କଟକ,୧୬/୦୬: ଜଣେ ଯୁବକଙ୍କୁ ପ୍ରଚୁର ମଦ ପିଆଇ ନିଶାରେ ଚୁର୍ କରିବାପରେ ତାଙ୍କ ବାଇକ୍ ନେଇ ଦୁଇଜଣ ଦୁର୍ବୃତ୍ତ ଚମ୍ପଟ ମାରିଛନ୍ତି । ଖାଲି ସେତିକି ନୁହେଁ, ଅଭିଯୁକ୍ତମାନେ ଯୁବକଙ୍କୁ ଏକ ବସ୍ ବସାଇ ଦେଇଥିଲେ । କିଛି ବାଟ ପରେ ବସ୍ କର୍ମଚାରୀ ମଧ୍ୟ ଯୁବକଙ୍କୁ ତଳେ ଫୋପାଡ଼ି ଦେଇଥିଲେ । ପରେ ପୁଲିସ ଆସି ଯୁବକଙ୍କୁ ଉଦ୍ଧାର କରି ଏସ୍ସିବିରେ ଭତ୍ତି କରିଛି ।
ସେମାବାର ଅପରାହ୍ନରେ ଭୁବନେଶ୍ୱରର ଜଣେ ଯୁବକ ବାଦାମବାଡ଼ିର ଭରତିଆ ଟାୱାର୍ ସାମ୍ନାରେ ପଡ଼ିଥିବା ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ବାଦାମବାଡ଼ି ଥାନା କର୍ମଚାରୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ମେଡିକାଲ୍ ପଠାଇଥିଲେ । ଯୁବକଙ୍କ ପ୍ୟାଣ୍ଟ୍ ପକେଟ୍ରୁ କିଛି ଟଙ୍କା ମଧ୍ୟ ମିଳିଛି । ତେବେ ପୁଲିସକୁ ଖବର ଦେଇଥିବା ସ୍ଥାନୀୟ ଲୋକ କହିଛନ୍ତି ଯେ, ଏକ ବସ୍ର କର୍ମଚାରୀ ଉକ୍ତ ଯୁବକଙ୍କୁ ତଳେ ଫୋପାଡ଼ି ଦେଇ ପଳାଇଥିଲେ । ଏହା ପରେ ପୁଲିସ ଉକ୍ତ ବିଷୟର ତଦନ୍ତ ଆରମ୍ଭ କରିଥିଲା ।
ଅଧିକ ପଢ଼ନ୍ତୁ :- ବନ ବିଭାଗରେ ବଡ଼ ଅଦଳବଦଳ, ୬୧ ଏସିଏଫ୍, ୧୨୪ ରେଞ୍ଜରଙ୍କୁ ବଦଳି
ଯୁବକଙ୍କୁ ଅନ୍ୟ ଦୁଇଜଣ ଯୁବକ ଡାକି ନେଇ ସିଡିଏ ସେକ୍ଟର-୬ ଅଞ୍ଚଳକୁ ଯାଇଥିଲେ । ସେଠାରେ ଯୁବକଙ୍କୁ ପ୍ରଚୁର ମଦ ପିଆଇଥିଲେ । ଏହା ପରେ ଯୁବକ ଜଣକ ଏକପ୍ରକାର ଅଚେତ ଅବସ୍ଥାକୁ ଚାଲିଆସିଲେ । କିଛି ସମୟ ପରେ ଯୁବକ ଦ୍ୱୟ ତାଙ୍କୁ ଗାଡ଼ିରେ ବସାଇ ସିଏନ୍ବିଟି ପର୍ଯ୍ୟନ୍ତ ଆସିଥିଲେ । ସେଠାରେ ଏକ ବସ୍ ସିଟ୍ରେ ଯୁବକଙ୍କୁ ବସାଇଦେଇ ତାଙ୍କ ବାଇକ୍ ନେଇ କେଉଁଆଡ଼େ ପଳାଇଲେ । ନିଶାଶକ୍ତ ଯୁବକଙ୍କ ଚେତା ଫେରିବା ପରେ ଘରକୁ ଫୋନ୍ କରିଥିଲେ । ଏହା ପରେ ସଂପୂର୍ଣ୍ଣ ବିଷୟ ଜଣାପଡ଼ିଲା । ତେବେ ଘଟଣାଟି ସିଡିଏ ଅଞ୍ଚଳରେ ହୋଇଥିବାରୁ ଯୁବକଙ୍କ ପତ୍ନୀଙ୍କୁ ଏନେଇ ମର୍କତନଗର ଥାନାରେ ଏତଲା ଦେବାକୁ ପୁଲିସ ପରାମର୍ଶ ଦେଇଛି ।