ଭୁବନେଶ୍ୱର,୧୧/୦୭: ଆସନ୍ତା ୧୨ ତାରିଖରୁ ଭୁବନେଶ୍ୱରର ଏକ ହୋଟେଲରେ ଦୁଇଦିନିଆ ‘ମେଟାବଲିକ୍‌ ହୋରାଇଜନ୍‌ ସମ୍ମିଳନୀ-୨୦୨୫’  ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ବିଜେପି ସଭାପତି ମନମୋହନ  ସାମଲ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମଧ୍ୟ ଯୋଗ ଦେବେ ବୋଲି  ମେଟାବଲିକ୍‌ ହୋରାଇଜନ୍‌ ସମ୍ମିଳନୀ ଅଧ୍ୟକ୍ଷ ଡାକ୍ତର ଅରୁଣ ଚୌଧୁରୀ ସୂଚନା  ଦେଇଛନ୍ତି । 

ସେ କହିଛନ୍ତି, ଏଥିରେ ମାନସିକ, ଶାରୀରିକ ଓ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ  ଉପରେ ଗୁରୁତ୍ୱ ଦିଆଯିବ । ସଭାପତି ପ୍ରଫେସର ଅଭୟ ସାହୁ କହିଛନ୍ତି, ଏବେ  ମଧୁମେହ, ଉଚ୍ଚ ରକ୍ତଚାପ, ମୋଟାପଣ, ହୃଦ୍‌ଘାତ ଓ କୋଲେଷ୍ଟୋରେଲ ଭଳି  ଅଣସଂକ୍ରମଣ ରୋଗ ବଢ଼ିବାରେ ଲାଗିଛି । ତେଣୁ ଏହି ରୋଗ ସଂପର୍କରେ  ବିଶେଷଜ୍ଞ ମତ ରଖିବେ । ଅନ୍ୟପକ୍ଷରେ ପ୍ରତି ୩ ମାସରେ ବିଶେଷଜ୍ଞ ଦ୍ୱାରା  ଅଣସଂକ୍ରମଣ ଶିବିର କରାଯାଇ ମାଗଣା ପରୀକ୍ଷା କରାଯିବ । 

କାର୍ଯ୍ୟକାରୀ ସମ୍ପାଦକ  ଡାକ୍ତର ରିତେଶ ଅଗ୍ରୱାଲ କହିଛନ୍ତି, ୩୦ ଜଣ ଜାତୀୟସ୍ତରର ବିଶେଷଜ୍ଞ ରୋଗ  ସମ୍ବନ୍ଧୀୟ ପରାମର୍ଶ ଦେବେ । ସମ୍ପାଦକ ସ୍ୱୟଂସିଦ୍ଧ ମଙ୍ଗରାଜ କହିଛନ୍ତି, ଏବେ  ହାଡ଼ ଜନିତ ରୋଗ ବଢ଼ିବାରେ ଲାଗିଛି । ଏହାର ଉପଯୁକ୍ତ ଚିକିତ୍ସା ଉପରେ ଜ୍ଞାନ  ଦିଆଯିବ। ଡାକ୍ତର ଉତ୍କଳ ଖାଡ଼ାଙ୍ଗା ଓ ଡାକ୍ତର ସତ୍ୟଜିତ ତ୍ରିପାଠୀ କହିଛନ୍ତି,  ଏହି ସମ୍ମିଳନୀରେ ଯୋଗ ଓ ଖାଦ୍ୟ ଗ୍ରହଣ ଉପରେ ଆଲୋଚନା ହେବ ।