ତେଲ୍‌ ଆଭିଭ୍‌,୨୮/୦୪ : ଇସ୍ରାଏଲ୍‌ରେ ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଏକାଠି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହଙ୍କୁ କରିବେ ଗାଦିଚ୍ୟୁତ। ନଫ୍‌ତାଲି ବେନେଟ୍‌ ଏବଂ ୟେର୍‌ ଲାପିଡ୍‌ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହଙ୍କୁ ପଦଚ୍ୟୁତ କରିବା ପାଇଁ ହାତ ମିଳାଇଛନ୍ତି । ସେମାନେ ଏଥର ମିଳିତ ଭାବେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ଦିନ ଧରି କ୍ଷମତାସୀନ ଥିବା ନେତନ୍ୟାହୁଙ୍କ ଯୋଗୁ ଦେଶ ବର୍ତ୍ତମାନ ବିପଦରେ ପଡ଼ିଛି । ତେଣୁ ତାଙ୍କୁ ପଦଚ୍ୟୁତ କରିବା ଜରୁରି ବୋଲି ଉଭୟ ନେତା ଚିନ୍ତା କରୁଛନ୍ତି । ଏହା ପୂର୍ବରୁ ୨୦୨୧ରେ ବି ବେନେଟ୍‌ ଓ ଲାପିଡ୍‌ ଏକାଠି ହୋଇଥିଲେ । ସେମାନେ ପୃଥକ ବିଚାରଧାରାର ଦଳଗୁଡ଼ିକୁ ଏକତ୍ରିତ କରି ୧୨ ବର୍ଷ ଧରି ଚାଲିଆସୁଥିବା ନେତନ୍ୟାହୁ ସରକାରକୁ କ୍ଷମତାରୁ ହଟାଇ ଦେଇଥିଲେ । ଏବେ ପୁଣି ସେହି ସମୟ ଉପନୀତ ହୋଇଛି ।

ଉଭୟ ନେତା ନିଜ ଦଳକୁ ବିଲୟ କରି ଏକ ନୂଆ ଦଳ ଗଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଦଳର ନାମ ‘ଟୁଗେଦର’ ରଖାଯିବ । ଏହାର ନେତୃତ୍ୱ ବେନେଟ୍‌ ନେବେ । ସେ ହିଁ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ । ଇସ୍ରାଏଲ୍‌ରେ ୨୦୨୭ ଅକ୍ଟୋବରରେ ସାଧାରଣ ନିର୍ବାଚନ ହେବାର ଅଛି । କିନ୍ତୁ ନେତନ୍ୟାହୁ ଚଳିତବର୍ଷ ଅକ୍ଟୋବରରେ ହିଁ ସଂସଦ ଭଙ୍ଗ କରି ନିର୍ବାଚନ କରାଇ ପାରନ୍ତି । ୨୦୨୧ରେ ହୋଇଥିବା ବୁଝାମଣା ଅନୁସାରେ ପ୍ରଥମେ ବେନେଟ୍‌ ପ୍ରଧାନମନ୍ତ୍ରୀ ହୋଇଥିଲେ । ପରେ ଲାପିଡ୍‌ଙ୍କୁ ଏହି ଦାୟିତ୍ୱ ମିଳିଥାନ୍ତା । କିନ୍ତୁ ଏହି ସରକାର ସ୍ୱଳ୍ପ ବହୁମତରେ ରହିଯାଇଥିଲା । ଏଥିରେ ଦକ୍ଷିଣପନ୍ଥୀ, ବାମପନ୍ଥୀ ଏବଂ ଏକ ଆରବ ପାର୍ଟି ସାମିଲ ଥିଲେ । ପୃଥକ ବିଚାରଧାରାର ହୋଇଥିବାରୁ ସୁରକ୍ଷା, ପାଲେଷ୍ଟାଇନ ଭଳି ପ୍ରସଙ୍ଗକୁ ନେଇ ଏହି ଦଳଗୁଡ଼ିକର ଚିନ୍ତାଧାରା ମିଶି ନ ଥିଲା । ଫଳରେ କ୍ଷମତାସୀନ ସରକାରରେ ବାରମ୍ବାର ମତଭେଦ ସୃଷ୍ଟି ହୋଇଥିଲା । ଶେଷରେ ସରକାର ଚଳାଇବା ମୁସ୍କିଲ ହୋଇପଡ଼ିଥିଲା । ସେତେବେଳେ ବେନେଟ୍‌ ଏବଂ ଲାପିଡ୍‌ ସଂସଦ ଭଙ୍ଗ କରିବାକୁ ନିଷ୍ପତ୍ତି ନେଇ ନୂଆ ନିର୍ବାଚନ କରାଇଥିଲେ । ଏଥିରେ ନେତନ୍ୟାହୁ ବିଜୟୀ ହୋଇ ପୁଣି କ୍ଷମତାକୁ ଫେରିଥିଲେ । ସେବେଠାରୁ ଲାପିଡ୍‌ ବିରୋଧୀ ନେତା ରହିଛନ୍ତି । ଯେବେ କି ବେନେଟ୍‌ କିଛିଦିନ ପାଇଁ ରାଜନୀତିରୁ ଦୂରେଇ ଯାଇଥିଲେ । ଏବେ ଉଭୟ ନେତା ବେନେଟ୍‌ ଓ ଲାପିଡ୍‌ ପୁନର୍ବାର ଏକଜୁଟ ହେବାକୁ ନିଷ୍ପତ୍ତି ନେଇଛନ୍ତି । ଲାପିଡ୍‌ଙ୍କ କହିବାନୁସାରେ, ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ଏହାର ଉଦ୍ଦେଶ୍ୟ । ଆପୋସ ବିବାଦ ଦୂର କରି ଆଗାମୀ ନିର୍ବାଚନରେ ଜିତିବା ପାଇଁ ଗୁରୁତ୍ୱ ଦିଆଯିବ ।

