ଓ୍ବାଶିଂଟନ୍,୨୮।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ବିଗତ ଏକ ବର୍ଷରେ ସାରା ଦୁନିଆରେ ଅସ୍ଥିରତା ସୃଷ୍ଟି କରିଛନ୍ତି। ଟାରିଫ୍ଠାରୁ ନେଇ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ୍ ମାଦୁରୋଙ୍କୁ ରାତି ଅଧିକ ଉଡାଇ ନେବାକୁ ନେଇ ସାରା ଦୁନିଆର ଚକିତ ହୋଇଥିଲା। ଏବେ ଟ୍ରମ୍ପ ପୁଣିଥରେ ବଡ଼ ଆକ୍ରମଣର ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଇରାନ ଆଡକୁ ଆମେରିକାର ଏକ ବିଶାଳ ନୌସେନା ବାହିନୀଙ୍କ ଦଳ ଦ୍ରୁତ ଗତିରେ ଅଗ୍ରସର ହେଉଛି। ଏହି ନୌବାହିନୀ ଶକ୍ତି, ଉତ୍ସାହ ଏବଂ ଏକ ସ୍ପଷ୍ଟ ଉଦ୍ଦେଶ୍ୟ ସହିତ ଆଗକୁ ବଢ଼ୁଛି। ବିଶାଳକାୟ ଜାହାଜ ଆବ୍ରାହମ ଲିଙ୍କନଙ୍କ ନେତୃତ୍ୱରେ, ଏହି ନୌବାହିନୀ ଭେନେଜୁଏଲାକୁ ପଠାଯାଇଥିବା ନୌବାହିନୀଠାରୁ ମଧ୍ୟ ବଡ଼।

ଟ୍ରମ୍ପ କହିଛନ୍ତି, ଭେନେଜୁଏଲା ପରି, ଏହି ନୌବାହିନୀ ସମ୍ପୂର୍ଣ୍ଣ ସକ୍ଷମ ଏବଂ ଆବଶ୍ୟକ ହେଲେ ଅତ୍ୟନ୍ତ ଦ୍ରୁତ ଗତି ଏବଂ ବଳ ସହିତ ନିଜର ମିଶନକୁ କାର୍ଯ୍ୟକାରୀ କରିବାକୁ ସଂକୋଚ କରିବ ନାହିଁ। ସେ ଆଶା କରିଛନ୍ତି ଯେ ଇରାନ ଖୁବ୍ ଶୀଘ୍ର ଆଲୋଚନା କରିବ। ଏକ ନିରପେକ୍ଷ ଏବଂ ସନ୍ତୁଳିତ ଚୁକ୍ତି ପାଇଁ ଆଲୋଚନା କରିବ, ଯାହା ପରମାଣୁ ଅସ୍ତ୍ର ବିନା ସମସ୍ତ ପକ୍ଷଙ୍କ ପାଇଁ ଲାଭଦାୟକ ହେବ। ସମୟ ସରି ଆସୁଛି, ଏବଂ ପରିସ୍ଥିତି ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି। ମୁଁ ପୂର୍ବରୁ ବି ଇରାନକୁ କହିଥିଲି ଡିଲ୍ କରିନିଅ,କିନ୍ତୁ ସେମାନେ ଏଭଳି କଲେ ନାହିଁ। ଫଳାଫଳ ଥିଲା ଅପରେସନ୍ ମିଡନାଇଟ୍ ହ୍ୟାମର, ଯାହାଫଳରେ ଇରାନକୁ ଭାରି ପରିମାଣରେ କ୍ଷତି ସହିବାକୁ ପଡିଥିଲା। ଆଗାମୀ ଆକ୍ରମଣ ଏହାଠାରୁ ଅଧିକ ବିନାଶକାରୀ ହେବ। ଏଭଳି ଦ୍ବିତୀୟ ଥର ହେବାକୁ ଦିଅନି। ଏଭଳି ଗମ୍ଭୀର ବିଷୟ ଉପରେ ଆପଣଙ୍କୁ ଧ୍ୟାନ ଦେବା ପାଇଁ ଧନ୍ୟବାଦ।

ଉଲ୍ଲେଖନୀୟ ଯେ, ଆମେରିକା ଗତ ବର୍ଷ ଜୁନ୍ରେ ଇରାନ ବିରୋଧରେ ନିଜର ସବୁଠାରୁ ଦ୍ରୁତ ଓ ବିପଦଜନକ ସାମରିକ ଅଭିଯାନ ‘ଅପରେସନ୍ ମିଡନାଇଟ୍ ହାମର’କୁ ସଫଳ କରିଛି। ଏହି ଅପରେସନ ଦ୍ବାରା ମାତ୍ର ୨୫ ମିନିଟ୍‌ ଇରାନର ତିନୋଟି ଗୁରୁତ୍ବପୂର୍ଣ୍ଣ ପରମାଣୁ ଆଡ୍ଡାକୁ ଟାର୍ଗେଟ କରିଥିଲା। ଆମେରିକା ବାୟୁସେନା ଇରାନର ଫୋର୍ଡ, ନାଟାଞ୍ଜ ଓ ଇସଫାହନ ସ୍ଥିତ ତିନୋଟି ପରମାଣୁ ଆଡ୍ଡା ଉପରକୁ ଏୟାର ଷ୍ଟ୍ରାଇକ୍ କରିଥିଲା।ଏହି ଆକ୍ରମଣ ୭ ଷ୍ଟିଲଥ୍ ବି-୨ ବମ୍ବର୍ସରୁ କରାଯାଇଥିଲା,ଏହାଦ୍ବାରା ୧୨ଟି ବୋମା ମାଡ଼ କରାଯାଇଥିଲା। ଏହା ଖୁବ୍ ଗୋପନୀୟ ସାମରିକ ମିଶନ୍‌ରେ ୧୨୫ ରୁ ଅଧିକ ବିମାନରେ ସାମିଲ ଥିଲା ଓ ଏକ ଖାସ୍ ରଣନୀତି ମଧ୍ୟ ଗ୍ରହଣ କରାଯାଇଥିଲା।

ଆହୁରି ପଢନ୍ତୁ :ଅଷ୍ଟ୍ରେଲିଆ ପରେ ଏବେ ଫ୍ରାନ୍ସ, ୧୫ ବର୍ଷରୁ କମ୍ ବୟସର ପିଲାଙ୍କୁ ସୋସିଆଲ ମିଡିଆ ବ୍ୟାନ୍