ଭୁବନେଶ୍ୱର, ୧୩/୦୧ : ପୁଣି ଚର୍ଚ୍ଚାରେ ଟୁଙ୍ଗୁରୁ ଭୋଳ। ହେଲେ ଏଥର ବର୍ଷାଙ୍କ ପାଇଁ ନୁହେଁ, ଚୋରି କରି ଜେଲ୍ ଗଲେ ଟୁଙ୍ଗୁରୁ। ଗ୍ୟାସ୍‌ ସିଲିଣ୍ଡର ଚୋରି କରି ଆଲୋକ ଭୋଳ ଗିରଫ ହୋଇଛନ୍ତି। ତାଙ୍କୁ ତମାଣ୍ଡୋ ଥାନା ପୁଲିସ ଗିରଫ କରିବା ସହ ତାଙ୍କଠାରୁ ଗ୍ୟାସ୍‌ ସିଲିଣ୍ଡର, ଏକ ଡ୍ରିଲ୍‌ ମେସିନ ଏବଂ ଯାତ୍ରୀବାହୀ ଅଟୋ ଜବତ କରିଛି। ଟୁଙ୍ଗୁରୁଙ୍କ ଘର ଗଞ୍ଜାମ ହିଞ୍ଜିଳି । ସେ ତମାଣ୍ଡୋ ଥାନା କଳିଙ୍ଗନଗର କେ-୪ ଅଞ୍ଚଳରେ ରହୁଥିଲେ ।

ପୁଲିସ ସୂଚନା ଅନୁଯାୟୀ, ତମାଣ୍ଡୋ କୁବେରସାହିରେ ଏକ ଆପାର୍ଟମେଣ୍ଟ୍‌ରେ କାମ କରୁଥିବା ରାଜମସ୍ତ୍ରୀ ସୁଧାକର ବେହେରା ସେଠାରେ ଏକ ଷ୍ଟୋର ରୁମ୍‌ରେ ରହୁଥିଲେ । ରବିବାର ମଧ୍ୟାହ୍ନରେ ସୁଧାକରଙ୍କ ଅନୁପସ୍ଥିତିରେ ଟୁଙ୍ଗୁରୁ ଏକ ଅଟୋରେ ଯାଇ ସେଠାରେ ପହଞ୍ଚିଥିଲେ । ସୁଧାକରଙ୍କ ରୁମ୍‌ରେ ପଶି ଗ୍ୟାସ୍‌ ସିଲିଣ୍ଡର, ଏକ ଡ୍ରିଲ ମେସିନ ଓ ଏକ ଡେକ୍‌ଚି ଚୋରି କରି ନେଇ ପଳାଇଥିଲେ । ସୁଧାକର ଫେରି ଚୋରି ସଂପର୍କରେ ଜାଣିବା ପରେ ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଟୁଙ୍ଗୁରୁଙ୍କୁ ଚିହ୍ନଟ କରିଥିଲା । ଗତକାଲି ପୁଲିସ ଟୁଙ୍ଗୁରୁଙ୍କୁ ଗିରଫ କରିବା ସହ ଅଟୋ, ଗ୍ୟାସ୍‌ ସିଲିଣ୍ଡର, ଡ୍ରିଲ୍‌ ମେସିନ ଓ ସିଲ୍‌ଭର ଡେକ୍‌ଚି ଜବତ କରିଥିଲା । ତାଙ୍କ ନାମରେ ପୂର୍ବରୁ ଚନ୍ଦକା, ଭରତପୁର ଓ ତମାଣ୍ଡୋ ଥାନାରେ ମାମଲା ଥିବା ଜଣା ପଡ଼ିଛି । ଅପରାହ୍ଣରେ ଟୁଙ୍ଗୁରୁଙ୍କୁ କୋର୍ଟ ଚାଲାଣ କରା ଯାଇଛି ।

ଏହି ଖବରଟିକୁ ପଢନ୍ତୁ- ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପଟ୍ଟାମୁଣ୍ଡାଇରେ ଏସିଡ୍ ମାଡ଼ : ଜଣେ ଗୁରୁତର, ଅଭିଯୁକ୍ତ ଅଟକ