ନୂଆଦିଲ୍ଲୀ ୨୮/୦୪: ଶନିବାର ରାତିରେ ୱାଶିଂଟନ୍‌ରେ ଏକ ଅଭାବନୀୟ ଘଟଣା ଘଟିଲା ଯାହା ସମଗ୍ର ବିଶ୍ୱକୁ ଚକିତ କରିଦେଲା । ଜଣେ ବ୍ୟକ୍ତି ବନ୍ଧୁକ ଓ ଛୁରି ହାତରେ ଧରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ଅନେକ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବଲ୍‌ରୁମ୍‌ରେ ଆୟୋଜିତ ସାମ୍ବାଦିକଙ୍କ ଡିନର୍ ପାର୍ଟିକୁ ପଶିଆସିଲେ । ସିକ୍ରେଟ୍ ସର୍ଭିସ ଏଜେଣ୍ଟ ତାଙ୍କୁ ତୁରନ୍ତ କାବୁ କରିନେଲେ । ଘଟଣାରେ ଟ୍ରମ୍ପ୍‌ଙ୍କୁ ସୁରକ୍ଷିତ ସେଠାରୁ ବାହାର କରିନିଆଗଲା । ବୈଠକରେ ଉପସ୍ଥିତ ଫାର୍ଷ୍ଟ ଲେଡି ମେଲାନିଆ ଟ୍ରମ୍ପ୍‌ଙ୍କୁ ସମେତ ଉପ- ରାଷ୍ଟ୍ରପତି ଜେଡି ଭାନ୍ସ ଓ କ୍ୟାବିନେଟ୍ ସଦସ୍ୟ ସୁରକ୍ଷିତ ଥିବା ପ୍ରଶାସନ ସ୍ପଷ୍ଟ କଲା ।

ଏହି ଘଟଣା ଯୋଗୁ ସେଠାରେ ଆତଙ୍କ ଖେଳିଗଲା । କିନ୍ତୁ ଏହି ସମୟରେ ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସିଲା । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ବାହାରକୁ ଯିବା ସମୟରେ ସାଙ୍ଗରେ ମଦ ବୋତଲ ବୋହିନେଲେ । ଏହି ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସାମ୍ବାଦିକ ଓ ଏହି ହାଇ-ପ୍ରୋଫାଇଲ କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ଅତିଥି ବାହାରକୁ ଯିବାବେଳେ ସାଙ୍ଗରେ ୱାଇନ୍ ଓ ସାମ୍ପେସ୍ ବୋତଲ ନେଉଥିବା ଦେଖିବାକୁ ମିଳିଛି ।

​​​​​​​

ସିବିଏସ୍ ନ୍ୟୁଜ୍ ଶେୟାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି, ବନ୍ଧୁକଧାରୀ ବ୍ୟକ୍ତି ବଲ୍‌ରୁମ୍‌କୁ ମାଡ଼ିଆସିବାରୁ ସେଠାରେ ଭୟ ଓ ଆତଙ୍କର ମାହୋଲ ସୃଷ୍ଟି ହୋଇଛି । ମାମଲାର ଗମ୍ଭୀରତାକୁ ବୁଝି ଉପସ୍ଥିତ ଅତିଥି ଟେବୁଲ୍ ତଳେ ଲୁଚିଯାଉଛନ୍ତି । ଘଟଣାର ସୂଚନା ଦେବା ଲାଗି ସାମ୍ବାଦିକ ନିଜ ନିଜ ଫୋନ୍ ନେବାକୁ ଚେଷ୍ଟା କରୁଛନ୍ତି । କିଛି ଲୋକ ୱାଶିଂଟନ୍ ହିଲ୍‌ଟନ୍‌ର ବଲ୍‌ରୁମ୍‌ ବାହାରେ ଗୁଳିମାଡ଼ର ଶବ୍ଦ ଶୁଣିବା ବିଷୟରେ ମଧ୍ୟ କହିଲେ । ଜଣେ ବଡ଼ ପାଟିରେ କହିଲେ, ରାସ୍ତାରୁ ହଟିଯାଆନ୍ତୁ, ସାର୍!’ ଅନ୍ୟମାନେ ଲୋକଙ୍କୁ ତଳକୁ ନଇଁପଡ଼ିବାକୁ କହିଲେ ।

ଆହୁରି ପଢ଼ନ୍ତୁ...White House Dinner Shooting: ଗୁଳିମାଡ଼ ଘଟଣାକୁ ନେଇ ଟ୍ରମ୍ପଙ୍କ ପ୍ରତିକ୍ରିୟା, କହିଲେ 'ମୋତେ ମରିବାକୁ ଭୟ ନାହିଁ'

ଆଉ ଏକ କୋଣରୁ ଶୁଣାଗଲା ‘ଈଶ୍ୱର ଆମେରିକାକୁ ଆଶୀର୍ବାଦ କରନ୍ତୁ ।’ ଇତିମଧ୍ୟରେ ସୁରକ୍ଷାକର୍ମୀ ଟ୍ରମ୍ପ୍‌ଙ୍କୁ ମଞ୍ଚରୁ ନେଇ ଚାଲିଗଲେ । ହୋଟେଲ ବାହାରେ ଜାତୀୟ ସୁରକ୍ଷାକର୍ମୀ ଓ ଅନ୍ୟ ଆଇନ ପ୍ରବର୍ତ୍ତନ ସଂସ୍ଥା ଜମା ହୋଇଗଲେ । ଉପରେ ହେଲିକପ୍ଟର ପଇଁତରା ମାରିଲେ । ଘଟଣାସ୍ଥଳରୁ ଅଭିଯୁକ୍ତ କାଲିଫର୍ଣ୍ଣିଆର ଟରାନ୍ସ ବାସିନ୍ଦା ୩୧ ବର୍ଷୀୟ କୋଲ ଟୋମାସ ଆଲେନଙ୍କୁ ଗିରଫ କରାଯାଇଛି । ଗୁଳିକାଣ୍ଡ ଘଟଣା ପରେ ଟ୍ରମ୍ପ୍ ସାମ୍ବାଦିକଙ୍କୁ ସମ୍ବୋଧନ କରି ଶୁଟର୍‌କୁ ‘ଅସୁସ୍ଥ ବ୍ୟକ୍ତି’ ବୋଲି କହିଲେ ।