ଦୁର୍ଘଟଣା ପରେ ବିଜୁଳି ତାରରେ ଫଶିଲା ବିମାନ: ୨ ଯାତ୍ରୀ ସୁରକ୍ଷିତ ଉଦ୍ଧାର, ଅନ୍ଧାରରେ ୧.୨୦ ଲକ୍ଷ ଲୋକ

ମେରିଲ୍ୟାଣ୍ଡ,୨୮।୧୧: ଆମେରିକାର ମେରିଲ୍ୟାଣ୍ଡ କାଉଣ୍ଟିରେ ରବିବାର ସନ୍ଧ୍ୟାରେ ଏକ ଛୋଟ ବିମାନ ଦୁର୍ଘଟଣାର ଶିକାର ହୋଇଛି। ସ୍ଥାନୀୟ ସମୟ ଅନୁସାରେ, ରବିବାର ସନ୍ଧ୍ୟା ୫ଟା ୩୦ ମିନିଟ୍ରେ ଏହି ଦୁର୍ଘଟଣା ଘଟିଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ବିମାନଟି ହାଇ ଭୋଲଟେଜ୍ ପାଓ୍ବାର ଲାଇନ୍ କେବଲରେ ଛନ୍ଦି ହୋଇଯାଇଥିଲା। ଏହାପରେ ବିମାନ ଭିତରେ ଥିବା ଦୁଇଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା। ଅଧିକାରୀଙ୍କ କହିବା ଅନୁସାରେ, ବିମାନକୁ ବାହାର କରିବା ବେଳେ ଆଖପାଖ ଅଞ୍ଚଳରେ ବିଜୁଳି କାଟିବାକୁ ପଡିଥିଲା। ୱାଶିଂଟନ୍-ଏରିଆ ୟୁଟିଲିଟି କମ୍ପାନୀ ପେପ୍କୋ ଅନୁଯାୟୀ ୧୨୦,୦୦୦ ରୁ ଅଧିକ ଗ୍ରାହକ ପ୍ରଭାବିତ ହୋଇଥିଲେ। ବିଦ୍ୟୁତ୍ ସମସ୍ୟା ହେତୁ ଅନେକ ଟ୍ରାଫିକ୍ ଲାଇଟ୍ ମଧ୍ୟ ବନ୍ଦ ହୋଇଯାଇଥିଲା ଏବଂ ରାସ୍ତା ବନ୍ଦ କରିବାକୁ ପଡୁଥିଲା।
ଫେଡରାଲ ଆଭିଏସନ୍ ଆଡମିନଷ୍ଟେ୍ରସନ୍(ଏଫ୍ଏଏ) ନିଜର ବୟାନରେ କହିଛି ଯେ, ଗୋଟିଏ ଇଞ୍ଜିନ ଥିବା ମୁନି ଏମ୍୨୦ ଜେ ଏୟାରକ୍ରାଫ୍ଟ ଆମେରିକାର ୱେଷ୍ଟଚେଷ୍ଟରରୁ ଉଡାଣ ଆରମ୍ଭ କରି ମେରିଲ୍ୟାଣ୍ଡର ମୋଣ୍ଟଗ୍ରୋମରୀ ଏୟାରପାର୍କରେ ଅବତରଣ କରିବାର ଥିଲା। ହେଲେ ବିମାନଟି ତଳକୁ ଆସିବାର ମାତ୍ର ୧୦୦ ଫୁଟ୍ ପୂର୍ବରୁ ଦୁର୍ଘଟଣାର ଶିକାର ହୋଇଥିଲା।