ଉଲ୍ଲେଖଯୋଗ୍ୟ, ବେନେଟ୍‌ ଜଣେ ଚରମପନ୍ଥୀ ଇହୁଦୀ ରାଷ୍ଟ୍ରବାଦୀ ନେତା । ସେ ଦୀର୍ଘ ଦିନ ଧରି ଦକ୍ଷିଣପନ୍ଥୀ ରାଜନୀତି ସହ ଯୋଡ଼ି ହୋଇଛନ୍ତି । ପାଲେଷ୍ଟାଇନ ପ୍ରସଙ୍ଗକୁ ନେଇ ତାଙ୍କ ଆଭିମୁଖ୍ୟ ଅତ୍ୟନ୍ତ କଠୋର ରହିଆସିଛି । ତାଙ୍କର କହିବା କଥା ହେଉଛି ଇସ୍ରାଏଲ୍‌ର ସୁରକ୍ଷା ସର୍ବୋପରି ଏବଂ ଏହି ମାମଲାରେ କୌଣସି ପ୍ରକାର ଢିଲାପଣ ଦିଆଯିବା ଉଚିତ ନୁହେଁ । ଅନ୍ୟପକ୍ଷରେ ଲାପିଡ୍‌ ଜଣେ ଧର୍ମନିରପେକ୍ଷ ଏବଂ ଉଦାର ଚିନ୍ତାଧାରାର ନେତା । ତାଙ୍କ ରାଜନୀତି ଅଧିକ ବ୍ୟାବହାରିକ ଏବଂ ସନ୍ତୁଳିତ । ସେ ସହରୀ ମଧ୍ୟମ ବର୍ଗ, ପେସାଦାର ଲୋକ ଏବଂ ଉଦାର ବିଚାରଧାରା ରଖୁଥିବା ମତଦାତାଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ । ଲାପିଡ୍‌ଙ୍କ ପାଇଁ ଏହି ମେଣ୍ଟ ଜରୁରି ବିବେଚନା କରାଯାଉଛି । ତାଙ୍କ ଦଳ ୟେଶ ଅତୀଦ ବର୍ତ୍ତମାନ ବିରୋଧୀ ପକ୍ଷରେ ସବୁଠୁ ବଡ଼ ଦଳ । ସଂସଦରେ ତାଙ୍କ ଦଳର ୨୪ ଆସନ ରହିଛି । କିନ୍ତୁ ସର୍ଭେ ଦର୍ଶାଉଛି ଯେ ଆଗାମୀ ନିର୍ବାଚନରେ ତାଙ୍କ ଆସନ ସଂଖ୍ୟା ୫କୁ ଖସିପାରେ । ତେଣୁ ବେନେଟ୍‌ଙ୍କ ସହ ମିଶି ଲଢ଼ିଲେ ତାଙ୍କ ସ୍ଥିତି ମଜୁଭତ ହୋଇପାରେ ।

ଏହି ଖବରଟିକୁ ପଢନ୍ତୁଟ୍ରମ୍ପଙ୍କ ସଭାରେ ଗୁଳିକାଣ୍ଡ ବେଳେ ଅଜବ ଦୃଶ୍ୟ, ମଦ ବୋତଲ ଚୋରି କରିନେଲେ ଅତିଥି