ଭୋପାଳ, ୨୦/୦୫ : ଭୋପାଳରେ ମଡେଲ, ଅଭିନେତ୍ରୀ ଟ୍ୱିଶା ଶର୍ମାଙ୍କ ମୃତ୍ୟୁ ମାମଲାରେ ବଡ଼ ଖୁଲାସା। ପୋଷ୍ଟମର୍ଟମ ରିପୋର୍ଟରୁ ସାମ୍ନାକୁ ଆସିଲା ସତ। ଟ୍ଵିଶାଙ୍କୁ ହତ୍ୟା ନୁହେଁ ସେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଭୋପାଳ ପୁଲିସ କମିଶନର ସଞ୍ଜୟ କୁମାର କହିଛନ୍ତି। ଟ୍ୱିଶାଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ଥିବା ଭୋପାଳ ଏମ୍ସରେ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି । ଫଳରେ ଟ୍ୱିଶାଙ୍କ ପରିବାର ତାଙ୍କୁ ହତ୍ୟା କରାଯାଇଥିବା ଦାବି କରୁଛନ୍ତି। ଟ୍ୱିଶାଙ୍କ ପିତା ନବନିଧି ଶର୍ମା ପୁଣିଥରେ ଝିଅର ବ୍ୟବଚ୍ଛେଦ କରିବାକୁ ଦାବି କରିଛନ୍ତି । ନହେଲେ ସେ ମୃତଦେହକୁ ନେବେନାହିଁ ବୋଲି କହିଛନ୍ତି ।
ଗତ ୧୨ ତାରିଖରେ ଟ୍ୱିଶାଙ୍କ ମୃତ୍ୟୁ ପରଠାରୁ ସ୍ୱାମୀ ସମର୍ଥ ଫେରାର ଅଛନ୍ତି । ସେ ଭୋପାଳ ଜିଲ୍ଲା କୋର୍ଟରେ ଆଡଭୋକେଟ ଭାବେ କାର୍ଯ୍ୟ କରନ୍ତି । ଭୋପାଳର ଏକ କୋର୍ଟ ତାଙ୍କର ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ସମର୍ଥ ସିଂହଙ୍କୁ ଧରିବାକୁ ପୁଲିସ ପକ୍ଷରୁ ୬ଟି ଟିମ୍ ଗଠନ କରାଯାଇଛି। ମିସରଦ ଏସିପି ରଜନୀଶ କଶ୍ୟପ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଟିମ୍ ବିଭିନ୍ନ ରାଜ୍ୟ ଓ ସହରକୁ ଯାଇଛନ୍ତି । ସମର୍ଥ ଦେଶ ଛାଡି ପଳାଇଯିବାର ଆଶଙ୍କା କରି ପୁଲିସ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି । ସବୁ ବିମାନନ୍ଦର ଓ ଚେକପୋଷ୍ଟକୁ ଏହି ଲୁକଆଉଟ୍ ନୋଟିସ ପଠାଇ ଦିଆଯାଇଛି । ପୁଲିସ ମଧ୍ୟ ସମର୍ଥଙ୍କ ପାସପୋର୍ଟ ରଦ୍ଦ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି । ଟ୍ୱିଶାଙ୍କ ସ୍ୱାମୀ ସମର୍ଥ ଓ ଶାଶୁ ଗିରିବାଳାଙ୍କ ବିରୋଧରେ ଯୌତୁକ ନିର୍ଯାତନା ଓ ହତ୍ୟା ମାମଲା ରୁଜୁ ହୋଇଛି । ସେହିଭଳି ଉକ୍ତ ମାମଲାର ସବିଶେଷ ଯାଞ୍ଚ କରିବା ଲାଗି ଏକ ୬ ଜଣିଆ ଏସ୍ଆଇଟି ଗଠନ କରାଯାଇଛି ।
ସେପଟେ ଟ୍ୱିଶାଙ୍କ ଶାଶୁ ଗିରିବାଳା ମଧ୍ୟ ଜଣେ ପୂର୍ବତନ ଜଜ୍ ଏବଂ ବର୍ତ୍ତମାନ ସେ ଖାଉଟି ଅଦାଲତରେ କାର୍ଯ୍ୟରତ ଅଛନ୍ତି । ସେ ଯୌତୁକ ନିର୍ଯାତନା ଓ ହତ୍ୟା ଘଟଣାକୁ ଅସ୍ୱୀକାର କରିଛନ୍ତି । ଗିରିବାଳା କହିଛନ୍ତି ଟ୍ୱିଶା ନିଜେ ଗର୍ଭପାତ କରାଇଥିଲେ । ସେବେଠାରୁ ସେ ଅବସାଦରେ ରହିଥିଲେ । ବୋହୂ ଏକାକୀ ଘରେ ରହୁଥିଲେ । ସେ ମାରିଜୁଆନା ସେବନ କରୁଥିଲେ । ଏକଥା ଜଣାପଡିବା ପରେ ତାଙ୍କୁ ନିଶା ଛଡାଇବା ଲାଗି ଉଦ୍ୟମ କରିଥିଲେ। ତେବେ ପୁଲିସ କମିଶନର ଗିରିବାଳାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟରେ କୌଣସି ଡ୍ରଗ୍ସ କିମ୍ଵା ନିଶା ଦ୍ରବ୍ୟ ସେବନ ହୋଇନଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ଟ୍ୱିଶାଙ୍କ ମୃତଦେହ ଭୋପାଳସ୍ଥିତ ବାସଭବନରୁ ଗତ ୧୧ ତାରିଖରେ ମିଳିଥିଲା । ତାଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଇ ହତ୍ୟା କରିଥିବା ଟ୍ୱିଶାଙ୍କ ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଏହି ମାମଲାରେ ପୁଲିସର ମାଳମାଳ ତ୍ରୁଟିକୁ ନେଇ ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟ୍ଵିଶା ଯେଉଁ ବେଲ୍ଟରେ ଫାଶୀ ଲଗାଇଥିଲେ ତାହାକୁ ପୋଷ୍ଟମର୍ଟମ ଟେବୁଲ ଯାଏଁ ନିଆଯାଇନଥିଲା। ପୁଲିସ କମିଶନର ଏହି ଅବହେଳାକୁ ଖୋଦ୍ ସ୍ଵୀକାର କରିଛନ୍ତି।
ଏହି ଖବରଟିକୁ ପଢନ୍ତୁ- ଡେଟିଂ ଆପ୍ରୁ ସାକ୍ଷାତ, ୬ ମାସର ବିବାହ ପରେ ଦୁଃଖଦ ଅନ୍ତ : ମୃତ୍ୟୁ ପୂର୍ବରୁ ମିସ୍ ପୁନେ ଟ୍ୱିଶା ଶର୍ମାଙ୍କ ଚାଟ୍ ଲିକ୍,ସନ୍ଦେହରେ ସ୍ୱାମୀ