- ଆଧାର ସମ୍ପର୍କିତ ଆବେଦନକୁ ନେଇ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ
- ଆବେଦନରେ ଆଧାରକୁ ପରିଚୟ ପତ୍ର ଭାବେ ବ୍ୟବହାର କରିବାକୁ ଦାବି ହୋଇଛି
- 'ଏହାକୁ ନାଗରିକତା ପ୍ରମାଣ, ବାସସ୍ଥାନ ପ୍ରମାଣ, ଠିକଣାର ପ୍ରମାଣ କିମ୍ବା ଜନ୍ମ ତାରିଖର ପ୍ରମାଣ ଭାବରେ ବ୍ୟବହାର କରାନଯାଉ'
- ଏପରିସ୍ଥଳେ ଆଧାରର ଯଥେଷ୍ଟ ଫାଇଦା ଉଠାଉଛନ୍ତି ଅନୁପ୍ରବେଶକାରୀ ଏବଂ ଅବୈଧ ପ୍ରବାସୀ
ନୂଆଦିଲ୍ଲୀ,୧୬/୦୬: ଆଧାର ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ରାଜ୍ୟ ଏବଂ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି। ଆଧାରକୁ କେବଳ ପରିଚୟ ପତ୍ର ଭାବରେ ବ୍ୟବହାର କରିବା ପାଇଁ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ଏବଂ ନିର୍ବାଚନ କମିଶନଙ୍କୁ ନୋଟିସ ଜାରି କରିଛନ୍ତି। ଆବେଦନରେ ଦାବି କରାଯାଇଛି ଯେ ଆଧାରକୁ କେବଳ ପରିଚୟ ପତ୍ର ଭାବରେ ବ୍ୟବହାର କରାଯାଉ, ନାଗରିକତା, ବାସସ୍ଥାନ, ଠିକଣା କିମ୍ବା ଜନ୍ମ ତାରିଖର ପ୍ରମାଣ ଭାବରେ ନୁହେଁ।
ପରିଚୟ ପାଇଁ ବ୍ୟବହାର ହେଉ ଆଧାର:
ଆବେଦନକାରୀ ଅଶ୍ୱିନୀ ଉପାଧ୍ୟାୟ କହିଛନ୍ତି ଯେ ବିଭିନ୍ନ ପ୍ରଶାସନିକ ଏବଂ ନିର୍ବାଚନ ପ୍ରକ୍ରିୟାରେ ଆଧାରକୁ ଏହାର ଆଇନଗତ ପରିସର ବାହାରେ ବ୍ୟବହାର କରାଯାଉଛି। ସେ କେନ୍ଦ୍ର, ରାଜ୍ୟ ସରକାର ଏବଂ ନିର୍ବାଚନ କମିଶନଙ୍କୁ ଦାବି କରିଥିଲେ ଯେ ଆଧାର କେବଳ ପରିଚୟ ଯାଞ୍ଚ ପାଇଁ ବ୍ୟବହାର କରାଯାଉ, ନାଗରିକତାର ପ୍ରମାଣ, ବାସସ୍ଥାନ/ନିବାସର ପ୍ରମାଣ, ଠିକଣାର ପ୍ରମାଣ କିମ୍ବା ଜନ୍ମ ତାରିଖର ପ୍ରମାଣ ଭାବରେ ନୁହେଁ। ନୂତନ ଭୋଟର ପଞ୍ଜୀକରଣ ପାଇଁ ଫର୍ମ ୬ ରେ ଜନ୍ମ ତାରିଖ ଏବଂ ବାସସ୍ଥାନର ପ୍ରମାଣ ଭାବରେ ଆଧାରକୁ ଗ୍ରହଣ କରାଯିବା ଉପରେ ମଧ୍ୟ ସେ ଆପତ୍ତି କରିଥିଲେ।
ଅଧିକ ପଢ଼ନ୍ତୁ: Cough syrup : ଏଣିକି ଡାକ୍ତରୀ ପ୍ରେସକ୍ରିପ୍ସନ ନଥିଲେ କଫସିରପ୍ ମନା, କଟକଣା ଜାରି କଲା କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ
ଅବୈଧ ଅନୁପ୍ରବେଶକାରୀଙ୍କୁ ସହଜରେ ମିଳୁଛି ଆଧାର କାର୍ଡ:
ଆବେଦନ ଅନୁଯାୟୀ, ଏହି ବ୍ୟବସ୍ଥା ଆଧାର ଆଇନ, ଜନପ୍ରତିନିଧି ଆଇନ ଏବଂ ସମ୍ବିଧାନର ଧାରା ୧୪ର ବିରୁଦ୍ଧାଚରଣ କରୁଛି ଏବଂ ଏହାକୁ ବେଆଇନ ଓ ପ୍ରଭାବହୀନ ଘୋଷଣା କରାଯିବା ଉଚିତ। ଏହା ମଧ୍ୟ ଦାବି କରାଯାଇଛି ଯେ, ଆଧାର ପଞ୍ଜୀକରଣ ପ୍ରକ୍ରିୟାରେ ଦୁର୍ବଳ ଯାଞ୍ଚ ଯୋଗୁ ଅନୁପ୍ରବେଶକାରୀ ଏବଂ ଅବୈଧ ପ୍ରବାସୀମାନେ ସହଜରେ ଆଧାର କାର୍ଡ ପାଇଯାଉଛନ୍ତି।
ଫାଇଦା ଉଠାଉଛନ୍ତି ଅନୁପ୍ରବେଶକାରୀ:
ଏହା ବ୍ୟତିତ ସେମାନେ ରାସନ କାର୍ଡ, ଜନ୍ମ ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ ଏବଂ ଶେଷରେ ଭୋଟର ପରିଚୟପତ୍ର ପାଇବା ପାଇଁ ଆଧାରକୁ ଏକ ମୌଳିକ ଡକ୍ୟୁମେଣ୍ଟ ଭାବରେ ବ୍ୟବହାର କରୁଛନ୍ତି। ଏହାଦ୍ବାରା ସେମାନେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା, ଏବଂ ପ୍ରକୃତ ଯୋଗ୍ୟ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ଏବଂ ଅନ୍ୟାନ୍ୟ ସୁବିଧାର ଲାଭ ମଧ୍ୟ ପାଉଚନ୍ତି।
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: LNG Tanker Disha: ଆମେରିକା-ଇରାନ୍ ଶାନ୍ତିଚୁକ୍ତି ଭିତରେ ଭାରତ ପାଇଁ ଖୁସିଖବର, ୬୨୩୭୦ ଟନ୍ LNG ନେଇ ଆସୁଛି 'ଦିଶା'