ନେବା ପାଇଁ ଉଦ୍ୟମ ଚଳାଇଛି । ବର୍ତ୍ତମାନ ଭେନେଜୁଏଲାର କୌଣସି ସରକାର ସମ୍ପୂର୍ଣ୍ଣ ବୈଧ ନୁହେଁ । ତାଙ୍କ ଅନୁସାରେ, ଗଣତାନ୍ତ୍ରିକ କ୍ଷମତା ହସ୍ତାନ୍ତରଣ ଉପରେ ଏବେ ଗୁରୁତ୍ୱ ଦିଆଯିବ । ଆମେରିକା ଏବେ ଭେନେଜୁଏଲାକୁ ପରିଚାଳନା କରିବା ନେଇ ଶନିବାର ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ ।

​​​​​​​'ତେଲ କଟକଣା ଜାରି ରଖିବ ଆମେରିକା'- ରୁବିଓ କହିଛନ୍ତି ଯେ, ଆମେରିକା ମାଦୁରୋଙ୍କୁ କ୍ଷମତାରୁ ବହିଷ୍କାର କରିବା ପୂର୍ବରୁ ନିଷିଦ୍ଧ ଟ୍ୟାଙ୍କରଗୁଡ଼ିକ ଉପରେ ଲାଗୁ ହୋଇଥିବା ତୈଳ କଟକଣା ଜାରି ରଖିବ ଏବଂ ନୀତି ପରିବର୍ତ୍ତନ ପାଇଁ ଭେନେଜୁଏଲା ଉପରେ ଚାପ ପକାଇବା ପାଇଁ ସେହି ପ୍ରଭାବକୁ ଏକ ଉପାୟ ଭାବରେ ବ୍ୟବହାର କରିବ । ଆମେ ଆଶା କରୁଛୁ ଯେ ତୈଳ ଶିଳ୍ପ କେବଳ ଲୋକଙ୍କ ଲାଭ ପାଇଁ ନୁହେଁ, ବରଂ ନିଶାଦ୍ରବ୍ୟ ଚାଲାଣକୁ ରୋକିବା ପାଇଁ ମଧ୍ୟ ପରିଚାଳିତ ହେବ ।

ବୈଦେଶିକ ମନ୍ତ୍ରୀ ରୁବିଓ ଆହୁରି କହିଛନ୍ତି, ନିଷିଦ୍ଧ ତୈଳ ଟ୍ୟାଙ୍କରଗୁଡ଼ିକର ଅବରୋଧ ବଳବତ୍ତର ରହିଛି ଏବଂ ଏହା ଏକ ଚାପ  ଭେନେଜୁଏଲା ଲୋକଙ୍କ ପାଇଁ ଏକ ଉନ୍ନତ ଭବିଷ୍ୟତ ମଧ୍ୟ ଆଣିବ । ଏହି ଅବରୋଧର ଅଂଶ ସ୍ୱରୂପ ଆମେରିକା ଅନେକ ଭେନେଜୁଏଲା ଟ୍ୟାଙ୍କରକୁ ମଧ୍ୟ ଜବତ କରିଛି । ଶନିବାର ଫ୍ଲୋରିଡାରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ୬ ଥରରୁ ଅଧିକ ଥର ଦୋହରାଇଥିଲେ ଯେ, ଆମେରିକା ଭେନେଜୁଏଲାକୁ ଶାସନ କରିବ, ଯାହା କିଛି ଡେମୋକ୍ରାଟଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି ।