ପ୍ରମୂଖ ଖବର
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମାଈ ହାତୀ ପାଇଁ ଦୁଇ ଦନ୍ତାଙ୍କ ଘମାଘୋଟ ଲଢ଼େଇ, ଦାନ୍ତ ଭୁସି ଭୁସି ସାନକୁ ଘାଇଲା କଲା ବଡ଼

Published By : Prameya | March 20, 2025 11:04 AM

ଭୁବନେଶ୍ୱର,୨୦/୦୩:  ଗୋଟିଏ ମାଈ ହାତୀ ପଛରେ ପଡ଼ିଗଲେ ୨ ଦନ୍ତା । ମାଈ ହାତୀକୁ ନିଜପ୍ରତି ଆକୃଷ୍ଟ  କରିବା ପାଇଁ ଉଭୟଙ୍କ ମଧ୍ୟରେ  ଚାଲିଲା ଛକାପଞ୍ଝା । ମାଈ ସାନ ହାତୀ  ପ୍ରତି ଆକୃଷ୍ଟ ହେବାରୁ ରାଗିଗଲା ବଡ଼ ଦନ୍ତା । ପ୍ରାୟ ଦୁଇ ଘଣ୍ଟା ଧରି  ଉଭୟଙ୍କ ମଧ୍ୟରେ ଚାଲିଲା ଘମାଘୋଟ  ଲଢ଼େଇ । ଶେଷରେ ସାନକୁ ଘାଇଲା  କରି ବଡ଼ଦନ୍ତା ମାଈକୁ ସାଥିରେ ଧରି  ପଳାଇଲା । ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟରେ ଦୁଇ ଦନ୍ତାଙ୍କ ମଧ୍ୟରେ  ଏଭଳି ଘମାଘୋଟ ଲଢ଼େଇ ଆଜି  ରାଜଧାନୀ ଉପକଣ୍ଠରେ ବେଶ୍‌ ଚର୍ଚ୍ଚାର  ବିଷୟ ପାଲଟିଛି । 

ବନବିଭାଗ ପକ୍ଷରୁ ମିଳିଥିବା  ସୂଚନା ଅନୁଯାୟୀ, ଚନ୍ଦକା-ଡମପଡ଼ା  ହସ୍ତୀ ଅଭୟାରଣ୍ୟର ଗୋଲଗାଡ଼  ଜଳାଶୟ ନିକଟକୁ ଏକ ମାଈ ହାତୀ ପାଣି ପିଇବାକୁ ଆସିଥିଲା । ସେହି  ଅଞ୍ଚଳରେ ବୁଲୁଥିବା ଗୋଟିଏ ସାନ  ଦନ୍ତା ନଜରରେ ପଡ଼ିବାରୁ ସେ ତା’  ପଛରେ ପଡ଼ି ଯାଇଥିଲା । କିଛି ସମୟ  ପରେ ଏକ ବିରାଟକାୟ ଦନ୍ତା ସେଠାରେ  ପହଞ୍ଚିଥିଲା । ସେ ମଧ୍ୟ ମାଈ ହାତୀ  ପଛରେ ପଡ଼ି ଯାଇଥିଲା । ଦୁଇ ଦନ୍ତା  ମାଈ ହାତୀକୁ ଆକୃଷ୍ଟ କରିବା ପାଇଁ  ଏକ ପ୍ରକାରର ପ୍ରତିଯୋଗିତା ଲାଗିଲା ।  ତେବେ ମାଈ ହାତୀଟି ସାନ ଦନ୍ତାପ୍ରତି  ଆକୃଷ୍ଟ ହେଉଥିବା ଦେଖି ବଡ଼ଦନ୍ତା  ରକ୍ତମୁଖା ପାଲଟିଗଲା । ସଙ୍ଗେ ସଙ୍ଗେ  ସେ ସାନଦନ୍ତାକୁ ମାରି ଗୋଡ଼ାଇଲା ।  ଉଭୟଙ୍କ ମଧ୍ୟରେ ଲାଗିଗଲା  ଘମାଘୋଟ ଲଢ଼େଇ । ସାନ ଦନ୍ତାର  ଗୋଟିଏ ଦାନ୍ତା ଫାଟି ଅଧା ଓହଳି  ପଡ଼ିଲା । ତଥାପି ସେ ବଡ଼ଦନ୍ତା ସହ  ଲଢ଼ିଥିଲା । ଶେଷରେ ବଡ଼ ସାନକୁ ଦାନ୍ତରେ ଭୁସି ଭୁସି କ୍ଷତାକ୍ତ କରି  ପକାଇଲା । ଶେଷରେ ସାନର ଡାହାଣ ପଟ  ପେଟରେ ଦାନ୍ତ ଭୂସି ଦେଲା । ଫଳରେ ରକ୍ତାକ୍ତ ହୋଇ ପଡ଼ିଲା ସାନ ଦନ୍ତା । ହାର୍‌  ମାନି ପଛଘୁଞ୍ଚା ଦେଲା । ତା’ପରେ ବଡ଼ଦନ୍ତା ମାଈ  ହାତୀ ସହ ଘଞ୍ଚ ଜଙ୍ଗଲ ମଧ୍ୟକୁ ପଳାଇଲା । 

କ୍ଷତାକ୍ତ ଅବସ୍ଥାରେ ସାନ ଦନ୍ତାକୁ ଆଜି ସକାଳେ  ବନବିଭାଗ ଠାବ କରିଥିଲା । ଚନ୍ଦକା ଡିଏଫ୍‌ଓ ଶରତ  ବେହେରା ଏନେଇ ଓୟୁଏଟିର ଅବସରପ୍ରାପ୍ତ  ପ୍ରଫେସର ଇନ୍ଦ୍ରମଣି ନାଥ ଓ ନନ୍ଦନକାନନ ପଶୁ  ଚିକିତ୍ସକଙ୍କୁ ଖବର ଦେଇଥିଲେ । ଶ୍ରୀ ନାଥ ଏବଂ  ନନ୍ଦନକାନନ ଟିମ୍‌ ପହଞ୍ଚି ଦନ୍ତାକୁ ପ୍ରଥମେ ଟ୍ରାଙ୍କୁଲାଇଜ  କରିଥିଲେ । ତା’ପରେ ପେଟରେ ହୋଇଥିବା କଣାର  ଅପରେସନ୍‌ କରା ଯାଇଥିଲା । ହାତୀକୁ ଆଣ୍ଟିବାୟୋଟିକ  ଓ ପେନ୍‌କିଲର ଦିଆ ଯାଇଥିଲା । ଏଥିପାଇଁ ପ୍ରାୟ ୨  ଘଣ୍ଟା ଲାଗିଥିଲା । କିଛି ସମୟ ପରେ ଦନ୍ତାଟି ସେ ସ୍ଥାନ  ଛାଡ଼ି ଅନ୍ୟତ୍ର ପଳାଇଛି । ସେପଟେ ବଡ଼ ଦନ୍ତା ଉକ୍ତ  ମାଈ ହାତୀ ସହ ଜଙ୍ଗଲରେ ବୁଲାବୁଲି କରୁଥିବା ବନ  କର୍ମଚାରୀମାନେ ଦେଖିଛନ୍ତି । ଏକ୍‌ ଫୁଲ୍‌ ଦୋ ମାଲି  ଭଳି ଗୋଟିଏ ମାଈ ହାତୀ ପାଇଁ ଦୁଇ ଦନ୍ତାଙ୍କ ମଧ୍ୟରେ  ଏଭଳି ଘମାଘୋଟ ଲଢ଼େଇକୁ ନେଇ ବନକର୍ମଚାରୀ ଓ  ଜଙ୍ଗଲ ଉପକଣ୍ଠରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି ।  ଡିଏଫ୍‌ଓ ଶ୍ରୀ ବେହେରାଙ୍କ କହିବା ଅନୁଯାୟୀ, ଜଙ୍ଗଲ  ମଧ୍ୟରେ ମାଈ ହାତୀଙ୍କୁ ନେଇ ଏପରି ଦନ୍ତା ଦନ୍ତାଙ୍କ  ମଧ୍ୟରେ ଲଢ଼େଇ ହେବା ଅନେକ ନଜିର ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.