ଉଦୟପୁର ହତ୍ୟାକାଣ୍ଡ ଘଟଣାରେ ୨ ଅଭିଯୁକ୍ତଙ୍କ ରହିଛି ପାକିସ୍ତାନୀ ଆତଙ୍କୀ ସଂଗଠନ ISIS ଲିଙ୍କ୍, ପରବର୍ତ୍ତୀ ଟାର୍ଗେଟ୍ ଥିଲେ ଜଣେ ବ୍ୟବସାୟୀ

ଜୟପୁର ୩୦/ ୦୬: ରାଜସ୍ଥାନ ଉଦୟପୁରରେ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିଲା । କହ୍ନେୟା ଲାଲ୍ ନାମକ ଜଣେ ଟେଲରଙ୍କୁ ଦୋକାନ ଭିତରେ ପଶି ଅତି ବିଭତ୍ସ ଭାବେ ଆକ୍ରମଣ କରି ହତ୍ୟା କରିଥିଲେ ଦୁଇ ଅଭିଯୁକ୍ତ । ଘଟଣା ପରେ ଭିଡିଓ ମଧ୍ୟ ଜାରି କରିଥିଲେ । ଏହାର ଠିକ୍ କିଛି ସମୟ ପରେ ପୋଲିସ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ।
ଏବେ ଗିରଫ ଅଭିଯୁକ୍ତଙ୍କ ବାବଦରେ ନୂଆନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଅଭିଯୁକ୍ତ ଗୋସ୍ ମହମ୍ମଦ ଏବଂ ରିୟାଜ ଅଖତାରୀର ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ ସହ ଲିଙ୍କ ଥିବା ଖବର ମିଳିଛି । କେବଳ ସେତିକି ନୁହେଁ ଗତ ମାର୍ଚ୍ଚ ୩୦ ତାରିଖରେ ଜୟପୁରରେ ହୋଇଥିବା ସିରିଏଲ୍ ବ୍ଲାଷ୍ଟ ଘଟଣାରେ ଏମାନଙ୍କ ସଂପୃକ୍ତି ଥିବା ଜାଣିବାକୁ ପାଇଛି ତଦନ୍ତକାରୀ ସଂସ୍ଥା ।
ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଦାଓ୍ବତ-ଇ-ଇସଲାମୀ ସହାୟତାରେ ଏହି ଦୁଇଜଣ ଅଲ୍-ସୁଫା ସହ ଯୋଗଯୋଗରେ ରହିଥିଲେ ଯାହାକି ISISର ଏକ ଅଂଶ ଭାବେ କାର୍ଯ୍ୟ କରୁଛି । ଶୁଣିବାକୁ ମିଳୁଛି ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଉଦୟପୁର ଅଲ୍-ସୁଫା ସଂଗଠନର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲା । ସେ ISIS ଆତଙ୍କବାଦୀ ମୁଜୀବ ସହ ମଧ୍ୟ ରୀତିମତ ଭାବେ ସଂସ୍ପର୍ଶରେ ଥିବା ଜଣାପଡିଛି ।
ଉଦୟପୁର ଟେଲରଙ୍କ ହତ୍ୟାକାଣ୍ଡ ପରେ ଦୁଇ ଅଭିଯୁକ୍ତଙ୍କୁ କୌଶଳକ୍ରମେ ଗିରଫ କରିବାରେ ସଫଳ ହୋଇଥିଲା ରାଜସ୍ଥାନ ପୋଲିସର ସ୍ପେସାଲ ସ୍କ୍ବାଡ୍ । ତେବେ ଦୁଇ ଅଭିଯୁକ୍ତଙ୍କୁ ଧରିବା ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଉଭୟଙ୍କ ବିରୁଦ୍ଧରେ ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଦେଶ ଭିତରେ ହିଂସାକାଣ୍ଡ ଘଟାଇବା ଅଭିଯୋଗକୁ ନେଇ ତଦନ୍ତ କରୁଛି ପୋଲିସ । ଦେଶଦ୍ରୋହ ମାମଲା ମଧ୍ୟ ରୁଜୁ କରାଯାଇପାରେ । କେନ୍ଦ୍ର ସରକାର ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ଏନଆଇଏକୁ ତଦନ୍ତ ଭାର ଦେଇଛନ୍ତି ।
ପୋଲିସ କହିବା ମୁତାବକ, ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଗୋସ୍ ମହମ୍ମଦ ୨୦୧୪ ମସିହାରେ ପାକିସ୍ତାନ ଯାଇଥିଲା । ସେଠାରେ ପ୍ରାୟ ୪୫ଦିନ ଧରି ରହିବା ସହିତ ଆତଙ୍କୀ ସଂଗଠନ ଦାଓ୍ବତ-ଇ-ଇସଲାମୀ ସଂଗଠନ ସହ ମିଶି ପ୍ରଶିକ୍ଷଣ ନେଇଥିଲା । କେବଳ ସେ ନୁହେଁ ତା ସହିତ ଆହୁରି ୩୦ ଜଣ ଯୁବକ ମଧ୍ୟ ପାକିସ୍ତାନ ଯାଇ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଟ୍ରେନିଂ ନେଇଥିଲେ । ପାକିସ୍ତାନରୁ ଫେରିବାର ଦୀର୍ଘ ବର୍ଷ ପରେ ବି ଅଭିଯୁକ୍ତମାନେ ରୀତିମତ ଭାବେ ପାକିସ୍ତାନ ସହ ଯୋଗଯୋଗରେ ଥିଲେ । ପାକିସ୍ତାନର ୮ଟି ମୋବାଇଲ ନମ୍ବରକୁ ଏମାନେ ଫୋନ କରି ରୀତିମତ ଭାବେ କଥା ହେଉଥିଲେ ।
ପଚରାଉଚରା ବେଳେ ପୋଲିସ ଜାଣିବାକୁ ପାଇଛି ଯେ, ଅଭିଯୁକ୍ତମାନେ ଉଦୟପୁର ହତ୍ୟାକାଣ୍ଡ ଭଳି ଆଉ ଏକ ହତ୍ୟାକାଣ୍ଡ ଘଟାଇବାକୁ ଯୋଜନା କରିଥିଲେ । ଉଦୟପୁର ଟେଲର କହ୍ନେୟା ଲାଲ୍ଙ୍କ ହତ୍ୟା ପରେ ଜଣେ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରିଥିଲେ ଏମାନେ । କିନ୍ତୁ ଏହା ପୂର୍ବରୁ ହିଁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । ଟେଲର ହତ୍ୟାକାଣ୍ଡ ଘଟଣାରେ ଆହୁରି ୫ ଜଣଙ୍କୁ ଉଠାଇ ନେଇ ପଚରାଉଚରା କରୁଛି ତଦନ୍ତକାରୀ ସଂସ୍ଥା ।