ନୂଆଦିଲ୍ଲୀ,୧୮/୦୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗ୍ରୀନଲାଣ୍ଡକୁ ଆମେରିକାରେ ସାମିଲ କରିବା ମିଶନରେ ଟାରିଫ ଅସ୍ତ୍ର ଚଲାଇଛନ୍ତି । କୌଣସି ଦେଶ ଏଥିରେ ବାଧା ସୃଷ୍ଟି ଉଦ୍ୟମ କଲେ ସେହି ଦେଶ ତାଙ୍କ ଟାରିଫ୍ ବ୍ରହ୍ମାସ୍ତ୍ରର ସାମ୍ନା କରିବ ବୋଲି ଟ୍ରମ୍ପ୍ କହିଛନ୍ତି । ଏହା କହିବାର କିଛି ଘଣ୍ଟା ପରେ ଟ୍ରମ୍ପ୍ ୮ ୟୁରୋପୀୟ ଦେଶ ଉପରେ ୧୦% ଅତିରିକ୍ତ ଟାରିଫ୍ ଲଗାଇବାକୁ ଘୋଷଣା କରିଛନ୍ତି । ଖାଲି ସେତିକି ନୁବେଁ ଗ୍ରୀନଲାଣ୍ଡ ଡିଲ୍‌ ଫାଇନାଲ ନହେଲେ ଜୁନ୍ ୧ରୁ ଏହାକୁ ବଢାଇ ୨୫ ପ୍ରତିଶତ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଡେନ୍‌ମାର୍କ ଅଧୀନରେ ଥିବା ଗ୍ରୀନ୍ଲାଣ୍ଡକୁ ନେଇ ଟ୍ରମ୍ପ୍‌ଙ୍କ ଏହି ମିଶନରେ ୟୁରୋପୀୟ ଦେଶ ବାଧା ହୋଇଥିବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି । ଟ୍ରମ୍ପ୍ କହିଛନ୍ତି, ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ଗ୍ରୀନଲାଣ୍ଡ ବେଶ୍ ଜରୁରି । ତେଣୁ ଗ୍ରୀନଲାଣ୍ଡ ମାମଲାରେ ଯିଏ ବି ଆମେରିକା ବିରୋଧରେ ଯିବ ତା’ଉପରେ ଉଚ୍ଚ ଟାରିଫ୍ ଲଗାଯିବ । ଏଥିପାଇଁ ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିବ । ଆସନ୍ତା ଫେବ୍ରୁଆରୀ ୧ରୁ ଉକ୍ତ ୮ ୟୁରୋପୀୟ ଦେଶରୁ ଆସୁଥିବା ସାମଗ୍ରୀ ଉପରେ ୧୦% ଟାରିଫ୍ ଲାଗିବ । ସେହି ଦେଶଗୁଡ଼ିକର ତାଲିକାରେ ଡେନ୍ମାର୍କ, ନରୱେ, ସ୍ୱିଡେନ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ନେଦରଲାଣ୍ଡ ଏବଂ ଫିନ୍‌ଲାଣ୍ଡ ରହିଛି ।

ଏଥିସହ ଟ୍ରମ୍ପ୍ ଚେତାବନୀ ଦେଇଛନ୍ତି ଯେ, ଗ୍ରୀନଲାଣ୍ଡ ଉପରେ ତୁରନ୍ତ ବୁଝାମଣା ନ ହେଲେ ଆସନ୍ତା ଜୁନ୍ ୧ରୁ ୨୫% ଟାରିଫ୍ ଲାଗିବ । ହ୍ୱାଇଟ ହାଉସ୍‌ରେ ଏକ କାର୍ଯ୍ୟକ୍ରମବେଳେ ଟ୍ରମ୍ପ୍ କହିଥିଲେ, ଆମେରିକା ପାଖରେ ନିଜ ହିତକୁ ସାଧନ କରିବା ଲାଗି ଅନେକ ବାଟ ରହିଛି । ଗ୍ରୀନଲାଣ୍ଡକୁ ନେଇ ଆମେରିକା ବଡ଼ ପଦକ୍ଷେପ ନେବାରେ ଆଦୌ ପଛଘୁଞ୍ଚା ଦେବନି । ଟ୍ରମ୍ପ୍‌ଙ୍କ ବାରମ୍ବାର ଧମକକୁ ନେଇ ଡେନ୍‌ମାର୍କ ଏବଂ ଗ୍ରୀନଲାଣ୍ଡ ମଧ୍ୟ କଡ଼ା ଆପତ୍ତି ଉଠାଇଛନ୍ତି । ଗ୍ରୀନଲାଣ୍ଡ କୌଣସି ବ୍ୟବସାୟ ଲାଗି ଉଦ୍ଦିଷ୍ଟ ସାମଗ୍ରୀ ନୁହେଁ । ଏଠାକାର ଲୋକ ନିଜର ଭବିଷ୍ୟତ ନିଜେ ନିର୍ଦ୍ଧାରିତ କରିବେ ବୋଲି ଡେନ୍ମାର୍କ କହିଛି । ଗ୍ରୀନ୍‌ଲାଣ୍ଡ ମଧ୍ୟ ସର୍ବଦା ଡେନମାର୍କ ସହ ରହିବ ବୋଲି କହିଆସୁଛି । ଅନ୍ୟପକ୍ଷରେ ଗ୍ରୀନଲାଣ୍ଡର ମାଲିକାନା ଅଧିକାର ନିଷ୍ପତ୍ତି ଆମେରିକା ରାଷ୍ଟ୍ରପତି କରିପାରିବେ ନାହିଁ ବୋଲି କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି କହିଛନ୍ତି । ଟ୍ରମ୍ପଙ୍କ ଏହି ଧମକକୁ ନେଇ ଫ୍ରାନ୍ସ ଏବଂ ବ୍ରିଟେନ୍‌ ମଧ୍ୟରେ ଆଲୋଚନା ଚାଲିଛି । ୟୁଏଇ ଆଜି ଜରୁରୀ ବୈଠକ ଡାକିଛି । ସେହିପରି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ କହିଛନ୍ତି ଆମେ ଟାରିଫ୍ ଧମକକୁ ଡରୁନାହୁଁ ।  

​​​​​​​ଟ୍ରମ୍ପଙ୍କ ଶୁଳ୍କ ଏବଂ ପ୍ରତିବାଦ

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଶୁଳ୍କ ବୋମା ଫୁଟାଇ ଚାଲିଛନ୍ତି । ଫଳରେ ତାଙ୍କ ବିରୋଧରେ ପ୍ରତିବାଦ ତୀବ୍ର ହେଉଛି । ଡେନମାର୍କ ଏବଂ ଗ୍ରୀନଲାଣ୍ଡରେ ବଡ଼ ଧରଣର ପ୍ରଦର୍ଶନ ହୋଇଛି । ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ଘୋଷଣା କରିଥିଲେ ଯେ, ଗ୍ରୀନଲ୍ୟାଣ୍ଡର ଗଣତାନ୍ତ୍ରିକ ବ୍ୟବସ୍ଥା, ଲୋକଙ୍କ ଅଧିକାର ଏବଂ ଆତ୍ମନିର୍ଣ୍ଣୟକୁ ନେଇ କୌଣସି ବୁଝାମଣା ହେବ ନାହିଁ ।